କାହିଁକି ହେଲା ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀଙ୍କ ହତ୍ୟା ? ଗୁଳିକାଣ୍ଡରେ ସାମିଲ ଥିବା ୪ଜଣଙ୍କ ସହ ରହିଥିଲା ଶତ୍ରୁତା ।

212

କନକ ବ୍ୟୁରୋ : ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଗତକାଲି ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆଜି ପୁଲିସ ୩ ମୁଖ୍ୟ ଅଭିଯୁକ୍ତଙ୍କ ସହ ଜଣେ ସହଯୋଗୀଙ୍କୁ ଗିରଫ କରିଛି । ଏମାନେ ହେଲେ ଟୁଟୁ ମହାପାତ୍ର, ହରି ପଣ୍ଡା, କୁନମୁନି ସୁଆର ଓ ସେମାନଙ୍କୁ ସହେଯାଗ କରିଥିବା ଜଗନ ଖଟେଇ । ଏହି ଘଟଣାରେ ପୁଲିସ ପ୍ରାୟ ସମସ୍ତ ଅଭିଯୁକ୍ତକୁ ଗିରଫ କରିନେଇଛି । ତେବେ ସବୁଠାରୁ ବଡ କଥା ହେଉଛି ଗିରଫ ସମସ୍ତ ଅଭିଯୁକ୍ତଙ୍କ ଶତ୍ରୁତା କୃଷ୍ଣ ପ୍ରତିହାରୀଙ୍କ ସହ ରହିଥିଲା ।

କାହିଁକି ହୋଇଥିଲା କୃଷ୍ଣ ପ୍ରତିହାରୀଙ୍କ ହତ୍ୟା ? ୪ଜଣଙ୍କ ସହ ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀଙ୍କ ଥିଲା ପୂର୍ବ ଶତ୍ରୁତା । କାଳିଆ ସିଂହାରୀ, ଦୋଳ ଗୋବିନ୍ଦ ସିଂହାରୀ, କୁନମୁନି ସୁଆର ଓ ହରି ପଣ୍ଡା । ହତ୍ୟାକାଣ୍ଡରେ ସାମିଲ ଥିବା ଏହି ୪ ଜଣଙ୍କ ସହ କୃଷ୍ଣ ପ୍ରତିହାରୀଙ୍କ ବିବାଦ ଥିଲା ।
– ମନ୍ଦିର ଭିତରେ ଥିବା କୁନମୁନି ସୁଆରଙ୍କ ରୋଷଘରକୁ ନିଜ କବଜାକୁ ନେଇ ଯାଇଥିଲେ କୃଷ୍ଣ ପ୍ରତିହାରୀ
– ରୋଷଘର ଚୁଲିକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିଲା
– ୧୫ ବର୍ଷ ଆଗରୁ କୃଷ୍ଣ ପ୍ରତିହାରୀ କୁନମୁନି ସୁଆରଙ୍କୁ ଆକ୍ରମଣ କରିଥିଲେ, ଏହାର ଦାଗ ଏବେବି କୁନମୁନିଙ୍କ ଶରୀରରେ ରହିଛି
– ହରି ପଣ୍ଡାଙ୍କ ସହ କୃଷ୍ଣ ପ୍ରତିହାରୀଙ୍କ ବିବାଦ ଏକ ଜମିକୁ ନେଇ ଆରମ୍ଭ ହୋଇଥିଲା
– ପୁରୀର ଏକ ପ୍ରମୁଖ ସ୍ଥାନରେ ଏକ ମୂଲ୍ୟବାନ ଜମିକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଥିଲା
-ମୃତ ଗୁନ ସିଂହାରୀଙ୍କ ସମ୍ପର୍କୀୟ କାଳିଆ ସିଂହାରୀ ଓ ଦୋଳ ଗୋବିନ୍ଦ ସିଂହାରୀ ପ୍ରତିଶୋଧ ନେବାକୁ ଚିନ୍ତା କରୁଥିଲେ ।

ହତ୍ୟାକାଣ୍ଡ ପରେ ୪ ଜଣ ଅଭିଯୁକ୍ତ ବାଇକରେ ସାତପଡା ଯାଇଥିଲେ । ସେମାନେ କେମିତି ଧରାନପଡିବେ ସେଥିପାଇଁ ମୋବାଇଲ ବନ୍ଦ କରି ସିମକାର୍ଡ ବି କାଢିଦେଇଥିଲେ । ଘଟଣା ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ଏମାନେ ୨ ଦିନ ଜଙ୍ଗଲରେ ରହିଥିଲେ । ଆଉ ସତର୍କ ରହୁଥିଲେ ତାଙ୍କ ଉପରେ କାହାର ନଜର ନପଡୁ । ଜଙ୍ଗଲରେ ରହିବା ପରେ ଏମାନେ ଚିଲିକା ପଳାଇଥିଲେ ।

ଚିଲିକା ହ୍ରଦରେ ବୋଟରେ ଦୁଇ ଦିନ ରହିବା ନେଇ ସେମାନେ ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ଏ ସବୁ କାମରେ ତାଙ୍କୁ ସହଯୋଗ କରୁଥିଲେ ଜଗନ ଖଟେଇ ନାମକ ଆଉ ଜଣେ ଅଭିଯୁକ୍ତ । ସେଠାରୁ କୋରାପୁଟ ପଳାଇବା ପରେ ରାଜ୍ୟ ବାହାରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ମୋବାଇଲ୍ ଫୋନ୍ ବ୍ୟବହାର କରୁନଥିବାରୁ ଟ୍ରାକ୍ କରିବାରେ ଅସୁବିଧା ହୋଇଥିବା ପୁରୀ ଏସପି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ।

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରିବା ସମୟରେ ବାବା ମହାପାତ୍ରଙ୍କ ସମେତ କୁନମୁନି, ଟୁଟୁ ଓ ହରି ପଣ୍ଡା ଉପସ୍ଥିତ ଥିବା ଏତଲାରେ ରହିଛି । ଆଉ ଅତି ନିକଟରୁ ଗୁଳି କରିଥିଲା ଟୁଟୁ । ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତଙ୍କୁ ସାତଦିନିଆ ରିମାଣ୍ଡରେ ଆଣି ସିନ ରିଏକ୍ରିଏସନ କରାଯିବ ।