ପାରମ୍ପରିକ ଖାଦ୍ୟର ହେଲା ବ୍ୟବସାୟୀ କରଣ । ମାଣ୍ଡିଆ ଆଣିଲା ଆଦିବାସୀଙ୍କ ମୁହଁରେ ହସ । ସରକାରଙ୍କ ମିଲେଟ ମିଶନ ଦେଖାଇଲା ନୂଆ ବାଟ 

125

କନକ ବ୍ୟୁରୋ : ଆଦିବାସୀଙ୍କ ମୁହଁରେ ଏବେ ହସ ଫୁଟାଇବାରେ ସକ୍ଷମ ହୋଇଛି ମାଣ୍ଡିଆ ଚାଷ  । ଯଦିଓ ମାଣ୍ଡିଆ ସେମାନଙ୍କ ପାରମ୍ପରିକ ଖାଦ୍ୟ ହୋଇ ରହି ଆସିଛି ହେଲେ ଏବେ ବ୍ୟବସାୟୀକରଣ ହେବା ସହ ସେମାନଙ୍କୁ ଯୋଗାଇଛି ଆର୍ଥିକ ସହାୟତା  । ଯେଉଁଥିପାଇଁ ସହାୟତାର ହାତ ବଢ଼ାଇଛି ସରକାରଙ୍କ ମିଲଟ ମିଶନ  ।

କାହିଁ କେଉଁ କାଳରୁ ଆଦିବାସୀମାନେ ମାଣ୍ଡିଆକୁ ନିଜର ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି  । ସେଇଥିପାଇଁ ଦିନ ଥିଲା ଧାନ ବଦଳରେ ଆଦିବାସୀ ଅଧୁଷିତ ଅଚଂଳରେ ବ୍ୟାପକ ମାଣ୍ଡିଆ ଚାଷ ହେଉଥିଲା  । କିନ୍ତୁ ବଜାରରେ ମାଣ୍ଡିଆର ଦର କମିବା ସହ ପ୍ରୋତ୍ସାହନ ଅଭାବରୁ ଧିରେ ଧିରେ ମାଣ୍ଡିଆ ଚାଷ ଉପରୁ ମୁହଁ ଫେରାଇ ଥିଲେ ଆଦିବାସୀ ଅଧୁଷିତ ଅଚଂଳର ଚାଷୀ  । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ମିଲେଟ ମିଶନ ଜରିଆରେ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଚେଷ୍ଟା ଆରମ୍ଭ କରାଯାଇଛି ।

ଭୋ÷ଗଳିକ ସ୍ଥିତି ଦୃଷ୍ଟିରୁ ରାୟଗଡ଼ା ଜିଲ୍ଲାରେ ଅଧିକାଂଶ ଜମି ଢ଼ାଲୁଆ ଏବଂ ଗଡ଼ାଣିଆ ହୋଇଥିବାକୁ ଏହା ମାଣ୍ଡିଆ ଚାଷ ପାଇଁ ପୁର୍ଣ୍ଣ ସହାୟକ ହୋଇଥାଏ  । ଜିଲ୍ଲାର ୧୧ଟି ବ୍ଲକରେ ଗତବର୍ଷ ୩,୪୮୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ୬ ହଜାର ୩୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଛି  । ତେବେ ଏବର୍ଷ ୧୦,୬୦୦ ଚାଷୀ  ମାଣ୍ଡିଆ ଚାଷରେ ଉପକୃତ ହେବା ନେଇ ଆକଳନ କରାଯାଇଛି  ।

ସବୁଠାରୁ ବଡ଼ କଥା ହେଉଛି ମିଲେଟ ମିଶନ ଦ୍ୱାରା ଧାଡ଼ି ରୁଆ , ଉନ୍ନତ ମାନର ବିହନ , ବଜାର ସୁବିଧା ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ମାଣ୍ଡିଆ ଚାଷପାଇଁ ଚାଷୀଙ୍କ ଆଗ୍ରହ ସୃଷ୍ଟି କରିଛି  । ତେବେ ପ୍ରୋତ୍ସାହନ ମିଳିଲେ ଆଗକୁ ଆହୁରି ଅନେକ ଚାଷୀ ମାଣ୍ଡିଆ ଚାଷ ପ୍ରତି ମନ ବଳାଇବେ ବୋଲି ଆଶା କରାଯାଉଛି ।