କରୋନା କାଳରେ ନବରାତ୍ରୀ : ଶାରଦୀୟ ପୂଜାକୁ ନେଇ ସବୁଠି ଉତ୍ସବର ପରିବେଶ; ଗଂଜାମରେ ଘରେ ରହି ପୂଜା କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଆଜି ପ୍ରଥମ ଦିନରେ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ

280

କନକ ବ୍ୟୁରୋ : କରୋନା କଟକଣା ଭିତରେ ଆରମ୍ଭ ହୋଇଛି ନବରାତ୍ର । ନବରାତ୍ରୀ ଅବସରରେ ଓଡିଶାରେ ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ବିଶେଷ ପୂଜାର୍ଚନା । ପ୍ରାୟ ୮ ମାସ ଧରି ବନ୍ଦ ରହିବା ପରେ ଖୋଲିଛି ମନ୍ଦିର । ନବରାତ୍ରରେ ଏହି ଅବସରରେ ଶ୍ରଦ୍ଧାଳୁ ମଧ୍ୟ ଏହାକୁ ନେଇ ବେଶ୍ ଖୁସି । ବ୍ରହ୍ମପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବୁଢି ଠାକୁରାଣୀ, କଟକର ଆରାଧ୍ୟ ଦେବୀ କଟକ ଚଣ୍ଡି, ଜଗତସିଂହପୁରରେ ମାଆ ଶାରଳା, ଯାଜପୁରର ବିରଜା, ସଂବଲପୁରରେ ସମଲେଶ୍ୱରୀ, କାକଟପୁରର ମାଆ ମଙ୍ଗଳାଙ୍କ ପୀଠରେ ମଧ୍ୟ ପ୍ରସ୍ତୁତି ହୋଇଛି ।

ନବରାତ୍ରରେ ଶକ୍ତି ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ । ଅବକାଶ, ଅଭିଶେକ, ମାଜଣା, ଖେଚଡ଼ି, ରାଜଭୋଗ ଓ ପହୁଡ଼ ଆଦି ବିଭିନ୍ନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥାଏ । ଏହା ଛଡ଼ା ନବରାତ୍ରୀରେ ମା’ ବିଭିନ୍ନ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଏହି ନବରାତ୍ର ସମୟକୁ ହିଁ ଅପେକ୍ଷା କରି ରହିଥାନ୍ତି । ଆଜି ପ୍ରଥମ ଦିନରେ ମାଆ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ।

ଏହି ଅବସରରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପାବନ ପର୍ବ ଅବସରରେ ଜଗତଜନନୀ ମା ସମସ୍ତଙ୍କ ଜୀବନରେ ସୁଖ , ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ ବୋଲି କାମନା କରି ସେ ଟୁଇଟ୍ କରିଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ମା ଶୈଳପୁତ୍ରିଙ୍କ ଆରାଧନା କରାଯାଇଥାଏ । ତେଣୁ ଟୁଇଟରେ ମା ଶୈଳପୁତ୍ରିଙ୍କ ଏକ ମନ୍ତ୍ରୋଚାରଣର ଭିଡିଓ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜିଠାରୁ ୯ଦିନ ଧରି ଦଶହରା ପର୍ଯ୍ୟନ୍ତ ଜଗତଜନନୀ ମାଙ୍କୁ ବିଭିନ୍ନ ରୂପରେ ଆରାଧନା କରାଯାଏ ।

କୋଲକାତାରେ ଏଥର ଦଶହରା ପାଇଁ ଆଗେଇ ଚାଲିଛି ପ୍ରସ୍ତୁତି । ପୂଜା ପେଣ୍ଡାଲରେ ଏଥର ସ୍ଥାନ ପାଇଛି କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ କଷ୍ଟର ଚିତ୍ର । ଏହି ଶ୍ରମିକଙ୍କୁ ସମ୍ମାନ ଜଣାଇ କଲିକତାରେ ବେଶ ଆକର୍ଷଣୀୟ ଭାବେ ପୂଜା ପେଣ୍ଡାଲ ତିଆରୀ କରାଯାଇଛି । ଜଣେ ମହିଳା ତାଙ୍କର ତିନୋଟି ପିଲା ଛୁଆଙ୍କୁ ଧରିଥିବାର ମୁର୍ତି ସ୍ଥାନ ପାଇଛି ପେଣ୍ଡାଲରେ । ପେଟରେ ଭୋଟ ସାଙ୍ଗକୁ ମୁଣ୍ଡ ଉପରେ ଟାଣୁଆ ଖରା । ଆଉ ସାଙ୍ଗରେ ଭୋକିଲା ଶିଶୁଙ୍କୁ ଧରି ପାଦରେ ଚାଲି ଚାଲି କରୋନା କାଳରେ ଘରକୁ ଫେରିଥିଲେ ପ୍ରବାସୀ । ଆଉ ଏହି ଥିମରେ ପୂଜା ପେଣ୍ଡଲ ବେଶ ଆକର୍ଷଣୀୟ ହୋଇଛି ।