ସପିଙ୍ଗ୍ ମଲର ଜମାନା ଭିତରେ କମିନି ହାଟ ବଜାରର ପରମ୍ପରା, ବ୍ରହ୍ମପୁର ସହରର ମାସିକିଆ ବଜାରରେ ସପିଂ କରୁଛନ୍ତି ନିମ୍ନ ମଧ୍ୟବିତ ଲୋକ

218

କନକ ବ୍ୟୁରୋ :  ଦକ୍ଷିଣ ଓଡିଶାର ବ୍ୟବସାୟୀକ କେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁର ସହରରେ ପ୍ରତିମାସର ଶେଷ ରବିବାର ସଂଧ୍ୟାରେ ଜମୁଛି ମାସିକିଆ ହାଟ । ପୁରୁଣା ବସ୍ଷ୍ଟାଣ୍ଡ ଠାରୁ କିିଛି ରାସ୍ତା ଯିବା ପରେ ପଡେ ଅନ୍ନପୂର୍ଣ୍ଣା ମାର୍କେଟ୍ । ଆଉ ଏହିଠାରୁ ଆରମ୍ଭ ହୋଇଥାଏ ହାଟ । ମହିଳାଙ୍କ ପ୍ରସାଧାନ ସାମଗ୍ରୀ ଠାରୁ ଆରମ୍ଭ କରି  ରେଡିମେଡ ଡ୍ରେସ୍, ଭଳିକିଭଳି ଘରକରଣା ସାମଗ୍ରୀ କିଣିବାକୁ ଆଖପାଖ ଅଂଚଳର ଲୋକଙ୍କ ଭିଡ଼ ଜମିଥାଏ । ସଂଧ୍ୟାରୁ ଆରମ୍ଭ ହୁଏ କାରବାର । ଗ୍ରାହକ ଏବଂ ବ୍ୟବସାୟୀଙ୍କ ଭିଡ ଭିତରେ ହାଟର ମାହୋଲ ପୁରା ଜମିଥାଏ । ସହର ସମେତ ଆଖପାଖ ଗ୍ରାମାଚଂଳ ତଥା ପଡୋଶୀ ଆନ୍ଧ୍ରର ଲୋକେ ଏହି ହାଟରେ ଭିଡ ଜମାଇଥାନ୍ତି । କହିବାକୁ ଗଲେ ମାସର ଏହି ଦିନଟିକୁ  କିଛି ବର୍ଗର ଲୋକ ଅପେକ୍ଷା କରିଥାନ୍ତି । ବଡବଡ ସୋରୁମ୍ ଓ ସପିଙ୍ଗ୍ ମଲରେ କିଣାକିଣି କରି ପାରୁନଥିବା ନିମ୍ନବର୍ଗର ଲୋକେ ଏଠାରୁ ନିଜକୁ ସୁହାଇଲା ଭଳି ଓ  ସୁଲଭ ଦରରେ ସପିଂ କରିଥାନ୍ତି ।

କେବଳ ଯେ ସାଧାରଣବର୍ଗର ଲୋକେ ଏହି ହାଟକୁ ଅପେକ୍ଷା କରିଥାନ୍ତି, ତାହା ନୁହେଁ । ବରଂ ସ୍ଥାନୀୟ ଅଚଂଳର ବହୁ କ୍ଷୁଦ୍ର ବ୍ୟବସାୟୀ ଏହି ଦିନ କାରବାର କରିଥାନ୍ତି । ମାସକୁ ଥରେ ଏହି ହାଟ ବସୁଥିବାରୁ ଭଲ ଦି ପଇସା ରୋଜଗାର ପାଇଁ ଏହି ଦିନକୁ ଅପେକ୍ଷା କରିଥାନ୍ତି ବ୍ୟବସାୟୀ । ସୁଦୁର କୋଲକତା, ରାୟପୁର ଓ ଆନ୍ଧ୍ର ପ୍ରଦେଶ ଭଳି ପଡ଼ୋଶୀ ରାଜ୍ୟରୁ ବ୍ୟବସାୟୀ ସ୍ଥାନୀୟ ଲୋକଙ୍କ ଚାହିଦା ଅନୁସାରେ ସାମଗ୍ରୀ ଆଣି ଏଠାରେ ବିକ୍ରି କରିଥାନ୍ତି । ପୂଜା ପାର୍ବଣ ହେଉ କିମ୍ବା ରୁତୁକାଳୀନ ବ୍ୟବସାୟ ଏଠାରେ ଭଲ କାରବାର ହୋଇଥାଏ । ପାର୍ବଣ ସମୟରେ ପୋଷାକ ଓ ଘରକରଣା ସାମଗ୍ରୀର ଭଲ ବ୍ୟବସାୟ ହେଉଥିବା ବେଳେ ଏବେ ଶୀତପୋଷାକର ବ୍ୟବସାୟ ଢେର ଅଧିକା ରହିଛି । ମାସିକ ଏହି ରବିବାର ହାଟରେ ପ୍ରତିଥର ୫ରୁ ୧୦କୋଟି ଟଙ୍କା ବ୍ୟବସାୟ ହେଉଥିବା ଅନୁମାନ କରାଯାଉଛି ।

ଆଜିର ପ୍ରତିଯୋଗିତାମୂଳକ ବଜାରରେ ଉପଲବ୍ଧ ହେଲାଣି ବହୁ ନାମୀଦାମୀ ବ୍ରାଣ୍ଡ୍ର ସାମଗ୍ରୀ । କିନ୍ତୁ ବ୍ରହ୍ମପୁର ଭଳି ସହରର ସବୁ ବର୍ଗର ଲୋକଙ୍କ ବଜେଟ୍କୁ ଏହା ସୁହାଇନଥାଏ । ତେବେ ଏହି ମାସିକ ହାଟ କିଛି ବର୍ଗର ଲୋକଙ୍କ ଚାହିଦାପୂରଣ କରିବା ସହ ସପିଙ୍ଗ୍ର ମଜା ଦେଉଛି ।