ଚୀନକୁ ଚିତ୍ କରିବାକୁ ଭାରତରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ । ହାତ ମିଳାଇଲେ ୭ କୋଟି ବ୍ୟବସାୟୀ, ଭୁଷୁଡି ପଡିବ ଚୀନର ମେରୁଦଣ୍ଡ । ୨୦୨୧ ସୁଦ୍ଧା କେଟ୍ ଦେବ ବଡ ଝଟକା ।

1,772

ସୀମାରେ ଚୀନ୍-ଭାରତ ସେନା ମଧ୍ୟରେ ଉତ୍ତେଜନା ଦେଖା ଦେଇଥିବା ବେଳେ ବେଜିଂକୁ ବଡ ଝଟକା ଦେବାକୁ ଭାରତରେ ଆରମ୍ଭ ହେଲା ଅଭିଯାନ । ୨୦୨୧ ସୁଦ୍ଧା ଚୀନକୁ ୧ ଲକ୍ଷ କୋଟି ଟଙ୍କାର ଝଟକା ଦେବାକୁ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ବ୍ୟବସାୟୀ । ଏହାସହ ଚୀନକୁ କଡା ଜବାବ ଦେବାକୁ ଅଣ୍ଟା ଭିଡିଛି ସର୍ବଭାରତୀୟ ବାଣିଜ୍ୟ ମହାସଂଘ(କେଟ୍) । ଇଣ୍ଡିଆନ୍ ଗୁଡସ, ଆୱାର ପ୍ରାଇଡ ଅଭିଯାନ ଆରମ୍ଭ କରି ଚୀନ୍ ସାମଗ୍ରୀକୁ ବୟକଟ୍ କରିବାକୁ ଆହ୍ୱାନ ଦେଇଛି କେଟ୍ ।

ଚୀନ୍ ସାମଗ୍ରୀକୁ ବହିଷ୍କାର କର । କିଛି ଦିନ ପୂର୍ବେ ଦେଶବାସୀଙ୍କୁ ସୋନମ ୱାଙ୍ଗଚୁକ୍ ଏଭଳି ଆହ୍ୱାନ ଦେବା ପରେ ଏବେ ଏଥିରେ ସ୍ୱର ମିଳାଇଛନ୍ତି ଭାରତର କୋଟି କୋଟି ବ୍ୟବସାୟୀ । ବେଜିଂକୁ ହାତରେ ନ ମାରି ଭାତରେ ମାରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଭାରତର ବ୍ୟବସାୟୀ । ଆଉ ଏଥିପାଇଁ ୨୦୨୧ ସୁଦ୍ଧା ଚୀନରୁ ୧ ଲକ୍ଷ କୋଟି ଟଙ୍କାର ଆମଦାନୀ ହ୍ରାସ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଚୀନରୁ ଆମଦାନୀ ହେଉଥିବା ପ୍ରାୟ ଏପରି ୩୦୦୦ ସାମଗ୍ରୀର ତାଲିକା ପ୍ରସ୍ତୁତ କରାଯାଇଛି ଯାହା ଭାରତରେ ଉପଲବ୍ଧ ଅଛି କିମ୍ବା ଦେଶରେ ନିର୍ମାଣ କରାଯାଇପାରିବ । ଖାସକରି ଇଲୋକଟ୍ରୋନିକ୍ସ ସାମଗ୍ରୀ, ଖେଳନା, ଗିଫ୍ଟ ଆଇଟମ, କପଡା, ଘଣ୍ଟା, ଓ କିଛି ପ୍ଲାଷ୍ଟିକ ସାମଗ୍ରୀ ଏହି ତାଲିକାରେ ରହିଛି । ତେଣୁ ପ୍ରାଥମିକସ୍ତରରେ ଏହି ସାମଗ୍ରୀକୁ ବୟକଟ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବ୍ୟବସାୟୀ ।

କେଟର ମହାସଚିବ ପ୍ରବୀଣ ଖଣ୍ଡେଲୱାଲାଙ୍କ କହିବା ଅନୁଯାୟୀ, ୨୦୦୧ରେ ଭାରତ ମାତ୍ର ୨ ବିଲିୟନ ଡଲାରର ସାମଗ୍ରୀ ଚୀନରୁ ଆମଦାନୀ କରୁଥିବା ବେଳେ ୨୦୨୧ରେ ଏହା ୭୦ ବିଲିୟନ ଡଲାରରେ ପହଞ୍ଚିଛି । ଅର୍ଥାତ ମାତ୍ର ୨୦ ବର୍ଷ ମଧ୍ୟରେ ଚୀନ୍ ଭାରତୀୟ ବଜାରରେ ବଡ ସ୍ଥାନ ସୃଷ୍ଟି କରିଛି । ଆଉ ଏଥିପାଇଁ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସରକାର ସମସ୍ତେ ଦାୟୀ । କାରଣ ପ୍ରଥମରୁ ହିଁ ଚୀନ ସାମଗ୍ରୀ ଶସ୍ତାରେ ମିଳୁଥିବାରୁ ଏହାର ବିକଳ୍ପ ବାବଦରେ ଆମେ ଚିନ୍ତା କଲୁ ନାହିଁ । ଯାହାଫଳରେ ଭାରତୀୟ ବଜାରରେ ଚୀନ୍ ସାମଗ୍ରୀର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ଏବେ ପୂର୍ବ ଭୁଲକୁ ସୁଧାରିବାର ସମୟ ଆସିଛି ।

ଚୀନ୍ ସାମଗ୍ରୀକୁ ବହିଷ୍କାର କରିବାର ଭାରତର ସାହସ ନାହିଁ । ଏଭଳି ଏକ ଖବର ଗ୍ଲୋବାଲ ଟାଇମସରେ ପ୍ରକାଶିତ ହେବା ପରେ ଏହାର ଜବାବ ଦେବାକୁ ଅଣ୍ଟା ଭିଡିଥିଲେ ଭାରତୀୟ ବ୍ୟବସାୟୀ । ସର୍ବଭାରତୀୟ ବାଣିଜ୍ୟ ମହାସଂଘରେ ଥିବା ପ୍ରାୟ ୭ କୋଟି କ୍ଷୁଦ୍ର ଓ ଖୁଚୁରା ବ୍ୟବସାୟୀ ଚୀନ୍ ସାମଗ୍ରୀ ବୟକଟ କରିବାକୁ ହାତ ମିଳାଇଛନ୍ତି । ଏପରିକି ଗ୍ରାହକ ମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ଯାହାଦ୍ୱାରା ଭାରତୀୟ ମାନେ ୱାଲେଟର ପାୱାର ଦେଖାଇବା ସହ ଚୀନର ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେବେ । ୧୩୦ କୋଟି ଭାରତବାସୀ ଏଭଳି ସଂକଳ୍ପ ନେଲେ ମାଟି କାମୁଡି ପଡିବ ବିଶ୍ୱକୁ ନାଲିଆଖି ଦେଖାଉଥିବା ବେଜିଂ ।