ଭାରତ ବନ୍ଦ ଯୋଗୁଁ ରାସ୍ତାଘାଟ ଶୂନଶାନ । ବଜାରଘାଟରେ ଗଡୁନି ଗୋଟିଏ ବି ଗାଡି, ରେଳ ଚଳାଚଳ ପ୍ରଭାବିତ

584

କନକ ବ୍ୟୁରୋ: ଦରଦାମ ବୃଦ୍ଧି, ବେକାରୀ, ନିଯୁକ୍ତି ସମେତ ୧୨ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛନ୍ତି ଶ୍ରମିକ ସଂଗଠନ । ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ପାଇଁ ସାରା ରାଜ୍ୟରେ ବସ୍ ଚଳାଚଳ କରୁନାହିଁ । ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ । ସନ୍ଧ୍ୟା ୬ଟା ପରେ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି | ବସ ଚଳାଚଳ ବନ୍ଦ ଯୋଗୁଁ ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ଭଦ୍ରକ,ଅନୁଗୁଳ ସମେତ ସାରା ରାଜ୍ୟରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି |

ସେହିପରି ବିଭିନ୍ନ ପ୍ରମୁଖ ସହରରେ ରେଳରୋକ ହେବା ଯୋଗୁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ବିଭିନ୍ନ ଷ୍ଟେସନରେ ଟ୍ରେନ୍ ଅଟକି ରହିଛି। ଭୁବନେଶ୍ବର,କଟକ, ଭଦ୍ରକ,ବାଲେଶ୍ବର,ଯାଜପୁର,ରାଉରକେଲା,ବ୍ରହ୍ମପୁର,ଅନୁଗୁଳରୁ ରେଳରୋକ ହୋଇଥିବା ଖବର ଆସିଛି। ଫଳରେ ଟ୍ରେନ୍ ଯାତ୍ରୀ ବି  ହନ୍ତସନ୍ତ ହୋଇଛନ୍ତି। ବ୍ରହ୍ମପୁରରେ ଆନ୍ଦୋଳନକାରୀମାନେ ରେଳ ଷ୍ଟେସନରେ ପହଂଚି ରେଳରୋକ କରିବା ଫଳରେ ମେମୁ ଓ ବିଶାଖାପାଟଣା ପାସେଞ୍ଜର ଟ୍ରେନ ଷ୍ଟେସନରେ ଅଟକି ରହିଛି । ଫଳରେ ଜରୁରୀ କାମରେ ଆସିଥିବା ଲୋକେ ବିଭିନ୍ନ ସ୍ଥାନରେ ଫସିରହିଛନ୍ତି ।

କଟକରେ ମଧ୍ୟ ଭାରତ ବନ୍ଦ ପାଳନ ସହ ଯାତାୟାତ ଠପ୍ ରହିଛି | ବାଦାମବାଡିରେ ଆନ୍ଦୋଳନକାରୀଙ୍କ ରାସ୍ତାରୋକ ସହ କଟକ ଷ୍ଟେସନରେ ମଧ୍ୟ ଟ୍ରେନ ଅଟକାଯାଇଛି । ବାଲେଶ୍ୱରରେ କଂଗ୍ରେସ ଓ ବାମଦଳର ମିଳିତ ପିକେଟିଂ ସହ ଷ୍ଟେସନ ଛକ, ଫକୀର ମୋହନ ଗୋଲେଇରେ ରାସ୍ତାରୋକ କରାଯାଇଛି | ଅନୁଗୁଳ ଓ ନାଲକୋରେ ମଧ୍ୟ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି |