ଆସନ୍ତା ସପ୍ତାହାରେ ଦେଶବ୍ୟାପି କୃଷକ ମାନଙ୍କର ୨ ଦିନିଆ ଧର୍ମଘଟ । ୨୬ ରେ ୧୦ ଶ୍ରମିକ ସଂଗଠନର ମିଳିତ ଆହ୍ୱାନରେ ହରତାଳ

544

କନକ ବ୍ୟୁରୋ : ରାଜ ରାସ୍ତାକୁ ଉହ୍ଲାଇବାକୁ ସଜ ହେଉଛନ୍ତି ଦେଶର ଶ୍ରମିକ ସଂଗଠନ ମାନେ । ଦେଶରେ କରୋନା ମାହାମାରୀ ଭଳି ସଂକଟ ବେଳେ ଖାଦ୍ୟା ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇବା । ଶ୍ରମିକ ମାନଙ୍କୁ କାମ ନମିଳିବା । ଦେଶରେ ଦୃତଗତିରେ ବେରୋଜଗାରୀ ବଢିବା । ଶ୍ରମ ନିର୍ଘଣ୍ଟକୁ ୮ ଘଂଟାରୁ ୧୨ ଘଂଟାକୁ ବୃଦ୍ଧି କରିବା । ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ମଜୁରୀ ବୃଦ୍ଧି କରିବା ଓ ୧୦୦ ଦିନ ସ୍ଥାନରେ ପୁରା ୩୬୫ ଦିନ କାମ ଯୋଗାଇ ଦେବା ଆଦି ଦାବିରେ ଆସନ୍ତା ୨୬ ତାରିଖରେ ଧର୍ମଘଟ କରାଯିବ । ଏନେଇ ଦେଶରେ ୧୦ ଟି ଶ୍ରମିକ ସଂଗଠନ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଏନେଇ ସଂଗଠନ ମାନଙ୍କ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି । ସେହିଭଳି କୃଷକ ମାନେ ସରକାରଙ୍କ କୃଷି ମାରଣନୀତି ବିରୋଧରେ ଆସନ୍ତା ସପ୍ତାହରେ ୨ ଦିନିଆ ଧର୍ମଘଟକୁ ଉହ୍ଲାଇବେ ବୋଲି ମଧ୍ୟ ସୂଚନା ଦିଆଯାଇଛି । ଏହି ଧର୍ମଘଟକୁ ମଧ୍ୟ ଏହି ୧୦ ଟି ଶ୍ରମିକ ସଂଗଠନଙ୍କ ସମର୍ଥନ ଥିବା କୁହାଯାଇଛି । ସୋମବାର ଦିନ ଏହି ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ପ୍ଲାଟଫର୍ମର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ଲାଟଫର୍ମରେ ଆଇଏନଟିୟୁସି, ଏଚ୍ ଏମ୍ ଏସ, ଏଆଇଟିୟୁସି, ଏଆଇୟୁଟିୟୁସି, ସିଆଇଟିୟୁ, ଟିୟୁସିସି, ସିଇଡବ୍ଲ୍ୟୁ, ଏଆଇସିସିଟିୟୁ, ଏଲପିଏଫ୍‌,ୟୁଟିୟୁସି, ଭଳି ଶ୍ରମିକ ସଂଗଠନ ମାନେ ରହିଛନ୍ତି । କେନ୍ଦ୍ରସରକାରଙ୍କ କୃଷି ବିରୋଧୀ ନୂତନ କୃଷି ଆଇନ, ଶ୍ରମିକ ମାରଣନୀତି, ଏବଂ ଜାତୀୟତା ବିରୋଧି ନୀତିକୁ ବିରୋଧ କରି ଧର୍ମଘଟକୁ ଉହ୍ଲାଉଥିବା କୁହାଯାଇଛି । ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କୁ ଧର୍ମଘଟରେ ସାମିଲ ହେବାକୁ ସଂଗଠନ ଗୁଡିକ ପକ୍ଷରୁ ଆହ୍ୱାନ ଦିଆଯାଇଛି ।