କୃଷକଙ୍କ ଟ୍ରାକ୍ଟର ରାଲି ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ: ସ୍ଥିତିର ସମୀକ୍ଷା କଲେ ଅମିତ ଶାହା; ସେପଟେ ଟିକ୍ରି ସୀମାନ୍ତରେ ବେରିକେଡ୍‌ ଭାଙ୍ଗି ଦିଲ୍ଲୀ ଭିତରକୁ ପ୍ରବେଶ କରିବାକୁ ଚାଷୀଙ୍କ ଉଦ୍ୟମ

ମଧ୍ୟାହ୍ନ ୧୨ଟା ପରେ ଟ୍ରାକ୍ଟର ରାଲି ବାହାର କରିବାକୁ ଚାଷୀଙ୍କୁ ମିଳିଛି ଅନୁମତି । ଦିଲ୍ଲୀ ସୀମାରେ ପ୍ରଥମ ଥର ପାଇଁ ଚାଷୀ କରିବେ ଟ୍ରାକ୍ଟର ପରେଡ

99

କନକ ବ୍ୟୁରୋ: ନୂଆ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ରୁଟ ଚାର୍ଟ ଅନୁଯାୟୀ ଟ୍ରାକ୍ଟର ରାଲି ହେବ । ଏହି ରାଲିରେ ୫ହଜାର ଟ୍ରାକ୍ଟର ଏବଂ ୫ହଜାର ଲୋକ ସାମିଲ ହେବା ପାଇଁ ଦିଲ୍ଲୀ ପୋଲିସ ଠାରୁ ଅନୁମତି ମିଳିଛି । ତେଣୁ ପୋଲିସର ଦାୟିତ୍ୱ ଆହୁରି ବଢିଯାଇଛି । ସେପଟେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆନନ୍ଦ ବିହାର ରେଳଷ୍ଟେସନରୁ ଟ୍ରେନ ଚଳାଚଳ ବନ୍ଦ ରହିବ । ସକାଳ ୮ଟା ପୂର୍ବରୁ କେବଳ ୨ଟି ଟ୍ରେନ ଏଠାକୁ ଛାଡିବ । ଏହାପରେ ସନ୍ଧ୍ୟାସୁଦ୍ଧା ଯିବାକୁ ଥିବା ୬ଟି ଟ୍ରେନରୁ ଗୋଟିଏ ବାତିଲ ହେବ ଏବଂ ଅନ୍ୟ ୫ଟି ରାତି ୮ଟା ପରେ ଚଳାଚଳ କରିବ ।

ତେବେ ଟ୍ରାକ୍ଟର ପରେଡ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଏହି ବୈଠକରେ ଗୃହସଚିବ, ଦିଲ୍ଲୀ ପୋଲିସ କମିଶନର, ଆଇବି ମୁଖ୍ୟ ସାମିଲ ହୋଇଥିଲେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଏହି ବୈଠକ ଡାକିଥିଲେ । ଟ୍ରାକ୍ଟର ପରେଡ ପାଇଁ ଅନୁମତି ମିଳିବା ପରେ ଆସନ୍ତା ଫେବ୍ରୁଆରୀ ୧ତାରିଖରେ ଚାଷୀମାନେ ସଂସଦ ମାର୍ଚ୍ଚ କରିବା ପାଇଁ ଘୋଷଣା କରିଦେଇଛନ୍ତି ।

ଅନ୍ୟପଟେ, ଟ୍ରାକ୍ଟର୍‌ ରାଲି ଆରମ୍ଭ ହେବାର ବହୁ ପୂର୍ବରୁ ଏବଂ ବହୁସଂଖ୍ୟକ ପୁଲିସ ଉପସ୍ଥିତି ସତ୍ତ୍ୱେ ଆଜି ସକାଳେ ଦିଲ୍ଲୀ-ହରିୟାଣାର ଟିକ୍ରି ସୀମାନ୍ତରେ ହଜାର ହଜାର କୃଷକ ବେରିକେଡ୍‌ ଭାଙ୍ଗିବା ସହ ଚାଲି ଚାଲି ଦିଲ୍ଲୀକୁ ପ୍ରବେଶ କରିବାରୁ ବଡ଼ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ ରାଜଧାନୀର ରାଜପଥରେ ସାଧାରଣତନ୍ତ୍ର ଦିବସ ଉତ୍ସବ ଉଦ୍‌ଯାପନ କରାଯିବା ପରେ ଟ୍ରାକ୍ଟର୍‌ ରାଲି କରିବାକୁ କୃଷକମାନଙ୍କୁ ଅନୁମତି ମିଳିଥିଲା। ଘଟଣାସ୍ଥଳରୁ ଉତ୍ତୋଳନ କରାଯାଇଥିବା ଭିଡିଓରେ ଏହି ଗୋଳମାଳର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି।

ଜାତୀୟ ରାଜଧାନୀର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ଟିକ୍ରି ସୀମାନ୍ତ ଏବଂ ଦିଲ୍ଲୀ ଓ ହରିୟାଣାକୁ ବିଭକ୍ତ କରୁଥିବା ସିଂଘୁ ସୀମାନ୍ତରେ ଏଭଳି ପରିସ୍ଥିତି ଉପୁଜିଛି। ହଜାର ହଜାର କୃଷକ ପତାକା ଧରି ପଦଯାତ୍ରାରେ ଦିଲ୍ଲୀକୁ ପ୍ରବେଶ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ରାଲି ନିମନ୍ତେ ପ୍ରସ୍ତୁତ ଥିବା ଟ୍ରାକ୍ଟର୍‌ରେ ମଧ୍ୟ ଥିଲେ। ଟିକ୍ରି ସୀମାନ୍ତରେ କୃଷକ ନେତାମାନେ ପ୍ରତିବାଦକାରୀ କୃଷକମାନଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ କହିଛନ୍ତି। ରାଲିର ସମୟ ସଂକ୍ରାନ୍ତରେ ସେମାନେ ପୁଲିସ ସହ ଆଲୋଚନା କରିବେ ବୋଲି କହିଛନ୍ତି।