ଓଡିଶାରୁ ବାହାରିଲା ଟ୍ରାକ୍ଟର ରାଲି । ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ସମର୍ଥନରେ ବାହାରିଲେ କେନ୍ଦ୍ରାପଡା ଓ ଢେଙ୍କାନାଳ ଚାଷୀ

139

କନକ ବ୍ୟୁରୋ: ତିନି କୃଷି ଆଇନ ବିରୋଧରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ସମର୍ଥନ କରି କେନ୍ଦ୍ରାପଡାରେ କୃଷକଙ୍କ ଟ୍ରାକ୍ଟର ରାଲି । ରାଜକନିକା ଓ ଆଳି କୃଷକ ସମନ୍ୱୟ ସମିତି ଆବାହକ ବିଧାନ ଦାସଙ୍କ ନେତୃତ୍ୱରେ ଏକ ବିଶାଳ ଟ୍ରାକ୍ଟର ରାଲି କରାଯାଇଛି । ଚାନ୍ଦବାଲି ପୋଲ ନିକଟରୁ ଟ୍ରାକ୍ଟର ରାଲି ବାହାରି ଗଡଗଡି ପୋଲି ନିଟକରେ ପହଂଚିବା ପରେ ସେଠାରେ ଏକ ପ୍ରତିବାଦ ସଭା କରାଯାଇଛି । ରାଲିକୁ ସମର୍ଥନ ଜଣାଇ ଆଳିର ପୂର୍ବତନ ବିଧାୟକ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ କୃଷକ ମାରଣ ଆଇନକୁ କଡା ଭର୍ତ୍ସ୍ୟନା କରିଛନ୍ତି । ଏଥିସହ ତୁରନ୍ତ ଏହି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।

ସେପଟେ, ଢେଙ୍କାନାଳରେ  ବି କୃଷକଙ୍କ ଟ୍ରାକ୍ଟର ରାଲି କରାଯାଇଛି । ଢେଙ୍କାନାଳ ଓଡ଼ପଡା ବ୍ଲକ ଗଦାଶୀଳାଠାରୁ ଅଙ୍କରାନ୍ତିପୁର ଯାଏ ଏକ ଟ୍ରାକ୍ଟର ରାଲି କରାଯାଇଛି । ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଏହି ରାଲିରେ ନବ ନିର୍ମାଣ କୃଷକ ସଂଗଠନର ମଧ୍ୟ ସହଯୋଗ ରହିଥିଲା ।

ଆଜି ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ସୃଷ୍ଟି ହୋଇଛି ଅପ୍ରତିକର ପରିସ୍ଥିତି । ପୂର୍ବ ଘୋଷଣା ଅନୁସାରେ  ଦିଲ୍ଲୀ ମାର୍ଚ୍ଚ କରିଛନ୍ତି ଚାଷୀ ସଂଗଠନ । ଆଉ ଏତିକିବେଳେ ପୁଲିସ ଅଟକାଇବାରୁ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ପୁଲିସ ଓ ଚାଷୀ ସଂଗଠନ ମୁହାଁମୁହିଁ ହୋଇଛନ୍ତି ।  କୃଷକଙ୍କ ଟ୍ରାକ୍ଟର ପରେଡ ହେବା ପୂର୍ବରୁ ପୁଲିସ ବ୍ୟାରିକେଡ ଭାଙ୍ଗିଦେଇଛନ୍ତି ବିରୋଧ ପ୍ରଦର୍ଶନକାରୀ । ଆଜି ସକାଳେ ଆନ୍ଦୋଳନରତ କୃଷକ ସଂଗଠନର ଏକ ଗୋଷ୍ଠୀ ସିଙ୍ଘୁ ବର୍ଡରରେ ପୁଲିସ ବ୍ୟାରିକେଡ ଭାଙ୍ଗି ପଦଯାତ୍ରା ଆରମ୍ଭ କରିଛନ୍ତି । ହଜାର ହଜାର କୃଷକ ପତାକା ଧରି ଚାଲି ଚାଲି ସିଙ୍ଘୁ ବର୍ଡରରୁ ଦିଲ୍ଲୀ ଅଭିମୁଖେ ଶୋଭାଯାତ୍ରାରେ ବାହାରିଛନ୍ତି ।