କନକ ବ୍ୟୁରୋ: କୃଷି ଆଇନକୁ ପ୍ରତ୍ୟାହର ଦାବି କରି କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି । ଦୀର୍ଘ ୪୦ଦିନରୁ ଅଧିକା ଦିନ ହେଲା କୃଷକ ମାନେ ଶୀତ, କାକର ଓ ବର୍ଷାରେ ଆନ୍ଦୋଳନ ଜାରି ରଖିଛନ୍ତି କୃଷକ ସଂଗଠନ । କୃଷକ ମାନେ ତାଙ୍କ ଜିଦରେ ଅଟଳ ରହିଥିବା ବେଳେ ସରକାର ମଧ୍ୟ ତାଙ୍କ ଜିଦରେ ଅଟଳ ରହିଛନ୍ତି । କୃଷକଙ୍କୁ ବୁଝାଇବା ପାଇଁ ସାତଟି ପର୍ଯ୍ୟାୟରେ ବୈଠକ ହୋଇଥିଲେ ମଧ୍ୟ ବାହାରି ପାରୁନି ସମାଧାନର ବାଟ । ଏବେ ରାଜଧାନୀ ଦିଲ୍ଲୀରେ ପ୍ରବଳ ଶୀତ ସାଙ୍ଗକୁ ବର୍ଷାର ପ୍ରକୋପ ଚାଷୀଙ୍କୁ କଲବଲ କରୁଛି ।

Advertisment

ଗଣତନ୍ତ୍ର ଦିବସରେ ମହିଳା ଚାଷୀଙ୍କ ଟ୍ରାକ୍ଟର ରାଲି ପାଇଁ ଜୋରଦାର ପ୍ରସ୍ତୁତି । ରାଜଧାନୀ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ୪୧ ଦିନରେ ପହଂଚିଥିବା ବେଳେ ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ କିଷାନ ପରେଡ଼ କରିବା ପାଇଁ କୃଷକଙ୍କ ଚେତାବନୀ । ଆଉ ଏହାର ମଙ୍ଗ ଧରିବେ ମହିଳା । ଏପରିକି ସେଦିନ ଦେଶର ବିଭିନ୍ନ ପ୍ରାନ୍ତରୁ ଟ୍ରାକ୍ଟର ରାଲି ବାହାରିବା ପାଇଁ ଚେତାବନୀ ଦେଇଛି କୃଷକ ସଂଗଠନ । ଆନ୍ଦୋଳନର ପ୍ରତିନିଧିତ୍ୱ କରୁଥିବା କୃଷକ ସଂଗଠନ ଭାରତୀୟ କୃଷକ ୟୁନିୟନ ପକ୍ଷରୁ ୫ ଶହରୁ ଅଧିକା ମହିଳାଙ୍କୁ ଟ୍ରାକ୍ଟର ରାଲି ପାଇଁ ପ୍ରଶିକ୍ଷଣ ଦିଆଯାଉଛି ।

ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ୭ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ନାହିଁ । ନୂଆ କୃଷି ଆଇନକୁ ପ୍ରତ୍ୟାହର ଓ ଏମଏସପିକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ । ଜାନୁଆରୀ ୮ତାରିଖରେ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ ।

ଦିଲ୍ଲୀର ସିଂଘୁ, ଟିକିରି, ଗାଜିପୁର ସୀମାରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ସୀମାରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରାଜଧାନୀ ଦିଲ୍ଲୀରେ ଟ୍ରାଫିକ୍ ସମସ୍ୟ ଦେଖାଦେଇଛି । ଅନ୍ୟପଟେ ପାଣିପାଗରେ ପରିବର୍ତନ ଯୋଗୁଁ ଦିଲ୍ଲୀରେ ତିନି ଦିନ ହେବ ବର୍ଷା ଲାଗି ରହିଛି । ଯାହାଦ୍ୱାରା ଆନ୍ଦୋଳନକାରୀ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ନିଜ ଜିଦରେ ଅଟଳ ରହିଛନ୍ତି । ପ୍ରବଳ ଶୀତ ସାଙ୍ଗକୁ ବର୍ଷା ଚାଷୀଙ୍କ ଚିନ୍ତା ବଢାଇଦେଇଛି । ଏପରିକି ଆନ୍ଦୋଳନ ସ୍ଥଳରେ ବର୍ଷା ପାଣି ଜମି ରହିଥିବାର ଦେଖିବାକୁ ମିଳିଛି । ସେପଟେ ଏନଏସୟୁଆଇ ପକ୍ଷରୁ କୃଷକ ଆନ୍ଦୋଳନକୁ ସମର୍ଥନ କରି ରାଜସ୍ଥାନ ଜୟପୁରରେ ସାଇକେଲ ରାଲି କରାଯାଇଛି । ଏହି ରାଲିରେ ଶତାଧିକ ଯୁବ କଂଗ୍ରେସ ନେତା ସାମିିଲ ହୋଇଛନ୍ତି ।