କନକ ବ୍ୟୁରୋ: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ବାଲିଆ ସ୍ଥିତ ଏମଆଇସେନଏକ୍ସ ନିକଟରେ ନୂତନ କୌଶଳ ବିକାଶ କେନ୍ଦ୍ରର ଲୋକାର୍ପଣ କରାଯାଇଛି । ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦ୍ଵିଜଦାସ ବସକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟାଟା ପାୱାର ସୁରକ୍ଷା ବିଭାଗ ମୁଖ୍ୟ ସୁରେଶ ଖେତୱାନୀ, ଟିପିଏନଓଡିଏଲ ଅପରେସନ ମୁଖ୍ୟ ନୀଲେଶ ପୋଟଫଡେ, ପ୍ରକଳ୍ପ ମୁଖ୍ୟ ପ୍ରଦୀପ କୁମାର ମହାନ୍ତି, ଜେନେରାଲ ମ୍ୟାନେଜର ସୁରେଶ ଚନ୍ଦ୍ର ସାହୁ, କୌଶଳ ବିକାଶ ବିଭାଗ ମୁଖ୍ୟ ସତୀଶ ମହାଜନ, ବାଲେଶ୍ଵର ଅଧିକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କୌଶଳ ବିକାଶ କେନ୍ଦ୍ର ଟିପିଏନଓଡିଏଲର କର୍ମଚାରୀଙ୍କ ଦକ୍ଷତା ବିକାଶ କରିବା ସହିତ ବିଏ କର୍ମଚାରୀ ଓ ଡିପ୍ଲୋମା ତଥା ଆଇଟିଆଇ ଛାତ୍ରଛାତ୍ରୀଙ୍କ କୌଶଳ ଏବଂ ପ୍ରାକ୍ଟିକାଲ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ ।
ବିଶେଷତଃ ଟିପିଏନଓଡିଏଲର ନବାଗତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି କେନ୍ଦ୍ରର ପ୍ରତିଷ୍ଠା କରାଯାଇଛି । ମିଳିଥିବା ସୂଚନା ମୁତାବକ ଟିପିଏନଓଡିଏଲ ବିଦ୍ୟୁତ ବିତରଣ କ୍ଷେତ୍ରରେ ଆଉ ୪ଟି କୌଶଳ ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବ। ଚଳିତ ବର୍ଷ ଶେଷ ସୁଦ୍ଧା ମୟୂରଭଞ୍ଜରେ ବେତନଟୀ, କେନ୍ଦୁଝରରେ ଯୋଡ଼ା, ଭଦ୍ରକରେ ରାହାଞ୍ଜ ଓ ଯାଜପୁରର ପାଣିକୋଇଲିରେ ନୂଆ କୌଶଳ ବିକାଶ କେନ୍ଦ୍ର ଲୋକାର୍ପଣ କରାଯିବ । ତେବେ ଟିପିଏନଓଡିଏଲର ଏହି ଅଭିନବ ପଦକ୍ଷେପ ନିଜର କର୍ମଚାରୀଙ୍କ କୌଶଳ ବୃଦ୍ଧି କରିବା ସହ ସ୍ଥାନୀୟ ଆଇଟିଆଇ ଓ ଡିପ୍ଲୋମା ଅଧ୍ୟୟନରତ ପିଲାଙ୍କ ଦକ୍ଷତା ବଢାଇବା ସହ ସେମାନଙ୍କୁ ଅଧିକ କୁଶଳୀ କରିବାରେ ସହାୟକ ହେବ ବୋଲି ସିଇଓ ବସକ କହିଛନ୍ତି ।
ଅପରପକ୍ଷେ ଆଇଟିଆଇ ପିଲାଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ମଧ୍ୟ ଟିପିଏନଓଡିଏଲ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ବିଭିନ୍ନ ସରକାରୀ ଆଇଟିଆଇଗୁଡିକ ସହ ବୁଝାମଣା ପତ୍ର ସ୍ଵାକ୍ଷର କରି ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପିଲାଙ୍କ ଦକ୍ଷତା ବଢାଇବା ଦାୟିତ୍ଵ ନେଇଛି । ଫଳରେ ପିଲାମାନେ କୁଶଳୀ ହେବା ସହ ନିଯୁକ୍ତି ପାଇବା ପାଇଁ ଦକ୍ଷ ହେଉଛନ୍ତି । ଟିପିଏନଓଡିଏଲ ସେବା ବିତରଣ କରୁଥିବା ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ୫ଟି ସରକାରୀ ଆଇଟିଆଇ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛି । କେବଳ ଇଲେକ୍ଟ୍ରିସିଆନ ବର୍ଗର ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ସେମାନଙ୍କୁ ଯୁଗ ଉପଯୋଗୀ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଶିଳ୍ପ ସଂସ୍ଥା ଅବଶ୍ୟକ କରୁଥିବା ଦକ୍ଷତା ଜ୍ଞାନ ପ୍ରଦାନ କରାଯାଉଛି । ସେହିପରି ‘ଟ୍ରେନ ଟୁ ହାୟର’ ଭଳି ଅଭିନବ ଯୋଜନା ଟିପିଏନଓଡିଏଲ ପକ୍ଷରୁ ଆରମ୍ଭ କରାଯାଇଛି । ବିଭିନ୍ନ ସରକାରୀ ଡିପ୍ଲୋମା କଲେଜର ଇଲେକ୍ଟ୍ରିକାଲ ଟ୍ରେଡ ପିଲାଙ୍କୁ କ୍ୟାମ୍ପସରେ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଟିପିଏନଓଡିଏଲରେ ନିଯୁକ୍ତି ପାଇଁ ପ୍ରଥମିକତା ଦିଆଯାଉଛି । ଏହି ରଣନୀତିକ ପଦକ୍ଷେପ କେବଳ ଓଡିଶାର ଯୁବକମାନଙ୍କ ଦକ୍ଷତା ବୃଦ୍ଧି ନୁହେଁ ବରଂ ରାଜ୍ୟରେ ବିଦ୍ୟୁତ୍ କ୍ଷେତ୍ରର ସାମଗ୍ରିକ ବିକାଶରେ ମଧ୍ୟ ସହାୟକ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/WhatsApp-Image-2024-08-03-at-1.58.39-PM.jpeg)
/kanak/media/post_attachments/wp-content/uploads/2024/08/WhatsApp-Image-2024-08-03-at-1.58.28-PM-1024x506.jpeg)
/kanak/media/post_attachments/wp-content/uploads/2024/08/WhatsApp-Image-2024-08-03-at-1.58.47-PM-1024x682.jpeg)