କନକ ବ୍ୟୁରୋ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଐତିହାସିକ ମହତ୍ୱ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏପ୍ରିଲ ପହିଲାରେ ବାଲେଶ୍ୱର ସ୍ଥିତ ନୋସି କେନ୍ଦ୍ର ଠାରେ ଉତ୍କଳ ଦିବସ ଓ ଏହାର ତୃତୀୟ ପ୍ରତିଷ୍ଠା ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି । ୧୯୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନକୁ ସ୍ମରଣ କରି ପ୍ରତିବର୍ଷ ଏପ୍ରିଲ ପହିଲାରେ ଉତ୍କଳ ଦିବସ ପାଳନ କରାଯାଉଛି ।
ଉତ୍କଳ ଦିବସ ଓ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଟିପିଏନଓଡିଏଲର ସିଇଓ ଦ୍ୱିଜଦାସ ବସାକ ସମସ୍ତ ବରିଷ୍ଠ ପରିଚାଳନା କର୍ତୃପକ୍ଷଙ୍କ ଉପସ୍ଥିତିରେ ଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ଟିପିଏନଓଡିଏଲର ଅନ୍ୟ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉତ୍ସାହୀ କର୍ମଚାରୀମାନେ ଭାଷଣ, ନୃତ୍ୟ, ଗୀତ ଆକାରରେ ପ୍ରଦର୍ଶନ କରିଥିଲେ ।
୨୦୨୧ମସିହାରେ ଏହାର ପ୍ରତିଷ୍ଠା ପରଠାରୁ ଟିପିଏନଓଡିଏଲ୍ ଉଦ୍ଭାବନ ଓ ପ୍ରଗତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଯାହା ଉତର ଓଡ଼ିଶାର ୨୦ ଲକ୍ଷରୁ ଅଧିକ ଗ୍ରାହକଙ୍କ ଜୀବନକୁ ଉଜ୍ଜ୍ୱଳ କରିଥିବା ବେଳେ ବିଭିନ୍ନ ଅଭିନବ ସମାଧାନ ସହିତ ଶକ୍ତି କ୍ଷେତ୍ରରେ ଉଚ୍ଚ ମାନଦଣ୍ଡ ସ୍ଥାପନ କରିଛି ଏବଂ କଠିନ ପରିସ୍ଥିତିରେ ମଧ୍ୟ ନିରବଚ୍ଛିନ୍ନ ସେବା ସୁନିଶ୍ଚିତ କରିଛି । ଟିପିଏନଓଡିଏଲର ଇଞ୍ଜିନିୟରିଂ ସଫଳତା ଏହାର ଅନେକ ରିଭର- କ୍ରସିଂପ୍ରକଳ୍ପ ସହିତ ବୃଦ୍ଧି ପାଇଛି । ଟିପିଏନଓଡିଏଲ ଦ୍ୱାରା ନିଆଯାଇଥିବା ବିଭିନ୍ନ ସବୁଜ ପଦକ୍ଷେପ ୩୦,୦୦୦ରୁ ଅଧିକ ପରିବାରକୁ ବିଦ୍ୟୁତ୍ଶକ୍ତି ପ୍ରଦାନ କରିପାରିଛି ଏବଂ ଅଧିକ ବିଦ୍ୟୁତ୍କରଣ ପାଇଁ ଏହାର ପ୍ରୟାସ ଜାରି ରହିଛି । ଖୁବଶୀଘ୍ର ଏଟିଆଣ୍ଡସି କ୍ଷତିକୁ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭିତିଭୂମି ବିକାଶ ବିଶେଷକରି ସବ୍ଷ୍ଟେସନ ଏବଂ ସେକ୍ସନ ଅଫିସ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଓ ଉନ୍ନତି ସେମାନଙ୍କ ସମର୍ପଣକୁ ଦର୍ଶାଉଛି ।
ଗତ ତିନି ଆର୍ôଥକ ବର୍ଷରେ ଟିପିଏନଓଡିଏଲ୍ ଉଲ୍ଲେଖନୀୟ ବାଣିଜ୍ୟିକ ସଫଳତା ହାସଲ କରିବା ସହ ବିତରଣ କମ୍ପାନିଗୁଡିକ ପାଇଁ ଏକ ମାନଦଣ୍ଡ ସ୍ଥାପନ କରିଛି । କଂପାନି ଗ୍ରାହକଙ୍କ ସନ୍ତୁଷ୍ଟି ପାଇଁ ଉତ୍ସର୍ଗୀକୃତ ରହି ବିଭିନ୍ନ ସୁବିଧା ପ୍ରଦାନ କରୁଛି । ଏହାବ୍ୟତୀତ ଟିପିଏନଓଡିଏଲ୍ କର୍ମଚାରୀ ବିକାଶ ଏବଂ ନିୟୋଜନ, ପ୍ରଶିକ୍ଷଣ, କ୍ୟାରିୟର ଉନ୍ନତି ସୁଯୋଗ ଏବଂ ଏକ ଅଭିନବ ପୋଷଣ ପରିବେଶକୁ ପ୍ରାଥମିକତା ଦେଉଛି ।
ଟିପିଏନଓଡିଏଲ ଏହାର ପ୍ରାଥମିକ କାର୍ଯ୍ୟଠାରୁ ଆଗକୁ ବଢ଼ି ସିଏସଆର ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ କଲ୍ୟାଣକୁ ପ୍ରାଥମିକତା ଦେଉଛି । ଏଥିରେ ୨୫୦୦ ଛାତ୍ରଛାତ୍ରୀଙ୍କ ପାଇଁ ୪ଟି ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା, ୩୦ଟି ମହିଳା ସାକ୍ଷରତା କେନ୍ଦ୍ର ପ୍ରତିଷ୍ଠା ଏବଂ ୫ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର କାର୍ଯ୍ୟକାରୀ କରିବା ଅନ୍ତର୍ଭୁକ୍ତ ରହିଛି । କମ୍ପାନି ପ୍ରାୟ ୩୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସଏଚଜି)କୁ ସମର୍ଥନ କରୁଛି । ଏହାବ୍ୟତୀତ ଟିପିଏନଓଡିଏଲ ବିଭିନ୍ନ ବିଭାଗରେ ୪୦ଟି ଇଲେକ୍ଟ୍ରିକ୍ ଯାନ ପ୍ରଚଳନ କରିବାକୁ ଯୋଜନା କରିଛି ଏବଂ ଶିମିଳିପାଳ ଏବଂ ଯୋଡାରେ ୧୮ଟି ମାଇକ୍ରୋଗ୍ରିଡ୍ ସ୍ଥାପନ କରିଛି ଯେଉଁଥିରୁ ବର୍ତମାନ ୧୬ଟି କାର୍ଯ୍ୟକ୍ଷମ ରହିଛି । ଏହାବ୍ୟତୀତ ଟିପିଏନଓଡିଏଲ୍ ଉତର ଓଡ଼ିଶାରେ ୧୯୦ରୁ ଅଧିକ ରୁଫ୍ ଟପ୍ ସୋଲାର ପ୍ଲାଂଟ୍ ଏବଂ ୩୦୦୦ରୁ ଅଧିକ ସ୍ୱତନ୍ତ୍ର ସୌର ୟୁନିଟ୍ ସ୍ଥାପନ କରିଛି ।
୨୦୨୪ ପ୍ରାରମ୍ଭ ସୁଦ୍ଧା ଟିପିଏନଓଡିଏଲ୍ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଦୁର୍ଗମ ଗ୍ରାମର ୨୩୦୦ରୁ ଅଧିକ ପରିବାରକୁ ଆଲୋକିତ କରି ସେହି ଅଂଚଳରେ ବିଚ୍ଛିନ୍ନତା ହ୍ରାସ କରିଥିବା ବେଳେ ବ୍ୟବସ୍ଥାର ଦକ୍ଷତା ବୃଦ୍ଧି କରିଛି । ବାଲେଶ୍ୱରସ୍ଥିତ ଉନ୍ନତ ପାୱାର ସିଷ୍ଟମ କଂଟ୍ରୋଲ ସେଂଟର (ପିଏସସିସି) ରିୟଲ ଟାଇମ୍ ମନିଟରିଂ ଓ ନିୟନ୍ତ୍ରଣ ପାଇଁ କାର୍ଯ୍ୟକ୍ଷମ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି । ଅଭିନବ ପଦକ୍ଷେପ ମଧ୍ୟରେ ଉଠା ଜଳସେଚନ ପାଇଁ ଡ୍ରୋନ ମିଟର ରିଡିଂ ଏବଂ ଅପହଂଚ ଫିଡରଗୁଡିକର ଥର୍ମାଲ ସ୍କାନିଂ ଅନ୍ତର୍ଭୁକ୍ତ ରହିଛି ।
ଡିଜିଟାଲ ପେମେଂଟ ଉପରେ ଟିପିଏନଓଡିଏଲର ଗୁରୁତ୍ୱ ବୃଦ୍ଧି ପାଇଛି । କମ୍ପାନିର ୩୦% ଗ୍ରାହକ ଏବେ ଡିଜିଟାଲ ମାଧ୍ୟମରେ ବିଲ୍ ପୈଠ କରୁଛନ୍ତି ଯାହା ଭୌତିକ କାରବାରକୁ ହ୍ରାସ କରୁଛି ।
କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଗୁଡ଼ିକ ଉତର ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ ଏବଂ ଟିପିଏନଓଡିଏଲ୍ ସେମାନଙ୍କର ଅନନ୍ୟ ଆବଶ୍ୟକତା ପୂରଣ ପାଇଁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଏବଂ ଉପଯୁକ୍ତ ସମାଧାନ ପ୍ରଦାନ କରି ସେମାନଙ୍କ ଅଭିବୃଦ୍ଧି ଏବଂ ସ୍ଥାୟିତ୍ୱକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ଏହି ଅବସରରେ ଟିପିଏନଓଡିଏଲର ସିଇଓ ଦ୍ୱିଜଦାସ ବସାକ କହିଛନ୍ତି ଯେ, “ଆପଣମାନଙ୍କ ମଧ୍ୟରେ ଆଜି ଏଠାକୁ ଆସି ମୁଁ ଗର୍ବିତ ଏବଂ ଭାଗ୍ୟବାନ । ଉତ୍କଳ ଦିବସ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହାସିକ ପରମ୍ପରାକୁ ସ୍ମରଣୀୟ କରିଛି । ତୃତୀୟ ପ୍ରତିଷ୍ଠା ଦିବସ ସହ ଏହି ଦିବସ ପାଳନ କରୁଥିବା ବେଳେ ଉତର ଓଡ଼ିଶାବାସୀଙ୍କୁ ନିଷ୍ଠା ଓ ଉତ୍କୃଷ୍ଟତାର ସହ ସେବା କରିବା ପାଇଁ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ । ଟିପିଏନ୍ଓଡିଏଲ୍ ଉତର ଓଡ଼ିଶାର ସମୃଦ୍ଧି ଓ ପ୍ରଗତି ଦିଗରେ ଉଦ୍ଭାବନ, ବିକାଶ ଓ ଯୋଗଦାନ ଜାରି ରଖିବ । ମୁଁ ଏଠାରେ ଉପସ୍ଥିତ ସମସ୍ତଙ୍କୁ ଏବଂ ସମଗ୍ର ଟିପିଏନ୍ଓଡିଏଲ୍ ପରିବାରକୁ ଉତ୍କଳ ଦିବସ ଏବଂ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଉଛି ।”
ଟିପିଏନ୍ଓଡିଏଲ୍ କାର୍ଯ୍ୟାଳୟ, ଡିଭିଜନ, ସବ୍ ଡିଭିଜନ ଓ ସର୍କଲ ଅଫିସରେ ଉତ୍କଳ ଦିବସ ପାଳିତ ହେବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏକତା ଓ ଗୌରବର ଭାବନା ଜାଗ୍ରତ ହୋଇଥିଲା ।