କନକ ବ୍ୟୁରୋ: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ) ବିଦ୍ୟୁତ ଆବଣ୍ଟନର ଦାୟିତ୍ଵ ନେଇ ମାତ୍ର କେଇ ବର୍ଷ ମଧ୍ୟରେ ଉତ୍ତର ଓଡ଼ିଶାରେ ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି। ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲାର ବିଦ୍ୟୁତ ଆବଣ୍ଟନ ଦାୟିତ୍ଵ ନେଇଥିବା ଟିପିଏନଓଡିଏଲ ଉପଭୋକ୍ତାଙ୍କ ସ୍ବାର୍ଥରକ୍ଷା ସାଙ୍ଗକୁ ଉତ୍ତମ ସେବା ଓ ନିରାପତ୍ତା ପ୍ରଦାନ କ୍ଷେତ୍ରରେ ଆଶାତୀତ ସଂସ୍କାର ଆସିଥିବା ପରିଲକ୍ଷିତ ହୋଇଛି । ଦାୟିତ୍ୱସମ୍ପନ୍ନ ଅଧିକାରୀ ଓ କର୍ତ୍ତବ୍ୟରତ କର୍ମଚାରୀଙ୍କ ନିଷ୍ଠାପରତା ଯୋଗୁ ସମ୍ପ୍ରତି ୫ ଜିଲାରେ ବିଦ୍ୟୁତ ଉପଭୋକ୍ତା ଆଶ୍ଵସ୍ତି ଅନୁଭବ କରୁଛନ୍ତି ଏଥିରେ ଦ୍ଵିମତ ନାହିଁ।
ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ସମଗ୍ର ଉତ୍ତର ଓଡ଼ିଶାରେ ବେଶ ସୁଧାର ଆସିଥିବା ପରିଲକ୍ଷିତ ହୋଇଛି। ବିଶେଷତଃ ଅତ୍ୟାଧୁନିକ ଓ ବୈଷୟିକ ଜ୍ଞାନକୌଶଳ ବିତରଣ କ୍ଷେତ୍ରରେ ସଂସ୍କାରକୁ ଅଧିକ ସଂଗଠିତ କରିଛି। ଅତ୍ୟାଧୁନିକ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର(ପିଏସସିସି) ‘ସ୍କାଡା’ ଦ୍ଵାରା ୧୧ କେଭିଏ ଓ ୩୩ କେଭିଏ ଗ୍ରୀଡଗୁଡିକ ସଞ୍ଚାଳିତ ହେଉଥିବାବେଳେ ବିତରଣ ବ୍ୟବସ୍ଥାକୁ ଏବେ ଆଧୁନିକରଣ କରାଯିବା ସହ ବୈଷୟିକ ତ୍ରୁଟି ସଜାଡିବା ପ୍ରକ୍ରିୟା ସହଜ ଓ ସରଳ ହୋଇଛି। କେବଲ ଫଲ୍ଟ ଲୋକେଟର, ଅଟୋ ରିକ୍ଲୋଜର, ଟ୍ରଲି ମାଉଣ୍ଟେଡ ଡିଟିଆର, ଭୂତଳ କେବଲ ବ୍ୟବସ୍ଥା, ଡ୍ରୋନ ବେସ ଥର୍ମୋଗ୍ରାଫି ଆଦି ନୂତନ ଅତ୍ୟାଧୁନିକ ବ୍ୟବସ୍ଥା ଗୁଣାତ୍ମକ ବିଦ୍ୟୁତ ସେବା ବିତରଣକୁ ସୁନିଶ୍ଚିତ କରିଛି। ସେହିଭଳି ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଥିବାବେଳେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ-ଲୋଇଟେଜର ସ୍ଥିତି ଆଉ ଆଗ ଭଳି ନାହିଁ ।
ସବୁଠାରୁ ବଡ଼ କଥା ହେଲା, ପୂର୍ବରୁ ସାମାନ୍ୟ ବର୍ଷା ବା ଟିକିଏ ପବନରେ ସହରଠାରୁ ଗ୍ରାମଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ହେଉଥିଲା। ଏବେ ବିଦ୍ୟୁତ କାଟ ବହୁ ମାତ୍ରାରେ ହ୍ରାସ ପାଇଛି । ଉପଭୋକ୍ତାଙ୍କ ସଂଖ୍ୟା ଓ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଟ୍ରାନ୍ସଫର୍ମର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଉଲ୍ଲେଖନୀୟ ବିଷୟ ହେଲା, ପୂର୍ବରୁ ବିପଦଜନକ ସ୍ଥିତିରେ ଥିବା ବିଦ୍ୟୁତ ସବ-ଷ୍ଟେସନ ଓ ଟ୍ରାନ୍ସଫର୍ମରଗୁଡ଼ିକର ଏବେ ରୂପାନ୍ତରଣ ହୋଇଛି। ଗୃହପାଳିତ ପଶୁପକ୍ଷୀଙ୍କ ସମେତ ପିଲାଛୁଆ କେହି ଯେମିତି ଏହାର ସଂସ୍ପର୍ଶରେ ନ ଆସିବେ, ସେଥିପାଇଁ ପ୍ରତ୍ୟେକ ଟ୍ରାନ୍ସଫର୍ମରକୁ ପକ୍କା ପ୍ରାଚୀର କିମ୍ବା ଶକ୍ତ ତାର ଜାଲି ଦ୍ବାରା ଆବଦ୍ଧ କରାଯାଇଛି। ୧୧ କେଭିଠାରୁ ଆରମ୍ଭ କରି ଏଲଟି ତଥା ୩୩ କେଭି ପର୍ଯ୍ୟନ୍ତ ବିଦ୍ୟୁତ ତାର ଓ ଖୁଣ୍ଟଗୁଡ଼ିକ ଆଦି ଭିତ୍ତିଭୂମି କ୍ରମଶଃ ସଶକ୍ତ ହେବାରେ ଲାଗିଛି। ସେହିଭଳି ଖୁଣ୍ଟ ଗୁଡ଼ିକ ମୂଳକୁ କଂକ୍ରିଟ କରାଯାଇଛି। ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ଟିମ କାର୍ଯ୍ୟ କରୁଛନ୍ତି । ଏବେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଦ୍ୟୁତ ତାର ଓହଳି ପଡିନି କି ଗଛର ଡାଳ ପଡ଼ି ଫ୍ୟୁଜ ଯାଉନି। ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟ୍ରାନ୍ସଫର୍ମର ସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଦ୍ୟୁତ ଷ୍ଟ୍ରକଚର ମଧ୍ୟ ବୃଦ୍ଧି ହୋଇଛି। ଅନୁରୂପ ଭାବେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି, ବିଭିନ୍ନ କାର୍ଯ୍ୟ ପାଇଁ କିଛି ଠିକା ସଂସ୍ଥାକୁ ନିୟୋଜନ କରାଇଥିବା ବେଳେ କର୍ମଚାରୀ ଓ କ୍ଷେତ୍ର ଶ୍ରମିକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ସମସ୍ତ କର୍ମଚାରୀ ଓ ଶ୍ରମିକଙ୍କୁ ନିରାପତ୍ତା ଉପକରଣ ଯୋଗାଇ ଦିଆଯାଉଛି। ସମସ୍ତଙ୍କୁ ସ୍ବତନ୍ତ୍ର ଶିବିର ଦ୍ବାରା ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ଫଳରେ ଏବେ ଦୁର୍ଘଟଣା ହ୍ରାସ ପାଇଛି। ବୈଷୟିକ ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ଦ୍ଵାରା ସମସ୍ତ ବିଦ୍ୟୁତ ବିତରଣ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି।
ଅପରପକ୍ଷେ ସିଏସଆର ବିନିଯୋଗ କ୍ଷେତ୍ରରେ ମଧ୍ୟ ‘ଟିପିଏନଓଡିଏଲ’ ଗୁରୁଦାୟିତ୍ଵ ବହନ କରୁଛି। ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ଶିକ୍ଷାଦାନ, ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଶିକ୍ଷଣ, ନିରକ୍ଷର ମହିଳାମାନଙ୍କୁ ଶିକ୍ଷାଦାନ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡିର ବ୍ୟବସ୍ଥା କରିଛି। ଯାହାକି ଟିପିଏନଓଡ଼ିଏଲକୁ ଏକ ନୂଆ ପରିଚୟ ଦେଇଛି। ତେବେ ସଂସ୍ଥାର ଅଧିକାରୀଙ୍କଠାରୁ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା ଓ ସହଯୋଗୀ ମନୋଭାବ ଏବଂ ଜନସାଧାରଣଙ୍କ ସହଯୋଗରୁ ବାଲେଶ୍ବର ସମେତ ସମଗ୍ର ଉତ୍ତର ଓଡ଼ିଶାରେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଏହି ସଂସ୍କାର ଓ ସଫଳତା ସମ୍ଭବ ହୋଇଛି ବୋଲି ଟିପିଏନଓଡିଏଲ ଦର୍ଶାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/WhatsApp-Image-2024-07-03-at-12.38.45-PM.jpeg)