୮ଦିନ ଭିତରେ ଅଟକିଗଲା ନନ୍ଦନକାନନର ଟୟ ଟ୍ରେନ୍ । ଚାଲୁଥିବା ସମୟରେ ଲାଗିଯାଇଥିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପର୍ଯ୍ୟଟକ ।

144

କନକ ବ୍ୟୁରୋ : ନନ୍ଦନକାନନରେ ନୂଆରେ ଆରମ୍ଭ ହୋଇଥିବା ଟୟ ଟ୍ରେନ୍ ପୁଣି ଅଚଳ ହୋଇଯାଇଛି । ଗତକାଲି ଟ୍ରେନର ଇଂଜିନରେ ଅଗ୍ନିକାଣ୍ଡ ଘଟିବାରୁ ଟୟ ଟ୍ରେନକୁ ବନ୍ଦ କରିଦିଆଯାଇଛି । ତେବେ ଅକ୍ଟୋବର ୮ ତାରିଖରେ ଲୋକାର୍ପିତ ହୋଇଥିବା ଟୟ ଟ୍ରେନ ୮ ଦିନ ଠିକରେ ଚାଲିନପାରିବା, ଅନେକ ସନ୍ଦେହ ସୃଷ୍ଟି କରିଛି । କୋଟି କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ଟୟ ଟ୍ରେନରେ ଏହି ଅଘଟଣ ପାଇଁ କିଏ ଦାୟୀ ହେବ, ନନ୍ଦନକାନନ କର୍ତୃପକ୍ଷ ନା ଟୟ ଟ୍ରେନ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ।

ଗତ ୮ତାରିଖରେ ନନ୍ଦନକାନନରେ ଟୟ ଟ୍ରେନର ଶୁଭାରମ୍ଭ କରିଥିଲେ ମନ୍ତ୍ରୀ । ଦୀର୍ଘ ୭ ବର୍ଷ ବନ୍ଦ ରହିଥିବା ଟୟ ଟ୍ରେନ ପୁଣି ଗଡିଥିଲା । ହେଲେ ଲୋକାର୍ପଣ ପରେ ୮ ଦିନ ମଧ୍ୟ ଚାଲିପାରିଲା ନାହିଁ ଏହି ଟୟ ଟ୍ରେନ ।

ଟୟ ଟ୍ରେନ ଇଞ୍ଜିନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ । ଗତ ଶୁକ୍ରବାର ପର୍ଯ୍ୟଟକଙ୍କୁ ନେଇ ଟୟ ଟ୍ରେନ ଯାତ୍ରା କରୁଥିବା ବେଳେ ନିଆଁ ଲାଗିଯାଇଥିଲା ଇଂଜିନରେ । ଟ୍ରେନ ଇଂଜିନରେ ଲାଗିଥିବା ନିଆଁ ବ୍ୟାଟେରି ବଗିକୁ ବ୍ୟାପିଯାଇଥିଲା । ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତି ଯାଇଛନ୍ତି ପର୍ଯ୍ୟଟକ । ଟ୍ରେନ ଇଂଜିନର ବହୁ ସରଞ୍ଜାମ ନିଆଁରେ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଯାନ୍ତ୍ରିକ ସମସ୍ୟା ଦେଖା ଦେବାରୁ ଟୟ ଟ୍ରେନ ସେବା ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ କୁମାର ।

ଦୁର୍ଘଟଣାର ଦିନକ ପରେ ନନ୍ଦନକାନନରେ ଟୟ ଟ୍ରେନ ଚଳାଚଳ ଦାୟିତ୍ୱରେ ଥିବା ରାଇଟସ ସଂସ୍ଥାର ଇଂଜିନିୟରମାନେ ଯାଂଚ କରିଛନ୍ତି । ତେବେ ଇଂଜିନରେ ବଡ ସମସ୍ୟା ଥିବାରୁ ତୁରନ୍ତ ମରାମତି କରାଯାଇନଥିବା ସୂଚନା ମିଳିଛି । ତେଣୁ ପ୍ରଶ୍ନ ଉଠୁଛି
– ଚଳାଚଳର ମାତ୍ର ୮ ଦିନ ପରେ ଟୟ ଟ୍ରେନର ଇଂଜିନରେ କେମିତି ନିଆଁ ଲାଗିଲା ?
– ଏଥି ପାଇଁ ଦାୟୀ କିଏ ହେବ, ନନ୍ଦନକାନନ କର୍ତ୍ତୃପକ୍ଷ ନା ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ?
– କୋଟି କୋଟି ଟଙ୍କା ବ୍ୟୟରେ ଆସିଥିବା ଟୟ ଟ୍ରେନର ମାନ ଉପରେ ସନ୍ଦେହ !
– କେବଳ ଦୁର୍ଘଟଣା ଥିଲା ନା ନିମ୍ନମାନର ଯନ୍ତ୍ରପାତି ଯୋଗୁଁ ଘଟିଲା ଅଘଟଣ ?

ଗତ ୮ତାରିଖରେ ନନ୍ଦନକାନନର ୬୬ତମ ବନ୍ୟପ୍ରାଣୀ ସପ୍ତାହ ଉତ୍ସବ ଅବସରରେ ଏହି ଟୟ ଟ୍ରେନର ଶୁଭାରମ୍ଭ କରାଯାଇଥିଲା । ତେବେ ମନ୍ତ୍ରୀ ଆସି ଉଦଘାଟନ କରିବାର କିଛି ସମୟ ପୂର୍ବରୁ ଅସ୍ତବ୍ୟସ୍ତ ହୋଇପଡିଥିଲେ ଟ୍ରେନ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀ । କାରଣ ଉଦଘାଟନ ପୂର୍ବରୁ ଗଡିନଥିଲା ଟ୍ରେନ । ଅସ୍ଥାୟୀ ଭାବେ ଆଉ ଏକ ବ୍ୟାଟେରୀକୁ ସଂଯୋଗ କରି କାମ ଚଳାଇ ନିଆଯାଇଥିଲା । ସେହି ଦିନଠୁ ଜଣାପଡୁଥିଲା, ଟୟ ଟ୍ରେନରେ କୌଣସି ସମସ୍ୟା ରହିଛି ନଚେତ ନିମ୍ନମାନର ଯନ୍ତ୍ରପାତି ବ୍ୟବାହର କରାଯାଇଥିଲା ।