ଅସ୍ତରଙ୍ଗରେ ବିଷ ମାଛର ଛାନଭିନ୍ : ନମୂନା ସଂଗ୍ରହ କଲେ ୪ଜଣିଆ ଟିମ୍

21

କନକ ବ୍ୟୁରୋ : ବିଷ ମାଛର ତଦନ୍ତ । ମାଛକୁ ତଟକା ରଖିବା ଲାଗି ଫର୍ମାଲ ଡିହାଇଡ୍ ଭଳି ସାଂଘାତିକ ରାସାୟନିକ ପଦାର୍ଥ ମିଶା ଯାଉଥିବା ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଛି ଯାଂଚ । ପୁରୀ ସହକାରୀ ମତ୍ସ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ କରିଛନ୍ତି ଧରପଗଡ଼ । ଅସ୍ତରଙ୍ଗ ହାଟ, ମାଛଧରା ବନ୍ଦର ଏବଂ ବିଭିନ୍ନ ଗୋଦାମରେ ଚଢାଉ କରି ମାଛକୁ ଯାଂଚ କରିବା ସହ ନମୂନା ସଂଗ୍ରହ କରିଛନ୍ତି । ଜିଲ୍ଲା ମତ୍ସ୍ୟ ବିଭାଗ ସହ ଅସ୍ତରଙ୍ଗ ଥାନା ଓ ସାମୁ୍ଦ୍ରିକ ଥାନା ପୁଲିସ ଏହି ଚଢାଉରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ ସିଫାରେ ମାଛରେ ରାସାୟନିକ ପ୍ରଲେପ ଦିଆଯାଇଛି କି ନାହିଁ ନମୂନା ପରୀକ୍ଷା ପରେ ସତ ସାମନାକୁ ଆସିବ । ଯଦି ପ୍ରମାଣ ମିଳେ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ ।

ଅସ୍ତରଙ୍ଗ ସମୁଦ୍ରରୁ ମାଛ ମାରି ଆଣୁଥିବା ବ୍ୟବସାୟୀ ଏହାକୁ ଦୀର୍ଘଦିନ ତାଜା ରଖିବା ପାଇଁ ଫର୍ମାଲ ଡିହାଇଡ ନାମକ ଏକ ମାରାତ୍ମକ ରାସାୟନିକ ପଦାର୍ଥ ବ୍ୟବହାର କରୁଥିବା ନେଇ କନକ ନ୍ୟୁଜକୁ ସୂଚନା ମିଳିଥିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତା ପଶିଛି ପ୍ରଶାସନର ।

ମାଛକୁ ତଟକା ରଖିବା ପାଇଁ ଫର୍ମାଲ ଡିହାଇଡ୍ ବ୍ୟବହାର ହେଉଥିବା ଅଭିଯୋଗ ହୋଇଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି କେମିକାଲ ମୃତଦେହକୁ ସଂରକ୍ଷଣ କରିବାକୁ ବ୍ୟବହାର ହୁଏ । ଅର୍ଥାତ ମଣିଷ ମରିବା ପରେ ତାର ମୃତଦେହ ଯେପରି ଶଢିନଯାଏ, ସେଥିପାଇଁ ଏହି କେମିକାଲ ଦେଇ ସଂରକ୍ଷିତ କରାଯାଏ । କମ୍ ମୂଲ୍ୟରେ ମିଳୁଥିବା ଏହି କେମିକାଲ ଅଧିକ ପରିମାଣର ମାଛ ସଂରକ୍ଷିତ ରଖିବାକୁ ସକ୍ଷମ ହୋଇଥିବାରୁ ଅସାଧୁ ମାଛ ବ୍ୟବସାୟୀ ଏହାକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା ।