ଆଜିଠାରୁ ଇକୋ ରିଟ୍ରିଟରେ ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବଙ୍କ ଜାତୀୟ ସମ୍ମୀଳନୀ । ଦୁଇ ଦିନିଆ ସମ୍ମିଳନୀରେ ଦେଶର ପର୍ଯ୍ୟଟନର ବିକାଶ ପାଇଁ ହେବ ମାନସ ମନ୍ଥନ

51

କନକ ବ୍ୟୁରୋ : ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ମାନଙ୍କ ସମ୍ମିଳନୀ ଆଜିଠାରୁ ମେରାଇନ୍ ଡ୍ରାଇଭର ଇକୋ ରିଟ୍ରିଟ୍ ପରିସରରେ ଆରମ୍ଭ ହେଉଛି । ଏହା ଦୁଇ ଦିନ ଧରି ଚାଲିବ । ଏଥିରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବେ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଯୋଗ ଦେବେ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି । ଆସନ୍ତାକାଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଯୋଗ ଦେବେ । ଏହି ଦୁଇ ଦିନିଆ ସମ୍ମିଳନୀରେ ସାରା ଦେଶର ପର୍ଯ୍ୟଟନର ବିକାଶ ପାଇଁ ମାନସ ମନ୍ଥନ ହେବ ।

ପୂର୍ବ ଭାରତରେ ପ୍ରଥମ ଥର ପାଇଁ ବେଳାଭୂମିରେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବାରୁ ଏବଂ ସେଠାରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ମାନଙ୍କ ସମ୍ମିଳନୀ ହେଉଥିବାରୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଓଡିଶା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇବାର ସମ୍ବାବନା ସୃଷ୍ଟି ହୋଇଛି । ଇକୋ ରିଟ୍ରିଟରେ ମନ୍ତ୍ରୀ ଓ ସଚିବମାନଙ୍କ ରହିବାର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନକୁ ଏକ ନୂଆ ପରିଚୟ ମିଳିବ ବୋଲି ଆଶା କରାଯାଉଛି ।