ପର୍ଯ୍ୟଟନ ସ୍ଥଳିରେ କମୁଛି ପର୍ଯ୍ୟଟକଙ୍କ ଭିଡ: ପୁରୀ ବେଳାଭୂମୀ ଖାଁ ଖାଁ…୨ ଦିନ ଭିତରେ ଶ୍ରୀକ୍ଷେତ୍ର ଛାଡିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ; ଜନଶୂନ୍ୟ ପାଲଟିଲା ସୂର୍ଯ୍ୟ ମନ୍ଦିର

195

କନକ ବ୍ୟୁରୋ: ପୁରୀ ଛାଡିବେ ବିଦେଶୀ ପର୍ଯ୍ୟଟକ । କରୋନା ପାଇଁ ସୁରକ୍ଷା ଦୃଷ୍ଟିରୁ ଆଗାମୀ ୨ ଦିନ ଭିତରେ ସବୁ ପର୍ଯ୍ୟଟକଙ୍କୁ ଶ୍ରୀକ୍ଷେତ୍ର ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି । ୪୮ ଘଂଟା ଭିତରେ ହୋଟେଲ ଖାଲି କରିବା ପାଇଁ ପର୍ଯ୍ୟଟକଙ୍କୁ କୁହାଯାଇଛି । ସେପଟେ କୋଣାର୍କର ସୂର୍ଯ୍ୟ ମନ୍ଦିର ବନ୍ଦ ଯୋଗୁଁ ଜନଶୂନ୍ୟ ହୋଇପଡିଛି ଅର୍କକ୍ଷେତ୍ର । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା ମନ୍ଦିରରେ ମଧ୍ୟ କରୋନା କଟକଣା ଜାରି ହୋଇଛି ।

ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ମହାମାରୀ କରୋନା ଭୂତାଣୁ ଭୟରେ ପର୍ଯଟକ ଶୂନ୍ୟ ହେବ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରକୁ ଅଳ୍ପ ସଂଖ୍ୟକ ଭକ୍ତ ପ୍ରବେଶ କରୁଛନ୍ତି । ଉପଯୁକ୍ତ ଯାଂଚ କରାଯାଇ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । ତେବେ ସୁରକ୍ଷା ଦୃଷ୍ଟିରୁ ଆଗାମୀ ୨ ଦିନ ଭିତରେ ସବୁ ପର୍ଯ୍ୟଟକଙ୍କୁ ଶ୍ରୀକ୍ଷେତ୍ର ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି । ହୋଟେଲ ଖାଲି କରିବା ପାଇଁ ପର୍ଯ୍ୟଟକଙ୍କୁ କୁହାଯାଇଛି । ଆଗୁଆ ହୋଟେଲ ବୁକ୍ କରିଥିବା ପର୍ଯ୍ୟଟକଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ପୁରୀ ହୋଟେଲ ସଂଘ ନିଷ୍ପତି ନେଇଛି ।

 

କାକଟପୁରର ଅଧିଷ୍ଠାତ୍ରୀ ଦେବା ମାଆ ମଙ୍ଗଳା ମନ୍ଦିରରେ କରୋନା କଟକଣା । ମାଙ୍କ ଦ୍ୱିତୀୟ ପାଳି ଝାମୁଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମ କମିଛି । ଯେତିକି ଶ୍ରଦ୍ଧାଳୁ ଆସିଛନ୍ତି ସେମାନେ ହ୍ୟାଣ୍ଡୱାସ୍ରେ ହାତ ମୁହଁ ଧୋଇ ମୁହଁରେ ମାସ୍କ ପିନ୍ଧି ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ । କେବଳ ଶ୍ରଦ୍ଧାଳୁ ନୁହନ୍ତି, ସେବାୟତମାନେ ମଧ୍ୟ ମାସ୍କ ପିନ୍ଧି ପୂଜା କରୁଥିବା ଦେଖିବାକୁ ମିଳିଛି । ଏହାସହ କାକଟପୁରରୀ ମହିଳାମାନେ ଗାଁ ଦାଣ୍ଡରେ ମାସ୍କ ପିନ୍ଧି ପନ୍ଥେଇ ପୂଜା କରିଛନ୍ତି ।

ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଓ ଚନ୍ଦ୍ରଭାଗା ଖାଁ ଖାଁ । କରୋନା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ପରେ ସବୁ ହୋଟେଲ, ଦୋକାନ ବଜାର ବନ୍ଦ ରହିଛି । ପର୍ଯ୍ୟଟକ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି । ଏଏସଆଇ ପକ୍ଷରୁ ସୂର୍ଯ୍ୟମନ୍ଦିରକୁ ଅନିଦ୍ଦିଷ୍ଟ କାଳ ଲାଗି ବନ୍ଦ କରାଯାଇଥିବା ବେଳେ ଟୁରିଷ୍ଟ ବସ ଚଳାଚଳ ଉପରେ ମଧ୍ୟ ରୋକ ଲାଗିଛି । ସୁର୍ଯ୍ୟ ମନ୍ଦିର ବନ୍ଦ ଯୋଗୁଁ ଜନଶୂନ୍ୟ ହୋଇପଡିଛି ଅର୍କକ୍ଷେତ୍ର ।

କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ଲୋକେ କିଭଳି ଏକତ୍ରିତ ହେବେ ନାହିଁ ସେଥିପାଇଁ ବିଭିନ୍ନ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ଫଳରେ ପର୍ଯ୍ୟଟନସ୍ଥଳି ବିଶେଷ ଭାବେ ପ୍ରଭାବିତ ହୋଇଛି ।