ଆସ ବୁଲି ଯିବା ଉର୍ମାଗଡ ଜଳପ୍ରପାତ । ଫୁଲବାଣୀ ଠାରୁ ୨୦ କିମି ଦୂରରେ ଥିବା ଜଳପ୍ରପାତରେ ଜମୁଛି ପର୍ଯ୍ୟଟକଙ୍କ ଭିଡ, ହେଲେ ବଣଭୋଜି ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ବଢୁଛି ଅସନ୍ତୋଷ ।

277

କନକ ବ୍ୟୁରୋ : ଉର୍ମାଗଡ ଜଳପ୍ରପାତ । ଓଡିଶାର ପର୍ଯ୍ୟଟନର ମାନଚିତ୍ରରେ ସ୍ଥାନ ପାଇନାହିଁ ଏହି ସ୍ଥାନ । କିନ୍ତୁ ପାହାଡ ପର୍ବତ ଘେରା ଘଂଚ ଜଙ୍ଗଲ ମଧ୍ୟରେ ଥିବା ସ୍ଥାନକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ରାଜ୍ୟର ପର୍ଯ୍ୟଟକ । ଝରଣାର କୁଳୁକୁଳୁ ନାଦ ସହ ଜଳପ୍ରପାତର ଭୀଷଣ ଗର୍ଜନ ସମସ୍ତଙ୍କ ମନ ମୋହୁଛି । ପ୍ରତିବର୍ଷ ନଭେମ୍ବରରୁ ଫେବୃୟାରୀ ମାସ ଯାଏଁ ଭୋଜିର ଆସର ଜମୁଛି ଉର୍ମାଗଡ ଜଳ ପ୍ରପାତରେ ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ କଟ୍ରିଙ୍ଗିଆ ପଞ୍ଚାୟତରେ ରହିଛି ଉର୍ମାଗଡ ଜଳପ୍ରପାତ । ଏଠାକୁ ବଣଭୋଜି କରିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରଥମେ ଫୁଲବାଣୀ ଯିବାକୁ ପଡିବ । ସେଠାରୁ ଠିକ୍ ୨୨ କିଲୋମିଟର ଯିବା ପରେ ପଡିବ ଉର୍ମାଗଡ । ଘଞ୍ଚ ଜଙ୍ଗଲ ମଧ୍ୟରେ ଜଳ ପ୍ରପାତ । ଯାହାର ସୌନ୍ଦର୍ଯ୍ୟ ଯିଏ ଦେଖିଛି ସେ ବାରମ୍ବାର ଆସିବାକୁ ଇଚ୍ଛା କରିଛି ।

ଦୂର ଦୁରାନ୍ତରରୁ ଏଠାକୁ ପର୍ଯ୍ୟଟକ ଆସନ୍ତି । ହେଲେ ଏଠାରେ ଆନୁସଙ୍ଗିକ ସୁବିଧା ନଥିବାରୁ ନିରାସ ହୁଅନ୍ତି ପର୍ଯ୍ୟଟକ । ଏହି ପର୍ଯ୍ୟଟନ ସ୍ଥଳିରେ ଲାଇଟ୍, ପାନୀୟଜଳ, ବିଶ୍ରାମଗାର, ଶୌଚାଳୟ ନଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରନ୍ତି । କନ୍ଧମାଳର ଉର୍ମାଗଡ ଜଳପ୍ରପାତକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ହାତକୁ ନେଇ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ସହ ଏହାର ଉନ୍ନତିକରଣ କଲେ ଆହୁରି ଅଧିକ ପର୍ଯ୍ୟଟକ ଆସିବା ସହ ରାଜସ୍ୱ ବଢିବ ବୋଲି ଦାବି କରିଛନ୍ତି ପର୍ଯ୍ୟଟକ ।