ପର୍ଯ୍ୟଟନ ଋତୁରେ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ୪୭ ବର୍ଷିୟ ପ୍ରସିଦ୍ଧ କୁମ୍ଭୀର ଗୋରୀ’କୁ ଦେଖିବାକୁ ଲାଗୁଛି ଗହଳି

105

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ପ୍ରକୃତିର ଗନ୍ତାଘର, ଶରୀସୃପଙ୍କ ଅଦ୍ୱିତୀୟ ଭୂସ୍ୱର୍ଗ କୁହାଯାଉଥିବା ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି । ଦୀର୍ଘ ୮ମାସ ଧରି ବନ୍ଦ ରହିବା ପରେ କୋଭିଡ କଟକଣା ଭିତରେ ଖୋଲିଛି ଭିତରକନିକା । ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନର ପ୍ରାକୃିତ ସୌନ୍ଦଯ୍ୟର ମଜା ଉଠାନ୍ତି । ବୁଲାବୁଲି ଭିତରେ ଭିତରକନିତା ଆବଦ୍ଧ ପୋଖରୀରେ ନିଃସଙ୍ଗ ଜୀବନ ବିତାଉ ଥିବା ଶଙ୍ଖୁଆ କୁମ୍ଭୀର ଗୋରୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଗୋରୀକୁ ଦେଖିବା ସହ ଗୋରୀ ଓ ତା ବନ୍ଧୁ ଯଶବନ୍ତଙ୍କୁ ସଂପର୍କକୁ ନେଇ ଆଶ୍ଚଯ୍ୟ ହୁଅନ୍ତି ପର୍ଯ୍ୟଟକ ।

ମଣିଷ ଡାକିବ, କୁମ୍ଭୀର ଶୁଣିବ! ଶୁଣିବ କ’ଣ ଶୁଣୁଛି, ପାଖକୁ ଆସି ଖାଦ୍ୟ ଖାଉଛି, ଆଉ ପର୍ଯ୍ୟଟକଙ୍କ ମନ ଜିଣୁଛି । ଭିତରକନିକାର କୁମ୍ଭୀର ଗୋରୀ-ମଣିଷର ସଂପର୍କ ଦେଖି ପର୍ଯ୍ୟଟକ ଆଶ୍ଚଯ୍ୟ ହେଉଛନ୍ତି । ୪୭ ବର୍ଷ ହେବ ଭିତରକନିକାର ଏକ ଆବଦ୍ଧ ପୋଖରୀରେ ଏକାକି ରୁହେ ଧଳା ବଉଳା କୁମ୍ଭୀର ଗୋରୀ । ଆବଦ୍ଧ ପୋଖରୀରେ ଲୁଚି ରହିଥିବା ଶଙ୍ଖୁଆ କୁମ୍ଭୀର ଗୋରୀଙ୍କୁ ଦେଖିବା ପାଇଁ ଯେତେବେଳେ ପର୍ଯ୍ୟଟକମାନେ ଚାହାନ୍ତି, ସେତେବେଳେ ଗୋରୀର ବନ୍ଧୁ ଯଶୋବନ୍ତଙ୍କ ଖୋଜାପଡେ । ଯଶୋବନ୍ଦ ପୋଖରୀ ପାଖରେ ଗୋରୀକୁ ଡାକନ୍ତି, ତାଙ୍କ ଡାକ ଶୁଣି ଗୋରୀ ପାଣିରୁ ପଦାକୁ ଆସେ, ଆଉ ଯଶୋବନ୍ତଙ୍କ ଠାରୁ ଖାଦ୍ୟ ଖାଇ ପର୍ଯ୍ୟଟକଙ୍କୁ ଦେଖା କରି ପୁଣି ପାଣି ଭିତରକୁ ଚାଲିଯାଏ ।

ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡଃ. ଏଚ୍.ଆର୍.ବଷ୍ଟାର୍ଡ ଭିତରକନିକାରେ କୁତ୍ରିମ ଉପାୟରେ ବଉଳା କୁମ୍ଭୀରମାନଙ୍କ ବଂଶବିସ୍ତାର ପାଇଁ ପଦକ୍ଷେପ ନେଇଥିଲେ । କାଳିଭଂଜଡିଆ ଦ୍ୱୀପରୁ ୨୫ଟି ଅଣ୍ଡା ସଂଗ୍ରହ କରିଥିଲେ । କୃତ୍ରିମ ଉପାୟରେ ୪୫ଦିନ ପରେ ସେଥିରୁ ୧୧ଟି କୁମ୍ଭୀର ଶାବକ ଜନ୍ମ ନେଇଥିଲେ । ସେମାନଙ୍କ ମଧ୍ୟରେ ଥିଲା ଶଙ୍ଖ ଭଳି ଧଳା ଦେଖାଯାଉଥିବା ଗୋଟିଏ ମାଇ କୁମ୍ଭୀର । ଯାହାର ନାମ ରଖାଯାଇଛି ଗୋରୀ । ଆଉ ସେବେଠାରୁ ଗୋରୀର ଅଭିଭାବକ ଭାବେ ଦାୟୀତ୍ୱ ତୁଲାଉଛନ୍ତି ବନରକ୍ଷୀ ଯଶୋବନ୍ତ ବେହେରା ।

ଯୁଗ ଯୁଗ ଧରି ଖାଦ୍ୟ ଓ ଖାଦକର ସଂପର୍କ ରହି ଆସୁଥିବା ବେଳେ ଯଶୋବନ୍ତ ଓ ଗୋରୀର ସଂପର୍କ କିନ୍ତୁ ନିଆରା । ଦୀର୍ଘ ୪୭ ବର୍ଷ ଭିତରେ ଗୋରୀ ଜୀବନରେ ଅନେକ ବନ କର୍ମଚାରୀ ଆସିଛନ୍ତି । କିନ୍ତୁ ବନରକ୍ଷୀ ଯଶୋବନ୍ତଙ୍କ ସହ ଗୋରୀର ସଂପର୍କକୁ ଦେଖି ଚକିତ ହୁଅନ୍ତି ପର୍ଯ୍ୟଟକ ।