କନକ ବ୍ୟୁରୋ : ପିକନିକ୍ ଋତୁ ଆସିଲେ ବଣଭୋଜି କରିବାକୁ ମୟୂରଭଂଜ ଜିଲ୍ଲାକୁ ପ୍ରଥମେ ପସନ୍ଦ କରନ୍ତି ପର୍ଯ୍ୟଟକ । ବଣପାହାଡ ଘେଣା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୂରଭଂଜର ଖାଣ୍ଡିଆ ଜଳପ୍ରପାତ । ସୁଉଚ୍ଚ ପର୍ବତ ମାଳାରୁ କୁଳୁ କୁୁ ନାଦରେ ଝରି ଆସୁଥିବା ଏହି ଜଳପ୍ରପାତର ଦୃଶ୍ୟ ଅନନ୍ୟ । ସବୁଜିମା ଭିତରେ ଜଳପ୍ରପାତ ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ଏହି ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହ ବଣଭୋଜି କରିବାକୁ ଦୂରଦୂରାନ୍ତରୁ ଆସୁଛନ୍ତି ପର୍ଯ୍ୟଟକ ମାନେ । ସୁଉଚ୍ଚ ପ୍ରର୍ବତ ମାଳା ଓ ସବୁଜିମା ଭିତରେ ବୁଲିବା ସହ ସେଲଫି ନେବାକୁ ବି ଭୁଲୁନାହାନ୍ତି ବୁଲୁଆସୁଥିବା ପର୍ଯ୍ୟଟକ । ଏହି ସ୍ଥାନରେ ବର୍ଷ ତମାମ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ ବୁଲିଆସୁଥିବା ଲୋକେ ବି ଜାଗା ଛାଡିଯବାକୁ ମନ କରନ୍ତି ନାହିଁ ।
ମନୋରମ ପରିବେଶ ଭିତରେ ଜଳପ୍ରପାତ ପାଖରେ ପୂଜା ପାଆନ୍ତି ଖାଣ୍ଡିଆ ଠାକୁର । ଖାଣ୍ଡିଆ ଠାକୁରଙ୍କୁ ପୂଜା କଲେ ପରିବାରର ସୁଖଶାନ୍ତି ସହ ମନସ୍କାମନା ପୁର୍ଣ୍ଣ ହେବାର ରହିଛି ବିଶ୍ୱାସ । ତେବେ ଏହି ପର୍ଯ୍ୟଟନସ୍ଥଳୀର କିଛି ବିକାଶ ପଇଁ ବହୁବାର ଲୋକେ କହିଛନ୍ତି । ଭଲ ରାସ୍ତାଟି ସହ ଆଉ କିଛି ସବୁିଧା କରାଯାଇପାରିଲେ ପର୍ଯ୍ୟଟକ ମାନେ ସୁବିଧାରେ ବୁଲିବା ସହ ଭୋଜିଭାତର ମଜା ଉଠାଇପାରିବେ ।
ମନୋରମ ପରିବେଶ ଭିତରେ ରହିଥିବା ଏହି ଖାଣ୍ଡିଆ ଜଳପ୍ରପାତ ଜିଲ୍ଲାର ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ଏବେ ପର୍ଯ୍ୟଟକଙ୍କ ପାଲଟିଛି ସେଲଫି ପଏଂଟ ।