ସମୁଦ୍ର ଆଁରେ ଲିନ ହୋଇଯିବ କି କେନ୍ଦ୍ରାପଡ଼ାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ହବାଳିଖଟି । ସାତଭାୟା ଠାରୁ ଏକକୂଳା ଯାଏଁ ତାଣ୍ଡବ ରଚୁଛି ସମୁଦ୍ର
କନକ ବ୍ୟୁରୋ : କୂଳ ଲଂଘୁଛି ସମୁଦ୍ର, ବିପଦରେ ପର୍ଯ୍ୟଟନସ୍ଥଳୀ । ଭିତରକନିକା ବୁଲି ଆସୁଥିବା ପର୍ଯ୍ୟଟକମାନେ ହବାଳିଖଟିରେ ରାତ୍ରିଯାପନ କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏଠାରେ ସୁନ୍ଦର ସୁନ୍ଦର କଟେଜ ନିର୍ମାଣ କରାଯାଇଛି । ଜଳବାୟୁ ପରିବର୍ତନ ଯୋଗୁଁ ଗତ ୧୦ବର୍ଷ ମଧ୍ୟରେ ସାତଭାୟାରୁ ଏକକୂଳା ମଧ୍ୟରେ ଥିବା ପ୍ରାୟ ୧ ଲକ୍ଷରୁ ଅଧିକ ଗଛ ସମୁଦ୍ର ଗର୍ଭରେ ଲିନ ହେଲାଣି । ଏହାସହ ପର୍ଯ୍ୟଟନସ୍ଥଳୀ ହବାଳିଖଟିର ଅନେକାଂଶ ସମୁଦ୍ରରେ ମିଶିଗାଣି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ପୂର୍ବରୁ ସମୁଦ୍ର ୫ଶହ ମିଟର ପଛକୁ ଥିଲା । ୨/୩ ବର୍ଷ ହେଲା ସମୁଦ୍ର ଧିରେ ଧିରେ କୂଳ ଲଂଘି ଏହି ପର୍ଯ୍ୟଟନସ୍ଥଳୀରେ ନିର୍ମାଣ ହୋଇଥିବା ଅନେକ କଟେଜ ଗୁଡିକୁ ଭସାଇ ନେଲାଣି ।

Kanak News is now on WhatsApp
Join and get latest news updates delivered to you via WhatsApp
ଶୀତଋତୁ ଆସିଲେ ଏହି ପର୍ଯ୍ୟଟନସ୍ଥଳୀରେ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ଭିଡ ଜମିଥାଏ । ସମୁଦ୍ର କୂଳରେ ନିର୍ମାଣ ହୋଇଥିବା କଟେଜରେ ବସି ସୂର୍ଯ୍ୟଦୋୟ ଓ ସୂର୍ଯ୍ୟାସ୍ତ ସମେତ ଜହ୍ନ ଆଲୁଅରେ ସମୁଦ୍ରର ନୀଳ ଜଳରାଶିରେ ଉଠୁଥିବା ଉଚ୍ଚ ଜୁଆରକୁ ପର୍ଯ୍ୟଟକମାନେ ବେଶ୍ ଉପଭୋଗ କରିଥାନ୍ତି । ମାତ୍ର ସମୁଦ୍ରର ଉଚ୍ଚ ଜୁଆର ମାଡରେ ଅନେକ କଟେଜ ଗୁଡିକ ଭାଙ୍ଗିରୁଜି ଯାଇଛି । କେବଳ ଏତିକି ନୁହେଁ ହବାଳିଖଟିକୁ ସୁରକ୍ଷା ଦେଉଥିବା ଲୁଣା ଜଙ୍ଗଲ ବି କ୍ଷତିଗ୍ରସ୍ତ ହୋଇଛି । ଏନେଇ କୌଣସି ପଦକ୍ଷେପ ନିଆନଗଲେ ନିର୍ମାଣ ହୋଇଥିବା ଅନ୍ୟ ସମସ୍ତ କଟେଜ ମଧ୍ୟ ସମୁଦ୍ର ଗର୍ଭକୁ ଚାଲିଯିବାର ଆଶଙ୍କା ରହିଛି ।
୧୯୭୧ରେ ହୋଇଥିବା ପ୍ରଳୟଙ୍କାରୀ ବାତ୍ୟାରେ କେନ୍ଦ୍ରାପଡା ରାଜନଗର ବ୍ଲକର ସାତଭାୟା ଜନବସତିକୁ ମାଡି ଆସିଥିଲା ସମୁଦ୍ର । ଗୋବିନ୍ଦପୁର, ମାନପୁର, କୁଳିଆଓରା, ଖରିକୁଲା, ସରପଦା ଭଳି ୫ଟି ଗାଁ ସମୁଦ୍ର ବକ୍ଷରେ ସମ୍ପୂର୍ଣ୍ଣ ଲୀନ ହୋଇଯାଇଥିଲା । ସେହିପରି ୧୯୯୯ ମହାବାତ୍ୟାରେ ସମ୍ପୂର୍ଣ୍ଣ ସାତଭାୟାକୁ ନିଜ ବକ୍ଷକୁ ନେଇଗଲା ସମୁଦ୍ର । ଜଳବାୟୁ ପରିବର୍ତନ ଓ ସମୁଦ୍ର ଜନବସତିକୁ ମାଡିଯିବା କାରଣରୁ ସାତଭାୟାବାସୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥିଲା । ଆଉ ଏବେ ସମୁଦ୍ର ଅାଁରେ ଲିନ ହେବାକୁ ବସିଛି ରାଜନଗର ଅଂଚଳର ଆଉ ଏକ ପର୍ଯ୍ୟଟନସ୍ଥଳୀ ହବାଳିଖଟି ।