ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ । ଅସ୍ତରଙ୍ଗ ସମୁଦ୍ରକୂଳରେ ଅଘଟଣ । ଗାଧୋଇବା ବେଳେ ଢେଉରେ ଭାସିଗଲେ ୨ ପର୍ଯ୍ୟଟକ । ଜଣେ ଉଦ୍ଧାର, ଜଣେ ଏବେ ବି ନିଖୋଜ

507

କନକ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ପିର ଜାହାନିଆ ପୀଠରେ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ସମୁଦ୍ର ଢେଉରେ ଦୁଇ ଜଣ ପର୍ଯ୍ୟଟକ ବୁଡ଼ିଗଲା ବେଳେ ଜଣକୁ ଉଦ୍ଧାର କରାଯାଇଛି ଓ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି । ସୁଚନା ଅନୁସାରେ ଗତକାଲି ଭୁବନେଶ୍ୱର ଟେକ ମହିନ୍ଦ୍ରା କମ୍ପାନୀର ୨୮ଜଣ ଯୁବକ ପିକନିକ୍ ପାଇଁ ଜାହାନିଆ ପିଠକୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ଅଙ୍କିତ ଏବଂ ଧର୍ମରାଜ ନାମକ ଦୁଇ ସାଙ୍ଗ ସମୁଦ୍ରକୁ ଗଧୋଇ ଯାଇଥିବା ବେଳେ ସମୁଦ୍ର ଢେଉରେ ଭାସି ଯାଇଥିଲେ ।

ଦୁଇ ସାଙ୍ଗ ବୁଡ଼ିଯାଉଥିବା ଦେଖି ସମୁଦ୍ର କୂଳରେ ଥିବା ଆଇସକ୍ରିମ୍ ବିକାଳି ବିନା ଲାଇଫ ଜ୍ୟାକେଟରେ ସମୁଦ୍ରକୁ ଡ଼େଇଁ ପଡ଼ିଥିଲେ । । ଏକ ବିଦ୍ୟୁତ ତାର ସାହାର୍ଯ୍ୟରେ ଅଙ୍କିତକୁ ଉଦ୍ଧାର କରାଯାଇଥିବା ବେଳେ ଧର୍ମରାଜ ଏବେ ବି ନିଖୋଜ ଅଛନ୍ତି । ନିଖୋଜ ଧର୍ମରାଜର ଘର କଟକ ସୁତାହାଟରେ ହୋଇଥିବା ବେଳେ ତାଙ୍କ ପରିବାର ଲୋକ ଅସ୍ତରଙ୍ଗରେ ପହଂଚି ଖୋଜାଖୋଜି ଜାରି ରଖିଛନ୍ତି ।

ସ୍ଥାନୀୟ ଯୁବକ ଜଗଦୀଶ ଦାସ, ରାଜେଶ ବାରିକ, ପିଙ୍କୁ ନାୟକ ଓ ବାବୁନି ନାୟକଙ୍କ ସାହାସିକ ପଦକ୍ଷେପ ପାଇଁ ପର୍ଯ୍ୟଟକ ଅଙ୍କିତ ଉଦ୍ଧାର ହୋଇପାରିଛନ୍ତି । ଏମାନଙ୍କ ସାହାସୀକତାକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି । ତେବେ ପ୍ରତିବର୍ଷ ପିକନିକ୍ ରୁତୁ ଆସିଲେ ଜାହାନିଆ ପିଠରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ହେଲେ କିଛି ଅଘଟଣ ଏଡ଼ାଇବାକୁ ସ୍ଥାୟୀ ଲାଇଫଗାର୍ଡ଼ ନିଯୁକ୍ତି ପାଇଁ ସାଧାରଣରେ ଦାବି ହେଉଛି ।