ପାଟଣାଗଡ ସରକାରୀ ଡାକ୍ତରଖାନାରେ ଅନ୍ଧାରୀ ଚିକିତ୍ସା: ସହରର ମୁଖ୍ୟ ହସ୍ପିଟାଲରେ ବିଜୁଳି ନାହିଁ କି ଜରୁରୀ ପରିସ୍ଥିତିରେ ଜେନେରେଟର ବ୍ୟବସ୍ଥା ବି ନାହିଁ; ମୋବାଇଲ ଫ୍ଲାସ ଲାଇଟରେ ଚାଲିଛି ଡ୍ରେସିଂ

221

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସରକାରୀ ଡାକ୍ତରଖାନାରେ ଅନ୍ଧାରୀ ଚିକିତ୍ସା । ସହରର ମୁଖ୍ୟ ହସ୍ପିଟାଲରେ ବିଜୁଳି ନାହିଁ, କି ଜରୁରୀ ପରିସ୍ଥିତିରେ ଜେନେରେଟର ବ୍ୟବସ୍ଥା ବି ନାହିଁ । ମୋବାଇଲ ଫ୍ଲାସ ଲାଇଟରେ ଚାଲିଛି ଡ୍ରେସିଂ । ଏକ ଦୁର୍ଘଟଣାରେ ମୁଣ୍ଡରେ ଆଘାତ ଲାଗିବା ପରେ ଏହାକୁ ଡ୍ରେସିଂ କରୁଛନ୍ତି ହସ୍ପିଟାଲ କର୍ମଚାରୀ । ତାହା ପୁଣା ଆହତଙ୍କୁ ସାଙ୍ଗରେ ନେଇ ଆସିଥିବା ସହଯୋଗୀଙ୍କ ମୋବାଇଲ ଟର୍ଚ୍ଚ ଆଲୁଆରେ । ମିଳିଥିବା ସୂଚନା ଅନୁସାରେ- ପାଟଣାଗଡ ବ୍ଲକ, ତାଳପଦର ଗାଁରେ ଶବ ସକ୍ରାର ସାରି ଫେରୁଥିବା ବେଳେ ଝୁଲେନବର ଗାଁର ଜଣେ ବେପରୁଆ ବାଇକ ଚାଳକ ପ୍ରାୟ ୯ ଜଣଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ସମସ୍ତେ ଖଣ୍ଡିଆ ଖାବରା ହୋଇ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ ମୁଖ୍ୟ ଡାକ୍ତରଖାନାରେ ପହଂଚିଥିଲେ ।

ହେଲେ ହସ୍ପିଟାଲରେ ପହଂଚିଲାବେଳକୁ ଲାଇନ ନଥିଲା । ଆହତଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ ଥିବାରୁ ଏହିଭଳି ମୋବାଇଲ ଫ୍ଲାସ ଲାଇଟ ଲଗାଇ ଡ୍ରେସିଂ କରିବାକୁ ପଡିଥିଲା । ହସ୍ପିଟାଲ ଏକ ଗୁରୁତ୍ୱପୂର୍ଣ୍ଣ ସେବା କେନ୍ଦ୍ର । କରୋନା ସଂକଟ କାଳରେ ହସ୍ପିଟାଲଗୁଡିକରେ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ଠିକ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ବଲାଙ୍ଗୀର ଜିଲ୍ଲାର ଏକ ପ୍ରମୁଖ ସହର ପାଟଣାଗଡର ମୁଖ୍ୟ ଡାକ୍ତରଖାନା ହୋଇ ମଧ୍ୟ ଏଠାରେ କାହିଁକି ବିକଳ୍ପ ବନ୍ଦୋବସ୍ତ ନାହିଁ, ସେ ବାବଦରେ ପଚାରି ବୁଝିବାକୁ ଡାକ୍ତରଖାନା ସୁପରିନଟେଣ୍ଡେଂଟଙ୍କୁ ଫୋନ କରିଥିଲେ ଆମ ପାଟଣାଗଡ ପ୍ରତିନିଧି । ହେଲେ ସେ ଫୋନ ଉଠାଇନଥିଲେ । ଆଶା ରଖୁଛୁ ଏହି ଖବର ଦେଖିବା ପରେ ହସ୍ପିଟାଲ କର୍ତୃପକ୍ଷ ଏହାର ଉଚିତ ଜବାବ ରଖିବେ । ନଚେତ ବିଜୁଳି ଆଲୁଅ ଚାଲିଗଲେ କିଭଳି ଚିକିତ୍ସା ସେବା ବାଧାପ୍ରାପ୍ତ ନହେବ ସେଥିପାଇଁ ବିକଳ୍ପ ବନ୍ଦୋବସ୍ତ କରିବେ ।