ବଦଳିବ କି ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ । ମ୍ୟାଚ ହାରିବା ପରେ ଆକାଶ ଅମ୍ବାନୀ ଏବଂ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଆଲୋଚନାକୁ ନେଇ ବଢିଲା ଚର୍ଚ୍ଚା

357

କନକ ବ୍ୟୁରୋ : ରୋହିତ ଶର୍ମାଙ୍କ ଭଳି ଜଣେ ଅଭିଜ୍ଞ ଓ ଦୁର୍ଦ୍ଦଶ ଖେଳାଳିଙ୍କୁ ଅପମାନିତ କରି ନିଜେ ଅପଦସ୍ତ ହୋଇଯାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡିଆ । ହାତକୁ ଅଧିନାୟକ ଦାୟିତ୍ୱ ଆସିବା ପରେ ଅସଲ ଚେହେରା ଦେଖାଇ ଦେଇଛନ୍ତି ପାଣ୍ଡିଆ । ଆଉ ଚଳିତ ଆଇପିଏଲ ସିଜିନର ଡେବ୍ୟୁ ମ୍ୟାଚରେ ନିଜ ପୂର୍ବ ଦଳ ଗୁଜରାଟ ଟାଇଟନ୍ସ ପାଖରୁ ଲଜ୍ୟାଜନକ ପରାଜୟ ସ୍ୱୀକର କରିଛନ୍ତି ହାର୍ଦ୍ଦିକ । ଏହି ମ୍ୟାଚ ହାରିବା ଯେତିକି ଚର୍ଚ୍ଚା ପରାଜୟକୁ ନେଇ ହୋଇନି ତାଠୁ ଅଧିକ ଚର୍ଚ୍ଚା ରୋହିତଙ୍କ ପ୍ରତି ଦେଖାଇଥିବା ଆଚରଣକୁ ନେଇ ହୋଇଛି । କୁହାଯାଏ କାମ ଯେମିତି ଫଳ ସେମିତି ନାଁରେ ହାର୍ଦିକଙ୍କ ମୁହଁ ଫୁଟାଣି ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଫୁସ ହୋଇଯାଇଛି । ସ୍ଥିତି ଏମିତ ହୋଇଯାଇଛି ଯେ ମୁମ୍ବାଇ ଟିମର ମାଲିକ ଆସି ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ସହ ଆଲୋଚନା କରିଛନ୍ତି । ହାର୍ଦିକ ଯଦିଓ ଆଲୋଚନା ମଝିରେ ଆସିଥିଲେ ମାଲିକ ତାଙ୍କ ସହିତ ହୁଏତ ଚର୍ଚ୍ଚା କରିବା ଆବଶ୍ୟକ ଭାବିନଥିଲେ ।

ନେତୃତ୍ୱ ତ ସମସ୍ତଙ୍କୁ ମିଳିଯାଇପାରେ । କିନ୍ତୁ ନେତୃତ୍ୱକୁ ସଠିକ ରୂପରେ ପରିଚାଳନା କରିବାର କଳା ସିଏ ଜାଣିଥାଏ ଯିଏ ପରିବାରର ପ୍ରତିଟି ସଦସ୍ୟର ଅବଦାନକୁ ବୁଝିଥାଏ ଏବଂ ସମ୍ମାନ ଦେଇଥାଏ । ରୋହିତ ଶର୍ମା ହେଉଛନ୍ତି ସେହିପରି ଏକ ବ୍ୟକ୍ତି ଯିଏ କି ଟିମକୁ ଏକ ପରିବାର ଏବଂ ଟିମର ପ୍ରତି ଖେଳାଳିଙ୍କୁ ସଦସ୍ୟ ବୋଲି ଭାବନ୍ତି । ତେଣୁ ତାଙ୍କ ନେତୃତ୍ୱରେ ମୁମ୍ବାଇ ପାଇଛି ଅନେକ ସଫଳତା । ୫-୫ ଥର ଟ୍ରଫି ଜିତି ଚେନ୍ନାଇ ଭଳି ଦଳ ସହିତ ଦେଇଛନ୍ତି କଡା ଟକ୍କର । କିନ୍ତୁ ସେଭଳି ଜଣେ ଅଧିନାୟକଙ୍କୁ ହାର୍ଦିକଙ୍କ ଆଚାରଣ କେବଳ ପଡିଆ ଭିତରେ ସୀମିତ ନୁହେଁ । ବରଂ ଗ୍ୟାଲେରୀରେ ବସିଥିବା ହଜାର ହଜାର ଏମଆଇ ସମର୍ଥକ ଏବଂ ମୋବାଇଲ ଓ ଟିଭି ଦେଖୁଥିବା କୋଟି କୋଟି କ୍ରିକେଟ ପ୍ରେମୀ ରୋହିତଙ୍କ ଅପମାନକୁ ସହଜରେ ଗ୍ରହଣ କରିପାରି ନାହାନ୍ତି    । ଆଉ ସ୍ଥିତି ଏପରି ହୋଇଛି ଯେ ଦଳର ନେତୃତ୍ୱ ପରିବର୍ତନ ବାବଦରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ ପ୍ରଶ୍ନ ଉଠିଛି ଅମ୍ବାନୀ ପରିବାର ପ୍ରକୃତରେ ମାତ୍ର ୨ଟି ମ୍ୟାଚ୍ ପରେ ହାର୍ଦ୍ଦିକଙ୍କ ସ୍ଥାନ ନେଇ ରୋହିତ ଶର୍ମାଙ୍କୁ କମାଣ୍ଡ ଫେରାଇ ଦେବେ କି? ରୋହିତ ଶର୍ମା ପୁଣି ଥରେ ଦଳର ଦାୟିତ୍ୱ ନେବାକୁ ଚାହିଁବେ କି? କିନ୍ତୁ ଯଦି ମୁମ୍ବାଇ ଇଣ୍ଡିଆନ୍ସର ଇତିହାସକୁ ଦେଖିବା, ତେବେ ସମସ୍ତେ ଜାଣନ୍ତି ଯେ ଏହି ଦଳରେ ପ୍ରାରମ୍ଭିକ ବିଫଳତା ପରେ କାହାକୁ ହଟାଯାଏ ନାହିଁ, ବରଂ ସୁଯୋଗ ଦିଆଯାଏ । ଏଭଳି ସ୍ଥିତିରେ ହାର୍ଦ୍ଦିକଙ୍କୁ ମଧ୍ୟ ସୁଯୋଗ ମିଳିବ ବୋଲି ଆଶା ।