କରୋନା ସଂକଟ ଭିତରେ ବିଜେପି ପାଳୁଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି: ରାଷ୍ଟ୍ରୀୟ ସଭାପତି କହିଲେ, ଦେଶର ଉନ୍ନତିରେ ୬୦ ବର୍ଷ ଧରି ରହିଥିବା ଦୁର୍ବଳତାକୁ ୬ ବର୍ଷରେ ପୂରଣ କଲେ ମୋଦି

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆଗଉଛି ଦେଶ, ସାରା ବିଶ୍ୱରୁ ମିଳୁଛି ପ୍ରଶଂସା

786

କନକ ବ୍ୟୁରୋ: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୂର୍ତି ପାଳନ କରୁଛି ଭାରତୀୟ ଜନତା ପାର୍ଟି । ଏହି ଅବସରରେ ଗତ ଗୋଟିଏ ବର୍ଷରେ ସରକାରଙ୍କ ଉପଲବ୍ଧି ଓ ଆଗାମୀ ଦିନର ଲକ୍ଷ୍ୟ ସଂପର୍କରେ ଦେଶବାସୀଙ୍କୁ ଏକ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପରିକି ଏକ ଅଡିଓ ବର୍ତା ମଧ୍ୟ ଜାରି କରିଛନ୍ତି । ତେବେ କରୋନା ସଂକଟ ଭିତରେ ବିଜେପି କେନ୍ଦ୍ର ସରକାରଙ୍କ ବର୍ଷପୂର୍ତି ପାଳନ କରୁଥିବାରୁ ଗତ ପାଳି ଭଳି ଏତେଟା ଚାକଚକ୍ୟ ଦେଖିବାକୁ ମିଳିବ ନାହିଁ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ଆଗଉଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ।

ବିରୋଧୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଗତ ୬୦ ବର୍ଷ ଧରି ଦେଶର ଉନ୍ନତିରେ ଯେଉଁ ଶୂନ୍ୟସ୍ଥାନ ରହିଥିଲା ମାତ୍ର ୬ ବର୍ଷର କାର୍ଯ୍ୟକାଳ ଭିତରେ ତାକୁ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କ ପାଇଁ ମୋଦି ସରକାର ନେଇଥିବା ପଦକ୍ଷେପଗୁଡିକୁ ଗୋଟିଗୋଟି କରି ଗଣାଇଛନ୍ତି ନଡ୍ଡା । ଏଥର ବାଣ ଫୁଟିବ ନାହିଁ, ଫୁଲବର୍ଷା ହେବନାହିଁ । ତୋରଣ ସଜାଯିବ ନାହିଁ କିମ୍ବା ସଭା ସମିତିରେ ଏକାଠି ହେବେନି କର୍ମୀ । କରୋନା ମହାମାରୀର ସଂକଟ ଭିତରେ ବର୍ଷପୂର୍ତି ଉତ୍ସବକୁ ଜିଡିଟାଲ କରିବାକୁ ପ୍ରସ୍ତୁତି ହୋଇଛି । ୨ଶହ ୫୦ ସାମ୍ବାଦିକ ସମ୍ମିଳନୀ ଓ ୨ ହଜାର ଭର୍ଚୁଆଲ ରାଲି କରିବ ବିଜେପି । ଗତବର୍ଷ ମେ’ ୩୦ରେ ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି । ମେ ୨୩ରେ ରେକର୍ଡ ୩୦୩ ଲୋକସଭା ଆସନ ଜିତି କ୍ଷମତା ବଜାୟ ରଖିଥିଲା ଭାରତୀୟ ଜନତା ପାର୍ଟି ।

ସେପଟେ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଅନେକ କ୍ଷେତ୍ରରେ ଐତିହାସିକ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଲୋକଙ୍କୁ ଏହା ଜଣାଇବାକୁ ଓଡିଶାରେ ମାସେ ଧରି କାର୍ଯ୍ୟକ୍ରମ ଚାଲିବ । ସାଧାରଣ ଲୋକଙ୍କୁ ଚିଠି ଲେଖିଛନ୍ତି ମୋଦି । ଧାରା ୩୭୦ ଉଚ୍ଚେଦରୁ କରୋନା ମୁକାବିଲା ଯାଏ ଅନେକ କଥା ଏହି ଚିଠିରେ ରହିଛି । ଜୁନ ୧ରୁ ମାସେ ଯାଏ ଓଡିଶାରେ ଡିଜିଟାଲ ପ୍ଲାଟଫର୍ମରେ ଚାଲିବ କାର୍ଯ୍ୟକ୍ରମ ।