ଟିକାକରଣ, ଲକଡାଉନ ସତ୍ତେ୍ୱ କମୁନି ସଂକ୍ରମଣ : ଅନଲକ୍ ନେଇ ବଢ଼ୁଛି ଅନିଶ୍ଚିତତା

1,074

କନକ ବ୍ୟୁରୋ : ଟିକାକରଣ, ଲକଡାଉନ ସତ୍ୱେ ବି ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୫୦୦ ତଳକୁ ଖସୁନି । ସବୁପ୍ରକାର ଅନୁକୂଳ ଯୁକ୍ତି ଥିବା ସତ୍ତ୍ବେ ‘ଅନ୍‌ଲକ୍’ କରିବାକୁ ସରକାର ସାହସ ଜୁଟାଇପାରୁ ନାହାନ୍ତି। କରୋନା ସଂକ୍ରମଣ ଗଣିତ ଦିନକୁ ଦିନ ଏମିତି ଜଟିଳ ହୋଇପଡ଼ୁଛି ଯେ ସରକାର ଯେମିତି ଅସହାୟ ହୋଇପଡ଼ିଛନ୍ତି । ଖୋର୍ଦ୍ଧା ଓ କଟକରେ ଅନ୍‌ଲକ୍‌ ଏବେ ସମ୍ଭବ ନୁହେଁ କହି ଏକପ୍ରକାର ହାତ ଟେକି ଦେଇଛନ୍ତି । କିନ୍ତୁ ଅନ୍ୟ ଜିଲ୍ଲାଗୁଡ଼ିକ ସମ୍ପର୍କରେ କି ନିଷ୍ପତ୍ତି ନେବେ, ସେ ନେଇ ବ୍ୟାପକ ମାନସ ମନ୍ଥନ ଚାଲିଥିଲେ ବି ନିଷ୍ପତ୍ତିରେ ପହଞ୍ଚିପାରୁ ନାହାନ୍ତି ।

ଜୁଲାଇ ମାସରେ କରୋନା କଟକଣାକୁ କିଛିଟା କୋହଳ କରାଯାଇଛି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଗୁରୁତ୍ବ ଦେଇ କିଛି କ୍ଷେତ୍ରକୁ ସ୍ବାଭାବିକ କରିବା ପାଇଁ କଟକଣାମୁକ୍ତ କରାଯାଇଛି । କିନ୍ତୁ ଆହୁରି ବହୁ କ୍ଷେତ୍ର ରହିଛି, ଯେଉଁଥିରେ କି କଟକଣା ଏବେ ବି ବଳବତ୍ତର ରହିଛି । ହୋଟେଲ୍, ରେସ୍ତୋଁରାରେ ଖାଦ୍ୟ ପାର୍ସଲ ପାଇଁ ଅନୁମତି ଦିଆଯାଇଛି ସତ। କିନ୍ତୁ ସେଠାରେ ବସିକି ଖାଇବା ପାଇଁ ଅନୁମତି ନ ଥିବାରୁ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ରହିଛି। ମଲ୍, ସିନେମା ହଲ୍ ଖୋଲିବାକୁ ଏ ଯାଏ ଅନୁମତି ମିଳିନି ।

ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାତ୍ରାକୁ ଅନୁମତି ମିଳି ନ ଥିବାରୁ ବହୁ କଳାକାର ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି । ପୁଣି ବିବାହ, ବ୍ରତ ଆଦିରେ ଭୋଜିକୁ ଅନୁମତି ନ ଥିବାରୁ ଟେଣ୍ଟ୍, କ୍ୟାଟରିଂ ସଂସ୍ଥାକୁ ଜୀବିକା କରିଥିବା ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ତିନି ମାସ ହେଲାଣି ରୋଜଗାର ହରାଇ ଏହିସବୁ କ୍ଷେତ୍ରର ଲୋକମାନେ ଅତ୍ୟନ୍ତ ଖରାପ ସ୍ଥିତିରେ ଦିନ କାଟୁଛନ୍ତି । ଏମିତି ସମୟରେ ଦିନକ ପରେ ଆସିବାକୁ ଥିବା ଅଗଷ୍ଟ ମାସର ଅନ୍‌ଲକ୍‌ ଗାଇଡଲାଇନ୍‌ ଉପରେ ସମସ୍ତଙ୍କ ନଜର ରହିଛି ।