ଆଇପିଏଲ ୨୦୨୧ : ୧୮ ହଜାରରୁ ଅଧିକ ରନ୍, ୧୦୮ ମିଟରର ଲମ୍ବା ଛକା । ଜାଣନ୍ତୁ ଆଇପିଏଲରେ କେତେ ୱିକେଟ ଯାଇଛି ଓ କଣ ନୂଆ ରେକର୍ଡ ହୋଇଛି?

286

କନକ ବ୍ୟୁରୋ : ଆଇପିଏଲ ୨୦୨୧ ଶେଷ ହୋଇଛି । ଶୁକ୍ରବାର ଶାନଦାର ବିଜୟ ଚହ ଚତୁର୍ଥ ଥର ଚାମ୍ପିୟନ ହୋଇଛି ଚେନ୍ନାଇ । କୋଲକାତାକୁ ୨୭ ରନରେ ମାତ୍ ଦେଇ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ପୁଣିଥରେ ଟାଇଟଲ ନିଜ ନାଁରେ କରିଛି । ତେବେ ଚଳିତ ଆଇପିଏଲରେ ଅନେକ ନୂଆ ରେକର୍ଡ ସାମ୍ନାକୁ ଆସିଛି । କରୋନା କାରଣରୁ ଆଇପିଏଲ ୨ଟି ଭାଗରେ ଖେଳାଯାଇଥିଲା । ପ୍ରଥମ ପର୍ଯ୍ୟାୟ ଭାରତରେ ଖେଳାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଖେଳାଯାଇଥିଲା ।

ଏହାଛଡ଼ା ଚଳିତ ଆଇପିଏଲରେ ଅନେକ ନୂଆ ପ୍ରତିଭା ନିଜର ଦମଦାର ପ୍ରଦର୍ଶନ କରିଥିଲେ । କିଏ ବ୍ୟାଟିଂରେ ତ ପୁଣି କିଏ ବୋଲିଂରେ ତ ଆଉ କିଏ ଦଳ ପାଇଁ ଶେଷ ମୁହୂର୍ତ୍ତରେ ସଙ୍କଟମୋଚକ ସାଜି ଉଭା ହୋଇଥିଲା । ଖାସକରି ଚଳିତ ଆଇପିଏଲରେ ଭାରତୀୟ ଖେଳାଳୀଙ୍କ ଦବଦବା ଯଥେଷ୍ଟ ଅଧିକ ରହିଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତୀୟ ଖେଳାଳୀ ଚମକପ୍ରଦ ଖେଳ ପ୍ରଦର୍ଶନ କରିଥିବା ବେଳେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ଭାରତୀୟଙ୍କ ନାଁରେ ରହିଛି । ଥରେ ନଜର ପକାନ୍ତୁ କେମିତି ଥିଲା ଚଳିତ ଆଇପିଏଲ ।

ଚଳିତ ଆଇପିଏଲରେ ମୋଟ ୬୮୭ଟି ଛକା ଦେଖିବାକୁ ମିଳିଥିଲା । ଯେଉଁଥିରେ ପଞ୍ଜାବ କିଙ୍ଗସର କେଏଲ ରାହୁଲ ସର୍ବାଧିକ ୩୦ଟି ଛକା ମାରି ତାଲିକାର ଶୀର୍ଷରେ ରହିଛନ୍ତି । ଏହାଛଡା ସବୁଠୁ ଅଧିକ ଲମ୍ବା ଛକା ମାରିବାର ରେକର୍ଡ ଚେନ୍ନାଇ ସୁପର କିଙ୍ଗସର ଋତୁରାଜ ଗାଏକ୍ୱାଡ ନିଜ ନାଁରେ କରିଛନ୍ତି । ଋତୁରାଜ ଚଳିତ ଆଇପିଏଲରେ ୧୦୮ ମିଟରର ଛକା ମାରି ନୂଆ ପ୍ରତିଭା ଭାବେ ଉଭା ହୋଇଛନ୍ତି । ସେହିଭଳି ଚଳିତ ଟୁର୍ଣ୍ଣାମେଣ୍ଟରେ ସବୁଦଳ ମିଶି ୧୮୬୨୨ ରନ୍ କରିଛନ୍ତି  । ଯେଉଁଥିରେ ଋତୁରାଜ ଗାଏକ୍ୱାଡର ସର୍ବାଧିକ ୬୩୫ ରନ ରହିଛି । ଋତୁରାଜଙ୍କ ପରେ ଚେନ୍ନାଇର ଡୁପ୍ଲେସିସ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଡୁପ୍ଲେସିସ ଚଳିତ ଆଇିପଏଲରେ ୬୩୩ ରନ କରିଛନ୍ତି ।

ସେହିଭଳି ଆଇପିଏଲର ୧୪ ତମ ସିଜିନରେ ଭାରତୀୟ ବୋଲର ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ହର୍ଷଲ ପଟେଲ ସର୍ବାଧିକ ୩୨ଟି ୱିକେଟ ଚଳିତ ଆଇପିଏଲରେ ପର୍ପଲ କ୍ୟାପ୍ ହାତେଇବାରେ ସଫଳ ହୋଇଛନ୍ତି । ଏହାଛଡା ଚଳିତ ଆଇପିଏଲରେ ମୋଟ ୭୧୬ଟି ହାତେଇଛନ୍ତି ବୋଲର । ଏହାଛଡା ବ୍ୟାଟସମ୍ୟାନଙ୍କୁ ନିଜ ବୋଲିଂ ବଲରେ ନାକେଦମ କରିଛନ୍ତି ବୋଲର । ଯେଉଁଥିପାଇଁ ଚଳିତ ଆଇପିଏଲରେ ମୋଟ ୫୦୧୯  ବଲରେ କୌଣସି ରନ୍ କରିବାକୁ ସକ୍ଷମ ହୋଇନଥିଲେ ବ୍ୟାଟସମ୍ୟାନ୍ । ଦିଲ୍ଲୀ କ୍ୟାପିଟାଲ୍ସର ଅଭେସ ଖାନ୍ ସର୍ବାଧିକ ୧୫୬ଟି ଡଟ୍ ବଲ ପକାଇଛନ୍ତି । ଏସବୁ ବ୍ୟତୀତ ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ମଧ୍ୟ ବେଶ ଦମଦାର ରହିଥିଲା । ଚଳିତ ଆଇପିଏଲରେ ୮୯ଟି ଅର୍ଦ୍ଧଶତକ ଦେଖିବାକୁ ମିଳିଥିବା ବେଳେ ଫାଫ୍ ଡୁପ୍ଲେସିସ ସର୍ବାଧିକ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଏହାଛଡା ଚଳିତ ଆଇପିଏଲରେ ଅନେକଥର ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି । କେତେବେଳେ ଶେଷ ଓଭର ଯାଏଁ ମ୍ୟାଚ ଖେଳାଯାଇଛି ତ ପୁଣି କେତେବେଳେ ଶେଷ ବଲରେ ଫଳାଫଳ ନିର୍ଣ୍ଣୟ ହୋଇଛି । ଯାହା କ୍ରିକେଟପ୍ରେମୀଙ୍କ ହୃଦସ୍ପଦନକୁ ବଢାଇ ଦେଇଛି । ଚଳିତ ଆଇପିଏଲରେ ଶେଷ ବଲରେ ମୋଟ ୪ ଥର ଫଳାଫଳ ନିର୍ଣ୍ଣୟ ହୋଇଛି । ଏହାବାଦ୍ ଗୋଟିଏ ଥର ସୁପର ଓଭର ମୁକାବିଲା ଦେଖିବାକୁ ମିଳିଛି । ଏସବୁ ବାଦ୍ ଚଳିତ ସିଜନରେ ମୋଟ ୪ଟି ଶତକ ଦେଖିବାକୁ ମିଳିଛି । ଋତୁରାଜ ଗାଏକ୍ୱାଡ, କେଏଲ ରାହୁଲ, ଦେବଦତ୍ତ ପାଡିକଲ ଓ ସଞ୍ଜୁ ସାମସନଙ୍କ ବ୍ୟାଟରୁ ଏହି ଶତକ ଦେଖିବାକୁ ମିଳିଛି ।