୩ ଲକ୍ଷ ଟଙ୍କାର ସୁନା ଗହଣା, ୧୯୮୦ ମଡେଲର ଆମ୍ବାସଡର କାର । ଜାଣନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି କେତେ?

670

କନକ ବ୍ୟୁରୋ :  ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତି ତାଲିକା । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କ ସମ୍ପତି ତାଲିକା ପ୍ରକାଶ ପାଇଛି । ୨୦୨୧ ଡିସେମ୍ବର ସୁଦ୍ଧା ସମସ୍ତ ମନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତି ତାଲିକା ସିଏମଓ ୱେବସାଇଟରେ ଉପଲବ୍ଧ କରାଯାଇଛି । ୨୦୨୧ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪ କୋଟି ଟଙ୍କାରୁ ଅଧିକ ରହିଛି । ଯେଉଁଥିରେ ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୭୨ ଲକ୍ଷ ଟଙ୍କା ଜମା ପୁଞ୍ଜି ଥିବା ବେଳେ ଭୁବନେଶ୍ୱରରେ ଥିବା ଏସବିଆଇ ବ୍ୟାଙ୍କରେ ୨୧.୭୧ ଲକ୍ଷ ଟଙ୍କା ରହିଛି । ସେହିଭଳି ନିର୍ବାଚନ ପାଇଁ ହିଞ୍ଜିଳିରେ ଥିବା ୨ଟି ଷ୍ଟେଟବ୍ୟାଙ୍କ ଓ ପଦ୍ମପୁର ଷ୍ଟେଟବ୍ୟାଙ୍କ ଆକାଉଣ୍ଟରେ ଯଥାକ୍ରମେ ୭୦୭୪, ୧୪,୪୮୮  ଓ ୩୯,୦୨୮ ଟଙ୍କା ରହିଛି । ଏହାବାଦ୍ ଦିଲ୍ଲୀର ସଂସଦ ଭବନରେ ଥିବା ଷ୍ଟେଟବ୍ୟାଙ୍କରେ ୧୮୯୩ ଟଙ୍କା ଜମା ପୁଞ୍ଜି ରହିଛି ।

ଏହାବ୍ୟତୀତ ପୋଷ୍ଟ ଅଫିସରେ ୫୦୩୩ ଟଙ୍କାର ଜମାପୁଞ୍ଜି, ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୧,୧୧,୨୬,୩୭୯ ଟଙ୍କାର ଫିକ୍ସଡ ଡିପୋଜିଟ୍, ୯ କୋଟିର ରିଜର୍ଭ ବ୍ୟାଙ୍କ ବଣ୍ଡ ଓ ପୋଷ୍ଟ ଅଫିସରେ ୧ କୋଟି ଟଙ୍କାର ଟର୍ମ ଡିପୋଜିଟ୍ ରଖିଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩,୪୫,୩୩୬ ଟଙ୍କାର ସୁନାଗହଣା, ୧୯୮୦ ମଡେଲର ଆମ୍ବାସଡର କାର ରହିଛି ଯାହାର ମୂଲ୍ୟ ୬୪୩୪ ଟଙ୍କା ରହିଛି ।

ମୋଟ ୬୪ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରୁ ପୈତୃକ ସମ୍ପତିର ମୂଲ୍ୟ ୫୨ କୋଟିରୁ ଅଧିକ ରହିଛି । ତେବେ ଏହି ପୈତୃକ ସମ୍ପତ୍ତିର ପୂରା ମାଲିକ ନବୀନ ନୁହଁନ୍ତି । ଭୁବନେଶ୍ୱର ନବୀନ ନିବାସରେ ନବୀନଙ୍କ ଦୁଇ-ତୃତୀୟାଂଶ ସେୟାର ରହିଛି । ଏହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ଥିବା ସମ୍ପତିରେ ନବୀନଙ୍କ ୫୦ ପ୍ରତିଶତ ସେୟାର ରହିଛି । ଏହାର ମୂଲ୍ୟ ପ୍ରାୟ ୪୩ କୋଟି, ୩୬ ଲକ୍ଷ, ୧୮ ହଜାର ଟଙ୍କା ହେବ ।