କରୋନା ସ୍ଥିତିର ସମୀକ୍ଷା ବେଳେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । ଦେଶରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଲକଡାଉନ୍ ଜରୁରୀ ନୁହେଁ ।

300

କନକ ବ୍ୟୁରୋ: ଦେଶରେ କରୋନା ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଆଲୋଚନା କାଳରେ ମୋଦୀ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଲକଡାଉନ୍ ଜରୁରୀ ନୁହେଁ । ତା ସହ ଗୋଟିଏ ରାଜ୍ୟକୁ ସମ୍ପୂର୍ଣ୍ଣ ଟିକା ଦେବା ସମ୍ଭବ ନୁହେଁ । ଆମକୁ ଦେଶର ସବୁ ରାଜ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ଏହାସ ମାଇକ୍ରୋ କଂଟେନମେଂଟ ଜୋନ ଉପରେ ଫୋକସ୍ ଦେବାକୁ ପ୍ରଧାନମନ୍ତ୍ରୀ ଜୋର୍ ଦେଇଛନ୍ତି ।

ସେହିପରି ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ଟିକା ଉତ୍ସବ ମନାଇବାକୁ କହିଛନ୍ତି । ଏପ୍ରିଲ ୧୧ରୁ ଏପ୍ରିଲ ୧୪ ତାରିଖ ଯାଏଁ ଟିକା ଉତ୍ସବ ମନାଇ ପାରିବା ବୋଲି ମୋଦୀ କହିଛନ୍ତି । ଯେଉଁଥିରେ ଅଧିକରୁ ଅଧିକ ଲୋକ ଭାକ୍ସିନ ନେବେ । ବିଶେଷକରି ଦେଶର ଯୁବବର୍ଗ ଟିକାକରଣକୁ ନେଇ ଆଗେଇ ଆସିବାକୁ ମୋଦୀ ଆହ୍ୱାନ କରିଛନ୍ତି ।

ଏଥିସହ ପ୍ରଧାନମନ୍ତ୍ରୀ ମାଇକ୍ରୋ କଂଟେନମେଂଟ ଜୋନ୍ ଉପରେ ଅଧିକ ଫୋକସ୍ କରିଛନ୍ତି ।  ଏବେ ଆମକୁ ନାଇଟ୍ କର୍ଫ୍ୟୁକୁ କରୋନା କର୍ଫ୍ୟୁ ଭାବେ ମନେ ରଖିବାକୁ ପଡିବ । ତା ସହ କରୋନାକୁ ରୋକିବା ପାଇଁ କିଛି ସ୍ଥାନରେ ମାଇକ୍ରୋ କଂଟେନମେଂଟ ଜୋନ୍ କରିବାକୁ ମୋଦୀ ଜରୁରୀ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ କରୋନାକୁ ରୋକିବାକୁ ଆମ ପାଖରେ ପର୍ଯ୍ୟାପ୍ତ ସୁଯୋଗ ଅଛି । ଏବେ ଆମ ପାଖରେ ଭାକ୍ସିନ ମଧ୍ୟ ଉପଲବ୍ଧ ହୋଇଗଲାଣି । ତେଣୁ ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏଥିସହ କୋଭିଡର ଲକ୍ଷଣ ଦେଖାଗଲେ ଆମେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ୍ । କରୋନା ଏମିତି ଏକ ଜିନିଷ , ଯାହାକୁ ଆପଣ ନଆଣିବା ପର୍ଯ୍ୟନ୍ତ, ସେ ଆସିବ ନାହିଁ । ଅନ୍ୟପଟେ ଟେଷ୍ଟିଂ ଓ ଟ୍ରାକିଂକୁ ମଧ୍ୟ ବଢାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱ ଦେଇଛନ୍ତି । ଏହାସହ କୋଭିଡ୍ ପଜିଟିଭ୍ ରେଟକୁ ମଧ୍ୟ ୫ ପ୍ରତିଶତରୁ ତଳକୁ ଖସାଇବା ଆମର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କାଳରେ କହିଛନ୍ତି ।

ଅନ୍ୟପଟେ ଏହି ବୈଠକରେ ଭାକ୍ସିନକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି । ଗୃହମନ୍ତ୍ରୀ ଅମିତଙ୍କ କହିବା ମୁତାବକ, ଦେଶରେ ଟିକାକରଣ ପ୍ରକ୍ରିୟା ଦ୍ରୁତ ଗତିରେ ଆଗେଇ ଚାଲିଛି । ୪୫ ବର୍ଷରୁ ଅଧିକ ଆୟୁର ଲୋକଙ୍କ ଟିକାକରଣ ମଧ୍ୟ ଏବେ ଚାଲୁରହିଛି । ଖୁବଶୀଘ୍ର ଏହି ବର୍ଗର ଲୋକଙ୍କ ଟିକାକରଣ ଶେଷ ହେବ ବୋଲି କୁହାଯାଇଛି ।