ଆସନ୍ତା ୧୫ରୁ ତୋଷାଳି ମେଳା : ଏଥର ୧୩ଦିନ ଧରି ଚାଲିବ ଏହି ଜାତୀୟ ହସ୍ତଶିଳ୍ପ ମେଳ; ଖୋଲିବ ୩୮୦ ଷ୍ଟଲ୍, ଭାଗନେବେ ୨୮୦ କାରିଗର

ଆସନ୍ତା ୧୫ରୁ ତୋଷାଳି ମେଳା : ଏଥର ୧୩ଦିନ ଧରି ଚାଲିବ ଏହି ଜାତୀୟ ହସ୍ତଶିଳ୍ପ ମେଳ; ଖୋଲିବ ୩୮୦ ଷ୍ଟଲ୍, ଭାଗନେବେ ୨୮୦ କାରିଗର

କନକ ବ୍ୟୁରୋ: ସମଗ୍ର ଦେଶର ହସ୍ତଶିଳ୍ପୀ, ବୁଣାକାର ଓ ସ୍ଥପତିଙ୍କ କଳାକୃତିର ବିପୁଳ ସମ୍ଭାର ନେଇ ପୁଣିଥରେ ରାଜଧାନୀକୁ ଆସୁଛି ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’। ଆସନ୍ତା ୧୫ ତାରିଖରୁ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟର ଏହି ସର୍ବବୃହତ୍‌ ମେଳାରେ ଏଥର ୩୮୦ଟି ଷ୍ଟଲରୁ ହସ୍ତତନ୍ତ ଓ ହସ୍ତଶିଳ୍ପ କିଣିବାର ସୁଯୋଗ ନେବେ ଜନସାଧାରଣ। ବିଭିନ୍ନ ରାଜ୍ୟରୁ ୫୦ ଜଣ ବଛାବଛା ବୁଣାକାର ସେମାନଙ୍କ ହସ୍ତତନ୍ତ ଭେଟିଦେବେ। ମେଳାରେ ଓଡ଼ିଶାରୁ ୧୫୦ ଜଣ ହସ୍ତଶିଳ୍ପୀଙ୍କ ସମେତ ୮୦ ଜଣ ବୁଣାକାର ନିଜର ଶିଳ୍ପ କାରିଗରୀର ପ୍ରଦର୍ଶନ ଓ ବିକ୍ରିବଟା କରିବେ। ମେଳା ପାଇଁ ୩ କୋଟି ୫୯ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି।

ପରିସରରେ ୪୦ଟି ଖାଦ୍ୟ ଷ୍ଟଲ୍‌ ମଧ୍ୟ ଖୋଲିବ। ଜଣାଶୁଣା ହୋଟେଲ୍‌ ଓ ରେସ୍ତୋରାଁ ସ୍ବାଦିଷ୍ଟ ଓ ପାରମ୍ପରିକ ଓଡ଼ିଆ ଖାଦ୍ୟ ଭେଟି ଦେବେ। ତେବେ ପୂର୍ବବର୍ଷ ମେଳା ୧୫ ଦିନ ‌ଚାଲିଥିବା ବେଳେ ଚଳିତ ବର୍ଷ ଏହା ୧୩ ଦିନକୁ ଖସାଇ ଦିଆଯାଇଛି। ପୂର୍ବବର୍ଷ ମେଳାରେ ୧୫ଦିନରେ ୨୧ଲକ୍ଷ ୩୭ ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ୨୦ କୋଟି ୮୧ ଲକ୍ଷ ଟଙ୍କାର ବେପାର ହୋଇଥିଲା। ଚଳିତ ବର୍ଷ ମଧ୍ୟ ୧୩ ଦିନରେ ୨୨ ଲକ୍ଷ ଲୋକଙ୍କ ସମାଗମ ସହ ୨୧ କୋଟି ୫୦ ଲକ୍ଷ ଟଙ୍କା ବେପାରର ଆଶା ରଖାଯାଇଛି ।

ମେଳାର ମଧ୍ୟ ଭାଗରେ ଆକର୍ଷଣ ସାଜିବ ‘କଳିଙ୍ଗ ତନ୍ତକୃତି’ ଶୀର୍ଷକ ଥିମ୍‌ ପ୍ୟାଭିଲିୟନ। ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଓ ହସ୍ତତନ୍ତର କ୍ରମବିକାଶର କଥା କହିବ ଏହି ପ୍ୟାଭିଲିୟନ୍‌। ଜନସାଧାରଣଙ୍କ ମନୋରଂଜନ ପାଇଁ ଓଡ଼ିଶୀ, ଲୋକନୃତ୍ୟ, ଫେସନ୍‌ ସୋ’ଠୁ ନେଇ ବଲିଉଡ୍‌ ନାଇଟ୍‌ ଓ ସାମରିକ କଳା ପରିବେଷଣର କାର୍ଯ୍ୟକ୍ରମ ରହିଛି। ବଲିଉଡ୍‌ ନାଇଟ୍‌ରେ ଅମନ ତ୍ରିଖା, ପ୍ରତିଭା ସିଂହ ବାଘେଲ୍‌ଙ୍କ ଭଳି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସଂଗୀତରେ ବିଭୋର୍‌ ହେବା ସହ ତାନ୍‌ସେନ୍‌ ସିଂହ, ଇଣ୍ଡିଆନ୍‌ ଆଇଡଲ୍‌ରେ ଚର୍ଚ୍ଚିତ ହୋଇଥିବା ଓଡ଼ିଆ ଝିଅ ଚେଲ୍‌ସି ବେହୁରା, ଅନ୍ତରା ଚକ୍ରବର୍ତୀ, ତାରିକ୍‌ ଅଜିଜ୍‌, ବିଭୁପ୍ରସାଦ, ଶ୍ରୀଜିତା, ସୋନାଲିଙ୍କ ସଂଗୀତ‌ ଶୁଣିବାକୁ ମିଳିବ। ଏଥିସହ ଓଡ଼ିଶୀ, ରାଜସ୍ଥାନୀ, ଛଉ, ଆଦିବାସୀ ନୃତ୍ୟ, ପାଇକ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe