ସେନାକୁ ମିଳିବ ଶକ୍ତି । ଆଇଇଡି ବିସ୍ଫୋରକ ଖୋଜିବ ଏହି ଚାଳକ ବିହୀନ ଗାଡି ।

98

କନକ ବ୍ୟୁରୋ: ଅନେକ ସମୟରେ ଆପଣ ଆଇଇଡି ବିସ୍ପୋରଣର କଥା ଶୁଣିଥିବେ । ଶତ୍ରୁ ପକ୍ଷର ଚାଲରେ ଫସି, ଆଇଇଡି ବିସ୍ଫୋରଣରେ ପ୍ରାଣ ହରାଇଥାନ୍ତି ଆମ ଦେଶର ଅନେକ ଯବାନ । ହେଲେ ଏବେ ଶତ୍ରୁକୁ ମାତ୍ ଦେବ ସେନା । ଆଇଇଡି ବିସ୍ଫୋରଣରେ ଆଉ ମରିବେନି ଦେଶର କୌଣସି ଯବାନ । କାହିଁକି ନା ଆଇଇଡି ବିସ୍ଫୋରକକୁ ଖୋଜିପାଇବ ଏହି ଚାଳକ ବିହୀନ ଅତ୍ୟାଧୁନିକ ଗାଡି ।ଭଲ କରି ଦେଖନ୍ତୁ ଏହି ଫଟୋକୁ, ଆଖିକୁ ସାଧାରଣ ଗାଡିଟିଏ ଭଳି ଦିଶୁଥିବା ଏହି ଯାନ ଶତ୍ରୁକୁ ମାତ୍ ଦେବାରେ ପୂରା ଧୁରନ୍ଧର । ଆଇଇଡି ବିସ୍ଫେରକକୁ ନିଜେ ଖୋଜିବ , ଆଉ ତା ସହିତ ଏହାକୁ ନଷ୍ଟ ମଧ୍ୟ କରିବ । ଶତ୍ରୁ ଦେଶର ଯେକୌଣସି ଚ୍ୟାଲେଞ୍ଜକୁ ସାମ୍ନା କରିବ ଏହି ଛୋଟ ଆଉ ଅତ୍ୟାଧୁନିକ ମେସିନ୍ । ଯାହାକି ଖୁବଶୀଘ୍ର ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ।
ଏହି ଗାଡିଟି ସମ୍ପୂର୍ଣ୍ଣ ଭାବେ ରବୋଟିକ୍ । ଅର୍ଥାତ ଏହାକୁ ଚଲାଇବାକୁ କୌଣସି ଡ୍ରାଇଭରର ଆବଶ୍ୟକ ନାହିଁ । ଆଉ ଏହାର ସାମ୍ନାରେ ଥିବା ଏହି ହାତ, ଆଇଇଡି ବିସ୍ଫୋରକକୁ ଖୋଜିବା ସହିତ ଏହାକୁ ଡି ଫ୍ୟୁଜ୍ , ନଷ୍ଟ ମଧ୍ୟ କରିବ । ଯାହାକି ସେନାର ଯବାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇପାରିବ ।

ଚେନ୍ନାଇର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ‘ଟରୋସ୍ ରବୋଟିକ୍’ ଭାରତୀୟ ସେନା ପାଇଁ ଏଭଳି ଅତ୍ୟାଧୁନିକ ଅନମ୍ୟାନଡ୍ ଗ୍ରାଉଣ୍ଡ ଭେଇକିଲ୍ ପ୍ରସ୍ତୁତ କରିଛି । ଆଉ ଆପଣ ଜାଣି ଆଶ୍ଚଯ୍ୟ ହେବେ ବିଗ୍ନେଶ କଣ୍ଡାସାମୀ, କାର୍ତିକେୟନ ଓ ବିଭାକର ନାମକ ତିନି ଯୁବକ ମିଶି ଏହାକୁ ତିଆରି କରିଛନ୍ତି । ଏହି ତିନି ଯୁବକ ମେକାଟ୍ରୋନିକ୍ସରେ ବିଟେକ୍ କରିଥିବାବେଳେ ଏବେ ସେନାର ସାହାଯ୍ୟ ପାଇଁ ସୃଷ୍ଟି କରିଛନ୍ତି ଏଭଳି ମେସିନ୍ ।ଏହି ମେସିନକୁ ଦୂର ପାହାଡକୁ ଉପରକୁ ନେବା ମଧ୍ୟ ବହୁତ ସହଜ । ମାତ୍ର କେଇ ଜଣ ସୈନିକ ଏହାକୁ ଅତି ସହଜରେ ଟେକି ନେଇ ଯା ଆସ କରିପାରିବେ । ତା ସହିତ ଏହି ମେସିନରେ ଚକ ଲାଗିଥିବାରୁ ସମତଳ ଅଂଚଳରେ ମଧ୍ୟ ଏହା ଅତି ସହଜରେ ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ଯାଇପାରିବ । ଡିଆରଡିଓ ତରଫରୁ ଏହାର ପରୀକ୍ଷଣ ସରିଥିବାବେଳେ ଏହାର ଉନ୍ନତ ମଡେଲ ପାଇଁ ଭାରତ ସରକାରଙ୍କ ସହ ଚୁକ୍ତି ମଧ୍ୟ ଶେଷ ହୋଇଛି । ତେଣୁ ମେସିନ୍ ପୂରାପୂରି ପ୍ରସ୍ତୁତ ହେବା ପରେ ଖୁବଶୀଘ୍ର ସେନାରେ ସାମିଲ ହେବ ।