ପାକିସ୍ତାନରେ ହିନ୍ଦୁ ପରିବାରକୁ ନିର୍ଯାତନା । ମସଜିଦ୍ କୂଅରୁ ପାଣି ନେବାରୁ ନିସ୍ତୁକ ମାଡ

185

କନକ ବ୍ୟୁରୋ: ମସଜିଦ୍ କୂଅରୁ ପାଣି ନେବାରୁ ହଟହଟା ହୋଇଛନ୍ତି ଏକ ଗରିବ ହିନ୍ଦୁ ପରିବାର । ଏପରି ଘଟଣାରେ ପାକିସ୍ତାନରେ ଏକ ହିନ୍ଦୁ ପରିବାରକୁ ବନ୍ଧକ କରାଯାଇଛି ।ସୂଚନା ମୁତାବକ, ପାକ୍ ଅଧିକୃତ ପଂଜାବର ରହିମ୍ ୟାର ଖାନ ସହରରେ ରହୁଥିବା ଆଲାମ ରାମ ତାଙ୍କ ପତ୍ନୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ସହ କପା ଜମିରେ କାମ କରୁଥିଲେ । ପାଣି ପିଇବାକୁ ନିକଟରେ ଥିବା ଏକ ମସଜିଦ ପରିସରକୁ ଯାଇଥିଲେ । ହେଲେ ହିନ୍ଦୁଙ୍କ ପ୍ରବେଶ ଫଳରେ ମସଜିଦ୍ ପବିତ୍ରତା ଉଲଂଘନ ହୋଇଥିବା ଅଭିଯୋଗ କରି ପରିବାରର ସମସ୍ତ ସଦସ୍ୟଙ୍କୁ ନିସ୍ତୁକ ମାଡ ମାରିବା ପରେ ଦୀର୍ଘ ସମୟ ଯାଏଁ ବନ୍ଧକ ରଖିଥିଲେ ।

ଏନେଇ ଆଲାମ ରାମ ପୋଲିସରେ ଅଭିଯୋଗ କରିଥିଲେ ବି ପୋଲିସ କିଛି ପଦକ୍ଷେପ ନେଇନଥିଲା । ଆକ୍ରମଣକାରୀ ସତ୍ତାରୁଢ ଇମ୍ରାନ ଖାନଙ୍କ ପାର୍ଟି କେହରିକି-ଇ ଇନସାଫ ଦଳରେ ଥିବା ଜନୈକ ସାଂସଦଙ୍କ ପରିଚିତ ଥିବାରୁ ପୋଲିସ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଏହାପରେ ଆଲାମ ରାମ ନ୍ୟାୟ ପାଇଁ ଜିଲ୍ଲା ଶାନ୍ତି କମିଟିର ଦ୍ୱାରସ୍ଥ ହୋଇଥିଲେ ବି ଆକ୍ରମଣକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇନାହିଁ ।

ପାକିସ୍ତାନର ସମୁଦାୟ ଜନସଂଖ୍ୟା ୨୨ କୋଟି ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୭୦ ଲକ୍ଷ ହିନ୍ଦୁ ରହୁଛନ୍ତି । ଏମାନଙ୍କ ସୁରକ୍ଷା ନେଇ ପାକିସ୍ତାନ ସରକାର ସବୁବେଳେ ଉଦାସୀନ । ପୂର୍ବରୁ ଜଣେ ହିନ୍ଦୁଙ୍କ ଦୋକାନ ଭାଙ୍ଗିବା ସହ ତାଙ୍କୁ ବିଚ୍ ରାସ୍ତାରେ ମାଡ ମାରିଥିଲେ କିଛି ସ୍ଥାନୀୟ ଲୋକେ । ଏହି ଘଟଣାକୁ ନେଇ ସେସମୟରେ ଦୁର୍ବୃତ୍ତଙ୍କ ବିରୋଧରେ ପ୍ରଦର୍ଶନ କରି ନ୍ୟାୟ ମାଗିଥିଲା ହିନ୍ଦୁ ସମିତି । ହେଲେ ପାକିସ୍ତାନ ସରକାର କିଛି ପଦକ୍ଷେପ ନେଇନଥିଲା । ଏହିପରି ଅନେକ ଥର ହିନ୍ଦୁଙ୍କ ଉପରେ ଆକ୍ରମଣ ହେବାର ନଜିର ଥିଲେ ବି ଏଠିକାର ସରକାର କୌଣସି ସ୍ଥାୟୀ ସମାଧାନ ନକରିବା ଏଠିକାର ହିନ୍ଦୁ ସମୁଦାୟକୁ ଅତିଷ୍ଠ କରୁଛି ।