ଶାଶୂ ଓ ସ୍ତ୍ରୀଙ୍କ ଅତ୍ୟାଚାରରେ ଅତିଷ୍ଠ । ବେକରେ ରଶି ଦେଇ ଝୁଲିପଡିଲେ ଜ୍ୱାଇଁ । ବାପା-ମାଆଙ୍କୁ ମାଗିଲେ କ୍ଷମା, ଭାଇରାଲ୍ ହେଲା ଭିଡିଓ ।

312

କନକ ବ୍ୟୁରୋ: ଅନେକ ସମୟରେ ଆପଣ ଶୁଣିଥିବେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନିର୍ଯାତନା ସହି ନପାରି ବୋହୁ ଆତ୍ମହତ୍ୟା କରିବାର ଖବର । କିନ୍ତୁ ସ୍ତ୍ରୀ ଓ ଶାଶୁଙ୍କ ନିର୍ଯାତନା ସହି ନପାରି ସ୍ୱାମୀ ଆତ୍ମହତ୍ୟା କରିବା ଖବର ହୁଏତ କମ୍ ଶୁଣିଥିବେ । ହେଲେ, ଠିକ୍ ସେମିତି ସ୍ତ୍ରୀ ଓ ଶାଶୁଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରି ଦେଇଛନ୍ତି ବାଲେଶ୍ୱର ଜିଲ୍ଲାର ରାଜକିଶୋର ମହାନ୍ତି । ଫେସବୁକରେ ଲାଇଭ୍ କରି, ଅସହାୟତାର କାହାଣୀ କହିବା ସହ ହାଇଦ୍ରାବାଦରେ ଜୀବନ ହାରି ଦେଇଛନ୍ତି ।

  • ସୀମା ଟପିଲା ଶାଶୂ ଓ ସ୍ତ୍ରୀଙ୍କ ଅତ୍ୟାଚାର
  • ବେକରେ ରଶି ଦେଇ ଝୁଲିପଡିଲେ ଜ୍ୱାଇଁ

ଫେସବୁକରେ ଅସହାୟତାର କାହାଣୀ କହିଲେ ଓ ଜୀବନ ହାରିଦେଲେ । ହାଇଦ୍ରାବାଦରେ ରହୁଥିବା ବାଲେଶ୍ୱର ଜିଲ୍ଲା ବଡମନ୍ଦାରୁଣୀର ରାଜକିଶୋର ମହାନ୍ତିଙ୍କ କରୁଣ କାହାଣୀ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆତ୍ମହତ୍ୟା କରିବା ପୂର୍ବରୁ ରାଜକିଶୋର ଫେସବୁକରେ ୮ମିନିଟ ୫ ସେକେଣ୍ଡର ଏକ ଭିଡିଓ ଅପଲୋଡ କରିଛନ୍ତି । ଯେଉଁଥିରେ ନିଜ ମୃତ୍ୟୁ ପାଇଁ ସେ ସ୍ତ୍ରୀ ଓ ଶାଶୂଙ୍କୁ ଦାୟୀ କରିଛନ୍ତି । ଫେସବୁକରେ ଭିଡିଓ ଛାଡିବା ପରେ ହାଇଦ୍ରାବାଦ ସ୍ଥିତ ନିଜ ଭଡା ଘରେ ଆତ୍ମହତ୍ୟା କରିଛନ୍ତି ରାଜକିଶୋର ।

ମାର୍ଚ୍ଚ ୬ରେ ରାଜକିଶୋରଙ୍କ ଅଭାବନୀୟ ମୃତ୍ୟୁ ଖବର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ବାପା-ମାଆ ପାଗଳପ୍ରାୟ ହୋଇଯାଇଛନ୍ତି । ଭାଇରାଲ ଭିଡିଓରେ ରାଜକିଶୋର ବାପା ମାଆଙ୍କ ପାଇଁ କିଛି କରିପାରିନଥିବାରୁ କୋହଭରା କଣ୍ଠରେ କ୍ଷମା ମାଗିଛନ୍ତି । ରାଜକିଶୋର କିଛି ବର୍ଷ ହେଲା ସ୍ତ୍ରୀ ଓ ପିଲାଙ୍କୁ ନେଇ ହାଇଦ୍ରାବାଦରେ ରହୁଥିଲେ । ହେଲେ ସ୍ତ୍ରୀ ଓ ଶାଶୂଙ୍କ ନିର୍ଯାତନା ଅସହ୍ୟ ହେବାରୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଥିଲେ । ଏପରିକି ଦେହ ଅସୁସ୍ଥ ଥିଲା ବେଳେ ସ୍ତ୍ରୀ ପାଣି ମୁନ୍ଦାଏ ଦେଲେନାହିଁ, ଏପରିକି ପୁଅକୁ ପାଣି ନଦେବାକୁ ସ୍ତ୍ରୀ ତାଗିଦ୍ କରିଥିବା ରାଜକିଶୋର କହିଛନ୍ତି ।

ମାର୍ଚ୍ଚ ୬ରେ ଘରେ କେହିନଥିଲା ବେଳେ ଫେସବୁକରେ ଭିଡିଓ ଅପଲୋଡ କରି ବେକରେ ରଶି ଦେଇ ଝୁଲିପଡିଥିଲେ ରାଜକିଶୋର । ସମ୍ପର୍କୀୟ ଫେସବୁକ୍ ଭିଡ଼ିଓ ଦେଖି ତାଙ୍କ ଭଡ଼ାଘରେ ପହଞ୍ଚି ଘର ଭାଙ୍ଗି ମୃତଦେହକୁ ଉଦ୍ଧାର କରିଛନ୍ତି ।