ସଫଳତା ପାଇଁ ଆଇଏଏସ ଟପରଙ୍କ ଟିପ୍ସ ! କହିଲେ ନିଜ ପାଖରେ ଥିବା ସାମର୍ଥ୍ୟ ଓ ଦୁର୍ବଳତାକୁ ଚିହ୍ନ, କଠିନ ପରିଶ୍ରମ ଓ ଗଭୀର ଆତ୍ମବିଶ୍ୱାସ ସଫଳତାର ଚାବିକାଠି । 

424

କନକ ବ୍ୟୁରୋ : ଅଧିକାଂଶ ମେଧାବୀ ଛାତ୍ରଛାତ୍ରୀ ଚାହାଁନ୍ତି ଆଇଏଏସ ହେବାକୁ । ହେଲେ କିପରି ପ୍ରସ୍ତୁତି କରିବେ, ଏ ନେଇ ଦ୍ୱନ୍ଦ୍ୱ ଉପୁଜିଥାଏ । ମନରେ ପ୍ରଶ୍ନ ଉଠିଥାଏ, କିପରି ପାଇବେ ଆଇଏଏସ ପରୀକ୍ଷାରେ ସଫଳତା? ଦିନକୁ କେତେ ଘଂଟା ପ୍ରସ୍ତୁତି କରିବାକୁ ପଡିବ ? ଏ ନେଇ ଆଶାୟୀଙ୍କୁ ଟିପ୍ସ ଦେଇଛନ୍ତି ଆଇଏଏସ ଟପ୍ପର ।

ଆଇଏଏସ୍ ଟପ୍ପର କନିଷ୍କ କଟାରିଆ । ସିଭିଲ ସର୍ଭିସ ପରୀକ୍ଷାରେ ଏକ ନମ୍ବର ସ୍ଥାନ ପାଇଛନ୍ତି କନିଷ୍କ । ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍କ, ଆଇଆଇଟି ମୁମ୍ବାଇରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରିଛନ୍ତି । ଆଇଏଏସ ପରୀକ୍ଷାରେ ତାଙ୍କର ମୁଖ୍ୟ ବିଷୟ ଥିଲା ଗଣିତ । କନିଷ୍କଙ୍କ ମତରେ ନିଜ ପାଖରେ ଥିବା ସାମର୍ଥ୍ୟ ଓ ଦୁର୍ବଳତାକୁ ଚିହ୍ନ । ଅଯଥାରେ କାହାକୁ ଅନୁସରଣ କରନାହିଁ, ନିଜ ପାଇଁ ନିଜେ ପ୍ରସ୍ତୁତ କର ରଣନୀତି ।

ସୃଷ୍ଟି ଜୟନ୍ତ ଦେଶମୁଖ । ଆଇଏଏସ ପରୀକ୍ଷାରେ ଅଲ ଇଣ୍ଡିଆ ର‌୍ୟାଙ୍କ୍ ୫ ନମ୍ବର ସ୍ଥାନରେ ରହିଛନ୍ତି ସୃଷ୍ଟି । ଆଉ ମହିଳାଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି ଭୋପାଳର ଏହି ମେଧାବୀ ଛାତ୍ରୀ । କେମିକାଲ୍ ଇଂଜିନିୟରିଂ ପରେ ଆଇଏଏସ ପ୍ରସ୍ତୁତି କରିଥିବା ସୃଷ୍ଟି କହିଛନ୍ତି ଆତ୍ମ ବିଶ୍ୱାସ ହିଁ ସଫଳତାର ଚାବିକାଠି ।

ଟପ୍ପରଙ୍କ ଟିପ୍ସ..

• ପ୍ରତିଦିନ ୫-୬ ଘଂଟା ପାଠପଢ଼ା

• ଯୋଜନାବଦ୍ଧ ପ୍ରସ୍ତୁତି

• ନିଜ ଉପରେ ବିଶ୍ୱାସ

• ଆତ୍ମବିଶ୍ୱାସ ହିଁ ସଫଳତାର ଚାବିକାଠି

ଉପାସନା ମହାପାତ୍ର । ଆଇଏଏସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ  ୧୧୯ ତମ ସ୍ଥାନରେ ରହିଛନ୍ତି ଭୁବନେଶ୍ୱରର ଉପାସନା । ପ୍ରଶାସନିକ ସେବା ପରୀକ୍ଷାରେ କିପରି ସଫଳତା ମିଳିବ, ଏ ନେଇ ଟିପ୍ସ ଦେଇଛନ୍ତି ଓଡ଼ିଶାର ଏହି କୃତିଛାତ୍ରୀ । ଲକ୍ଷ୍ୟ ସ୍ଥିର କରି ଉଦ୍ୟମ ଜାରି ରଖିଲେ ନିଶ୍ଚିନ୍ତ ସଫଳତା ମିଳିବ ବୋଲି କନକ ନ୍ୟୁଜକୁ କହିଛନ୍ତି ଉପାସନା ।

ଟପ୍ପରଙ୍କ ଟିପ୍ସ..

• କଠିନ ପରିଶ୍ରମ

• ଯୋଜନାବଦ୍ଧ ପ୍ରସ୍ତୁତି

• ନିଜସ୍ୱ କୌଶଳ

• ଦୃଢ଼ ମନୋବଳ

• ଗଭୀର ଆତ୍ମବିଶ୍ୱାସ