ଦେଶର ୧୦ ଧନୀ ମନ୍ଦିର ! କେଉଁଠି ମହାବିଷ୍ଣୁଙ୍କ ଗଳାରେ ଶୋଭା ପାଉଛି ୧୮ ଫୁଟର ସୁନା ହାର ତ ପୁଣି କେଉଁଠି ଗଣେଶଙ୍କ ମୂତ୍ତିରେ ଲାଗିଛି ୩.୭ କେଜିର ସୁନା

196

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଯେତିକି ସମୟ ପାଖେଇ ଆସୁଛି ଜଗନ୍ନାଥ ପ୍ରେମୀଙ୍କ ମନରେ ସେତିକି ଉକ୍ରଣ୍ଠା ବଢିବାରେ ଲାଗିଛି । ରତ୍ନଭଣ୍ଡାର କେତେ ଓ କେଉଁ ପ୍ରକାର ଅଳଙ୍କାର ଅଛି ଏହା ଜାଣିବା ପାଇଁ ଅଧିକାଂଶ ଲୋକ ବ୍ୟଗ୍ର । କେବଳ ପୁରୀ ଶ୍ରୀମନ୍ଦିର ନୁହେଁ ଭାରତର ଏମିତି ଅନେକ ମନ୍ଦିର ରହିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ଏହିସବୁ ମନ୍ଦିରର ସୌନ୍ଦର୍ଯ୍ୟବୋଧ ମନକୁ କେବଳ ଛୁଏଁ ନାହିଁ, ଏହା କେତେ ସମ୍ପତିର ଅଧିକାରୀ ସେ ନେଇ ଏକ ସ୍ୱତଃପ୍ରବୃତ୍ତ ପ୍ରଶ୍ନଟିଏ ମନ ଭିତରେ ଉଙ୍କି ମାରେ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଭଳି ସୁନା, ରୂପା, ହୀରା, ମୁକ୍ତା ଓ ମାଣିକ ମଧ୍ୟ ଏହି ସବୁ ମନ୍ଦିରର ସମ୍ପତି । ଆସନ୍ତୁ ଜାଣିବା ଦେଶର ଏଭଳି କିଛି ଧନୀ ମନ୍ଦିର ବିଷୟରେ ।

ପଦ୍ମନାଭସ୍ୱାମୀ ମନ୍ଦିର,କେରଳ: କେରଳର ପଦ୍ମନାଭସ୍ୱାମୀ ମନ୍ଦିରକୁ ଦେଶର ଧନୀ ମନ୍ଦିର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାର ସମ୍ପତ୍ତିର ମୂଲ୍ୟ ପାଖାପାଖି ୨୦ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ୧,୩୬,୦୯୯ କୋଟି ଟଙ୍କା )ବୋଲି ଆକଳନ କରାଯାଇଛି । ଏହି ମନ୍ଦିରରେ ମହାବିଷ୍ଣୁଙ୍କ ଏକ ବଡ଼ ପ୍ରତିମୂର୍ତ୍ତି ରହିଛି,ଯାହାର ମୂଲ୍ୟ ହେଉଛି ୫୦୦ କୋଟି । ତାଛଡା ମହାବିଷ୍ଣୁଙ୍କ ଗଳାରେ ଗଳାରେ ଏକ ସୁନାର ହାର ଶୋଭା ପାଉଛି, ଯାହାର ଲମ୍ବ ହେଉଛି ୧୮ ଫୁଟ ଓ ଓଜନ ହେଉଛି ଅଢେଇ କେଜି । ଏହି ମନ୍ଦିରରେ ବହୁକାଳର ସୁନା, ରୂପା, ହୀରା, ମୋତିମାଣିକ ଭଳି ଅଳଙ୍କାର ରହିଛି ।ଏହିସବୁ ଅଳଙ୍କାର ହିଁ ମନ୍ଦିରକୁ ସବୁଠୁ ଧନୀରେ ପରିଗଣିତ କରିଛି । ଏହି ମନ୍ଦିର ଦ୍ରାବିଡୀୟ ଶୈଳୀରେ ନିର୍ମିତ ହୋଇଛି ।

ତିରୁମାଲା ତିରୁପତି ଭେଙ୍କଟେଶ୍ୱର ମନ୍ଦିର, ଆନ୍ଧ୍ରପ୍ରଦେଶ: ପ୍ରଥମେ ତିରୁମାଲା ତିରୁପତି ମନ୍ଦିରକୁ ଦେଶର ସବୁଠୁ ଧନୀ ମନ୍ଦିର ଭାବେ ବିବେଚନା କରାଯାଉଥିଲା । କିନ୍ତୁ ପଦ୍ମନାଭସ୍ୱାମୀ ମନ୍ଦିରର ସମସ୍ତ ସମ୍ପତି ଆକଳନ ପରେ ଏହା ଏବେ ଦେଶର ଦ୍ୱିତୀୟ ଧନୀ ମନ୍ଦିର ଭାବେ ସ୍ଥାନ ପାଇଛି । ପ୍ରତିଦିନ ଏହି ମନ୍ଦିରକୁ ୬୦,୦୦୦ ଭକ୍ତ ଦର୍ଶନ କରିବାକୁ ଆସିଥାନ୍ତି । ଏହି ମନ୍ଦିରରେ ବିରାଜମାନ କରିଥିବା ଭଗବାନ ଭେଙ୍କଟେଶ୍ୱର ୧୦୦୦ କିଲୋଗ୍ରାମର ଅଳଙ୍କାର ପରିଧାନ କରିଛନ୍ତି । କେବଳ ଲଡ଼ୁ ବିକ୍ରିରୁ ବର୍ଷକୁ ୭୫ କୋଟି ଟଙ୍କା ମନ୍ଦିର ପାଣ୍ଠିକୁ ଆସିଥାଏ ।

ଶିରିଡି ସାଇବାବା ମନ୍ଦିର , ମହାରାଷ୍ଟ୍ର: ସାଇବାବାଙ୍କୁ କିଏ ବା ନ ଜାଣେ । ସାଇବାବାଙ୍କ ଅଲୌକିକତା ଦେଶବିଦେଶରେ ବେଶ୍ ଖ୍ୟାତ । ସାଇବାବାଙ୍କ ଲକ୍ଷ ଲକ୍ଷ ଅନୁଗାମୀ ଦେଉଥିବା ଦାନ ଅର୍ଥ ହିଁ ଶିରିଡି ଠାରେ ଥିବା ସାଇଙ୍କ ମନ୍ଦିରକୁ ବେଶ ଧନାଢ୍ୟ କରିଛି । ଏକ ଆକଳନ ଅନୁଯାୟୀ, ବର୍ଷକୁ ପ୍ରାୟ ଦାନ ସୁତ୍ରରେ ଏହି ମନ୍ଦିରକୁ ୩୬୦ କୋଟି ଟଙ୍କା ଆସିଥାଏ ।

ବୈଷ୍ଣୋଦେବୀ ମନ୍ଦିର, ଜମ୍ମୁ: ବୈଷ୍ଣୋଦେବୀ ମନ୍ଦିର ହେଉଛି ଦେଶର ଏକ ପ୍ରାଚୀନ ଓ ଧନୀ ମନ୍ଦିର ।ଏହି ମନ୍ଦିରରେ ମାତା ବୈଷ୍ଣୋଦେବୀ ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିରର ବାର୍ଷିକ ଆୟ ହେଉଛି ୫୦୦ କୋଟି । ପ୍ରତିବର୍ଷ ଏଠାକୁ ୮ ନିୟୁତ ଶ୍ରଦ୍ଧାଳୁ ବେଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିଥାନ୍ତି । ତିରୁପତି ପରେ ଦ୍ୱିତୀୟ ସର୍ବାଧିକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ।

ସିଦ୍ଧି ବିନାୟକ ମନ୍ଦିର, ମୁମ୍ବାଇ: ମହାରାଷ୍ଟ୍ରରେ ଲୋକମାନେ ଗଣେଶଙ୍କୁ ଆରାଧ୍ୟ ଦେବତା ଭାବେ ବିଶ୍ୱାସ କରନ୍ତି । ଏଥିପାଇଁ ଗଣେଶ ଉତ୍ସବରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି ମୁମ୍ବାଇବାସୀ । ବର୍ଷକୁ ପ୍ରାୟ ୪୮ କୋଟିରୁ ୧୨୫ କୋଟି ଟଙ୍କା ଆୟ କରିଥାଏ ସିଦ୍ଧି ବିନାୟକ ମନ୍ଦିର । ଏଠାରେ ଥିବା ମନ୍ଦିରରେ ଗଣେଶଙ୍କ ମୂର୍ତ୍ତିରେ ୩.୭ କିଲୋ ସୁନା ଛାଉଣୀ କରାଯାଇଛି ।

ପୁରୀ ଜଗନ୍ନାଥ ମନ୍ଦିର, ଓଡ଼ିଶା : ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରା ଏଠାରେ ପୂଜା ପାଇଥାନ୍ତି । ପ୍ରତିଦିନି ଲକ୍ଷ ଲକ୍ଷ ଲୋକ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥାନ୍ତି । ଖାସ୍ କରି ରଥଯାତ୍ରା ଓ ସୁନାବେଶ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ ପୁରୀରେ । ପୁରୀ ଶ୍ରୀମନ୍ଦିରର ବାର୍ଷିକ ଆୟ ପାଖାପାଖି ୧୮୫ କୋଟି ଟଙ୍କା । ଏହାଛଡା ସୁନାବେଶ ସମୟରେ ତିନି ଠାକୁରଙ୍କୁ ଯେଉଁଭଳି ଭାବେ ସୁନା ଅଳଙ୍କାରରେ ସଜ୍ଜିତ କରା ଯାଇଥାଏ ତାହା ବିଦେଶୀ ଭକ୍ତଙ୍କୁ ପୁରୀକୁ ଟାଣି ଆଣିଥାଏ ।

ସ୍ୱର୍ଣ୍ଣ ମନ୍ଦିର, ଅମୃତସର : ଶିଖ୍ ସମ୍ପ୍ରଦାୟର ଏହି ମନ୍ଦିର ହରିମନ୍ଦିର ସାହିବ ବା ସ୍ୱର୍ଣ୍ଣମନ୍ଦିର ଭାବେ ଜଣାଶୁଣା । ଏହି ମନ୍ଦିରର ସ୍ୱର୍ଣ୍ଣିମ ଆବରଣ ସାଙ୍ଗକୁ ଏହାର କାରୁକାର୍ଯ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରତିବର୍ଷ ପାଖାପାଖି ୪୦୦୦୦ ପର୍ଯ୍ୟଟକ ମନ୍ଦିର ପରିଦର୍ଶନରେ ଆସିଥାନ୍ତି । ଏହି ମନ୍ଦିରର ବାର୍ଷିକ ଆୟ ପାଖାପାଖି ୧୦୦ କୋଟି ଟଙ୍କା ହେବ ।

ମୀନାକ୍ଷି ମନ୍ଦିର, ମଦୁରାଇ : ମଦୁରାଇର ଏହି ପ୍ରସିଦ୍ଧ ମନ୍ଦିରକୁ ବର୍ଷକୁ ପ୍ରାୟ ୨୦ରୁ୩୦ ହଜାର ପର୍ଯ୍ୟଟକ ଆସିଥାନ୍ତି । ଏହାର ବାର୍ଷିକ ଆୟ ୬୦ ନିୟୁତ । ଏଠାରେ ସୁନାରେ ତିଆରି ୨ଟି ବିମାନ ରହିଛି । ଏହାବାଦ ବହୁ ପରିମାଣରେ ସୁନାରୂପା ଅଳଙ୍କାର ରହିଛି । ଏଠାରେ ସୁନ୍ଦରେଶ୍ୱରଙ୍କ ପତ୍ନୀ ମୀନାକ୍ଷି ପୂଜା ପାଇ ଆସୁଛନ୍ତି ।

କାଶୀ ବିଶ୍ୱନାଥ ମନ୍ଦିର, ବାରଣାସୀ : କାଶୀ ବିଶ୍ୱନାଥ ମନ୍ଦିରହେଉଛି ଉତ୍ତରପ୍ରଦେଶର ଏକ ପ୍ରମୁଖ ଧର୍ମୀୟ ପୀଠ । ପ୍ରତିବର୍ଷ ଏହି ମନ୍ଦିରକୁ ଦେଶବିଦେଶୁ ଲକ୍ଷାଧିକ ଭକ୍ତ ଆସିଥାନ୍ତି । ବର୍ଷକୁ ପ୍ରାୟ ୪ରୁ ୫ କୋଟି ଟଙ୍କା ଦାନସୁତ୍ରରେ ମିଳିଥାଏ । ଏହି ମନ୍ଦିରରେ ଦୁଇଟି ଗମ୍ବୁଜ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ସୁନାରେ ଛାଉଣି ।

ସୋମନାଥ ମନ୍ଦିର, ଗୁଜରାଟ : ସୁନା, ରୂପା ଅଳଙ୍କାର ଲୁଟ୍ ପାଇଁ ଏହି ମନ୍ଦିର୍ରୁ ପ୍ରାୟ ୧୭ ଥର ଲୁଣ୍ଠନ କରାଯାଇଛି । ତଥାପି ଏହି ମନ୍ଦିରରେ ଯେତିିକି ସମ୍ପତ୍ତି ରହିଛି ତାହା ମନ୍ଦିରକୁ ଦେଶର ଅନ୍ୟତମ ଧନୀ ମନ୍ଦିର ତାଲିକାରେ ସ୍ଥାନ ଦେଇଛି । ଏହାର ବାର୍ଷିକ ଆୟ ୭୫ କୋଟି ଟଙ୍କା ।