ଆଇପିଏଲର ଦାମୀ ଖେଳାଳି । ନିଲାମୀରେ ହିରୋ ସାଜିଲେ ମୋରିସ, କିନ୍ତୁ ଏବେ ବି ଅଧିକ ଟଙ୍କା ପାଉଛନ୍ତି କ୍ୟାପଟେନ କୋହଲି ।

85

କନକ ବ୍ୟୁରୋ : ସରିଛି ଆଇପିଏଲ ନିଲାମୀ । ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ରିସ୍ ମୋରିସ ଚଳିତ ନିଲାମୀରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇ ନୂଆ ରେକର୍ଡ କରିଛନ୍ତି । ଏପରିକି ଆଇପିଏଲ ଇତିହାସରେ ମୋରିସ ସର୍ବାଧିକ ଟଙ୍କାରେ ବିକ୍ରି ହେବାର ରେକର୍ଡ ନିଜ ନାଁରେ କରିଛନ୍ତି । ମୋରିସଙ୍କୁ ୧୬.୨୫ କୋଟିରେ ରାଜସ୍ଥାନ ରୟାଲ୍ସ କିଣିଛି । ଏହାସତ୍ତେ୍ୱ ମଧ୍ୟ ଏପର୍ଯ୍ୟନ୍ତ ଆଇପିଏଲରେ ସର୍ବାଧିକ ଦରମା ନେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି । କୋହଲିଙ୍କ ପରେ ଦ୍ୱିତୀୟ ସର୍ବାଧିକ ଦରମାପ୍ରାପ୍ତ ଖେଳାଳି ଭାବେ ଉଭା ହୋଇଛନ୍ତି ମୋରିସ । ୨୦୧୮ରେ କୋହଲିଙ୍କୁ ୧୭ କୋଟି ଟଙ୍କାରେ ରିଟେନ କରିଥିଲା ଆରସିବି । ତେବେ ଆସନ୍ତୁ ଜାଣିବା ଆଇପିଏଲରେ ସର୍ବାଧିକ ଦରମା ପ୍ରାପ୍ତ ଟପ୍-୧୦ ଖେଳାଳି କିଏ?

ବିରାଟ କୋହଲି : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କୁ ଆଇପିଏଲରେ ସବୁଠୁ ଅଧିକ ଦରମା ମିଳୁଛି । ଆଇପିଏଲ ଇତିହାସରେ ସର୍ବାଧିକ ଦରମା ପାଉଥିବା ଖେଳାଳିଙ୍କ ମଧ୍ୟରେ କୋହଲି ଟପ୍-୧ରେ ରହିଛନ୍ତି । ୧୭ କୋଟି ଟଙ୍କା ଦରମା ସହ ବିରାଟ କୋହଲି ଏହି ତାଲିକାର ଶୀର୍ଷରେ ରହିଛନ୍ତି । ୨୦୧୩ ମସିହାରୁ ଆରସିବିର ଅଧିନାୟକ ଦାୟିତ୍ୱ ସମ୍ଭାଳିଛନ୍ତି କୋହଲି । ତେବେ କୋହଲିଙ୍କ ନେତୃତ୍ୱରେ ଏଯାଏଁ ଥରୁଟିଏ ବି ଚାମ୍ପିୟନ ହୋଇପାରିନାହିଁ ଆରସିବି ।

କ୍ରିସ୍ ମୋରିସ : ବିରାଟ କୋହଲିଙ୍କ ପରେ ସବୁଠୁ ଅଧିକ ଟଙ୍କା ପାଉଥିବା ଖେଳାଳି ଭାବେ ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର ମୋରିସ ସାମ୍ନାକୁ ଆସିଛନ୍ତି । ଆଇପିଏଲ ନିଲାମୀରେ ୧୬.୨୫ କୋଟି ଟଙ୍କାରେ ବିକ୍ରି ହେବା ସହ ଏହି ସଫଳତା ହାସଲ କରିଛନ୍ତି ମୋରିସ । ନିଲାମୀ ପୂର୍ବରୁ ମୋରିସଙ୍କୁ ଆରସିବି ରିଲିଜ କରିଥିଲା । କିନ୍ତୁ ତାଙ୍କର ଚାହିଦା ଯେ ଏତେ ବଢିଯିବ ତାହା କେବେ କଳ୍ପନା ମଧ୍ୟ କରିନଥିଲେ କୋହଲି । ଗତ ଆଇପିଏଲରେ ଆରସିବି ପକ୍ଷରୁ ଦମଦାର ପ୍ରଦର୍ଶନ କରିଥିଲେ ମୋରିସ ।

ପ୍ୟାଟ କମିନ୍ସ : ସର୍ବାଧିକ ଟଙ୍କା ପାଉଥିବା ଖେଳାଳିଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି କୋଲକାତା ନାଇଟ ରାଇଡର୍ସର ପ୍ୟାଟ କମିନ୍ସ । ଅଷ୍ଟ୍ରେଲୀୟ ଦ୍ରୁତ ବୋଲର କମିନ୍ସଙ୍କୁ ଗତ ଆଇପିଏଲ ନିଲାମୀରେ ସର୍ବାଧିକ ୧୫.୫ କୋଟି ଟଙ୍କା ଦେଇ କିଣିଥିଲା କୋଲକାତା ନାଇଟ ରାଇଡର୍ସ ।

ମହେନ୍ଦ୍ର ସିଂ ଧୋନି : ଭାରତର ପୂର୍ବତନ ଅଧିନାୟକ ତଥା ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ଧୋନି ୧୫ କୋଟି ଟଙ୍କା ପାଉଥିବା ବେଳେ ୨୦୦୮ରୁ ଚେନ୍ନାଇର ଅଧିନାୟକ ରହିଛନ୍ତି । ଏପରିକି ଧୋନିଙ୍କ ନେତୃତ୍ୱରେ ୨୦୧୦, ୨୦୧୧ ଓ ୨୦୧୮ରେ ଚାମ୍ପିୟନ ହୋଇଛି ଚେନ୍ନାଇ । ତେବେ ୨୦୧୯ରେ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ମଧ୍ୟ ଏବେ ବି ଆଇପିଏଲ ଖେଳିବା ଜାରି ରଖିଛନ୍ତି ।

ରୋହିତ ଶର୍ମା : ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଆଇପିଏଲରେ ସର୍ବାଧିକ ଟଙ୍କା ପାଉଥିବା ଖେଳାଳିଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛନ୍ତି । ହିଟମ୍ୟାନ୍ ରୋହିତ ଶର୍ମାଙ୍କୁ ସିଜିନ୍ ପିଛା ୧୫ କୋଟି ଟଙ୍କା ଦେଉଛି ମୁମ୍ବାଇ ଇଣ୍ଡିଆନ୍ସ । ଆଉ ବଦଳରେ ମୁମ୍ବାଇକୁ ୫ ଥର ଚାମ୍ପିୟନ କରାଇଛନ୍ତି ରୋହିତ । ଏପରିକି କରୋନା କାଳରେ ଖେଳାଯାଇଥିବା ଆଇପିଏଲରେ ମଧ୍ୟ ମୁମ୍ବାଇକୁ ଚାମ୍ପିୟନ କରାଇଥିଲେ ରୋହିତ ।

ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ଋଷଭ ପନ୍ତ ୧୫ କୋଟି ଟଙ୍କା ପାଉଥିବା ବେଳେ ଏହି ତାଲିକାର ଷଷ୍ଠରେ ରହିଛନ୍ତି । ଚଳିତ ଆଇପିଏଲ ନିଲାମୀରେ ସମସ୍ତଙ୍କୁ ଚକିତ କରିଥିବା କାଇଲ ଜେମିସନ ଏହି ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି । ଜେମିସନଙ୍କୁ ୧୫ କୋଟି ଟଙ୍କାରେ କିଣିଛି ବାଙ୍ଗାଲୋର । ପ୍ରଥମ ଥର ପାଇଁ ଡେବ୍ୟୁ କରୁଥିବା ଜେମିସନ ଏତେ ଟଙ୍କାରେ ବିକ୍ରି ହେବେ ତାହା କେହି କଳ୍ପନା ମଧ୍ୟ କରିନଥିଲେ ।

ଚଳିତ ଆଇପିଏଲର ନିଲାମୀ ପରେ ଗ୍ଲେନ ମ୍ୟାକ୍ସୱେଲ ସର୍ବାଧିକ ଟଙ୍କା ପାଉଥିବା ଖେଳାଳିଙ୍କ ତାଲିକାର ଅଷ୍ଟମ ସ୍ଥାନକୁ ଉଠିଛନ୍ତି । ମ୍ୟାକ୍ସୱେଲଙ୍କୁ ୧୪.୨୫ କୋଟି ଟଙ୍କାରେ କିଣିଛି ଆରସିବି । ଏହାପୂର୍ବରୁ ଆଇପିଏଲରେ ମୁମ୍ବାଇ, ପଞ୍ଜାବ, ଦିଲ୍ଲୀ ପକ୍ଷରୁ ଖେଳି ସାରିଛନ୍ତି ମ୍ୟାକ୍ସୱେଲ । ସେହିଭଳି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜାୟ ରିଚାର୍ଡସନଙ୍କୁ ୧୪ କୋଟି ଟଙ୍କାରେ କିଣି ସମସ୍ତଙ୍କୁ ଚମକାଇ ଦେଇଛି ପଞ୍ଜାବ । ଚଳିତଥର ନିଜର ପ୍ରଥମ ଆଇପିଏଲ ଡେବ୍ୟୁ କରିବେ ରିଚାର୍ଡସନ । କିନ୍ତୁ ୧୪ କୋଟି ଟଙ୍କାରେ କିଣାହେବା ସହ ଆଇପିଏଲରେ ସର୍ବାଧିକ ଟଙ୍କା ପାଉଥିବା ଖେଳାଳିଙ୍କ ତାଲିକାର ନବମ ସ୍ଥାନକୁ ଏଣ୍ଟ୍ରି ମାରିଛନ୍ତି ରିଚାର୍ଡସନ । ଆଇପିଏଲରେ ସର୍ବାଧିକ ଟଙ୍କା ପାଉଥିବା ଖେଳାଳିଙ୍କ ତାଲିକାରେ ୧୦ ସ୍ଥାନରେ ରହିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ ୱାର୍ଣ୍ଣର । ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ୍ ୱାର୍ଣ୍ଣରଙ୍କୁ ୧୨.୫ କୋଟି ଟଙ୍କା ଦେଉଛି ସନରାଇଜର୍ସ ହାଇଦ୍ରାବାଦ । ଆଉ ୱାର୍ଣ୍ଣରଙ୍କ ନେତୃତ୍ୱରେ ୨୦୧୬ରେ ଚାମ୍ପିୟନ ମଧ୍ୟ ହୋଇଛି ହାଇଦ୍ରାବାଦ । କୋଲକାତାର ସୁନୀଲ ନାରାୟଣ ଓ ରାଜସ୍ଥାନ ରୟାଲ୍ସର ବେନ ଷ୍ଟୋକ୍ସ ମଧ୍ୟ ୧୨.୫ କୋଟି ଟଙ୍କା ପାଉଛନ୍ତି ।