ଦୁର୍ଦ୍ଦାନ୍ତ ମାଓବାଦୀ ଦୁବାସୀ ଶଙ୍କର ଗିରଫ, ମୁଣ୍ଡ ଉପରେ ଥିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି । 

207

କନକ ବ୍ୟୁରୋ : ଓଡ଼ିଶା ପୋଲିସକୁ ମିଳିଛି ବଡ ସଫଳତା । ଦୁର୍ଦ୍ଦାନ୍ତ ମାଓବାଦୀ ଦୁବାସୀ ଶଙ୍କର ହାତରେ ହାତକଡି ପିନ୍ଧାଇଛି ଓଡ଼ିଶା ପୋଲିସ । ମାଓ କାର୍ଯ୍ୟକଳାପ ପାଇଁ ଷଡଯନ୍ତ୍ର କରୁଥିବା ବେଳେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଞ୍ଚଳରୁ ଶଙ୍କରକୁ ଗିରଫ କରାଯାଇଛି । ଏହି ଦୁର୍ଦ୍ଦାନ୍ତ ମାଓବାଦୀ ମୁଣ୍ଡ ଉପରେ ରହିଥିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଏହି ହାର୍ଡକୋର ମାଓବାଦୀ ଗିରଫ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

ପୋଲିସ ଡିଜିଙ୍କ ସୂଚନା ଅନୁସାରେ,  ୨୦୧୦ରେ ଗୋବିନ୍ଦପାଲି ଲ୍ୟାଣ୍ଡମାଇନ ବ୍ଲାଷ୍ଟରେ ରହିଥିଲା ଏହି ହାର୍ଡକୋର ମାଓବାଦୀର ହାତ । ଏହି ଭୟଙ୍କର ବିସ୍ଫୋରଣରେ ୧୧ ଜଣ ଓଡ଼ିଶା ପୋଲିସ ସହିଦ ହୋଇଥିଲେ । ସେହିପରି ଦାମନଯୋଡିରେ ୨୦୦୯ରେ ସିଆଇଏସଏଫ ଯବାନଙ୍କ ଉପରେ ଆକ୍ରମଣ ହୋଇଥିଲା ଆଉ ଏଥିରେ ୯ ଜଣ ଯବାନ ସହିଦ ହୋଇଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ୨୦ ବର୍ଷ ମଧ୍ୟରେ ଗିରଫ ହୋଇଥିବା ମାଓବାଦୀଙ୍କ ମଧ୍ୟରେ ଶଙ୍କର ହେଉଛି ସବୁଠୁ ଦୁର୍ଦ୍ଦାନ୍ତ ।

ଶଙ୍କରକୁ ଆଜି କୋର୍ଟ ଫରୱାର୍ଡ କରାଯାଇଥିବା ବେଳେ ତାକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଆଜି ଦ୍ୱିପ୍ରହରରେ ତାର ସହଯୋଗୀ ସହ ପୋଲିସର ଗୁଳିବିନିମୟ ହୋଇଥିଲା ।  ଆଉ ଏହାପରେ ଦୁର୍ଦ୍ଦାନ୍ତ ମାଓବାଦୀ ଦୁବାସୀକୁ ଗିରଫ କରାଯାଇଛି ।  ତେବେ ଏବର୍ଷ ୨୬ ଜଣ ମାଓବାଦୀ ଗିରଫ ହୋଇସାରିଲେଣି ।