ସସପେନ୍ସ ହଟିଲା, ସତ ସାମ୍ନାକୁ ଆସିଲା । ଟପ୍ ମାଓନେତା ରାମାନ୍ନାଙ୍କ ମୃତ୍ୟୁ ନେଇ ଆସିଲା ସବୁଠୁ ବଡ ପ୍ରମାଣ, ସାମ୍ନାକୁ ଆସିଲା ଅନ୍ତିମ ସଂସ୍କାର ସମୟର ଏକ୍ସକ୍ଲୁସିଭ୍ ଫଟୋ । 

883

କନକ ବ୍ୟୁରୋ :  ହଟିଲା ସସପେନ୍ସ । ଟପ୍ ମାଓ ଲିଡର ରାମାନ୍ନାଙ୍କ ଓରଫ ରାମକ୍ରିଷ୍ଣନଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ରାମାନ୍ନାଙ୍କ ଅନ୍ତିମ ସଂସ୍କାର ବେଳର ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟିଛି । ରାମାନ୍ନାଙ୍କ ମୃତ୍ୟୁ ନେଇ ମାଓ ସଙ୍ଗଠନ ପକ୍ଷରୁ ଅଡିଓ ଟେପ ଓ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଆଜି ରାମାନ୍ନାଙ୍କ ମୃତ୍ୟୁର ସ୍ପଷ୍ଟ ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ ।

ମାଓବାଦୀ ଓ ଗ୍ରାମବାସୀ ରାମାନ୍ନାଙ୍କ ମୃତଦେହକୁ ଶୋଭାଯାତ୍ରାରେ ନେବା ସହ ବସ୍ତରର ଘଞ୍ଚ ଜଙ୍ଗଲରେ ଅନ୍ତିମ ସଂସ୍କାର କରିଛନ୍ତି । ରାମାନ୍ନାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଉଥିବା ବେଳେ କିଛି ସାଥୀ ମାଓବାଦୀଙ୍କୁ ବନ୍ଧୁକ ଧରି ଯାଉଥିବାର ଦେଖିବାକୁ ମିଳିଛି । ଏପରିକି ରାମାନ୍ନାଙ୍କ ମରଶରୀରକୁ କିଛି ବନ୍ଧୁକଧାରୀ ମାଓବାଦୀ କାନ୍ଧ ଦେଇଥିବାର ଫଟୋରେ ଦେଖିବାକୁ ମିଳିଛି । ଦୀର୍ଘଦିନ ଧରି ରୋଗଗ୍ରସ୍ତ ରହିବା ପରେ ଗତ କିଛି ଦିନ ପୂର୍ବେ ଟପ୍ ମାଓ ଲିଡର ରାମାନ୍ନାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା ।

ଓଡ଼ିଶା ସମେତ ଛତିଶଗଡ଼, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ପୁଲିସ ପାଇଁ ରାମାନ୍ନା ଥିଲେ ମୋଷ୍ଟ ୱାଣ୍ଟେଡ। ଏକାଧିକ ଥର ପୁଲିସ ପକ୍ଷରୁ ଗିରଫ ପାଇଁ ପ୍ରୟାସ ହୋଇଥିଲେ ହେଁ ପ୍ରତ୍ୟେକ ଥର ସେ ଚକମା ଦେଇ ଖସି ଯାଉଥିଲେ। କେନ୍ଦ୍ରୀୟ କିମିଟି ସଦସ୍ୟ ତଥା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସମ୍ପାଦକ ଥିଲେ ରାମାନ୍ନା । ତାଙ୍କ ନାଁରେ ୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦରଭା ଘାଟିରେ କଂଗ୍ରେସ ନେତାଙ୍କୁ ଆକ୍ରମଣ ଓ ତାଡମେଟା ପରି ବଡ ବଡ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ରାମାନ୍ନା ।  ମୃତ୍ୟୁ ପୂର୍ବରୁ ରାମାନ୍ନାର ସ୍ୱାସ୍ଥ୍ୟବସ୍ଥା ଭଲନଥିଲା । ତେବେ ଉନ୍ନତ ଚିକିତ୍ସା ପରିବର୍ତ୍ତେ ଗିରଫ ଭୟରେ ସେ ବିଶେଷ ଚଳପ୍ରଚଳ କରୁ ନ ଥିଲେ। ଆତ୍ମଗୋପନ କରି ସଂଗଠନର ସଦସ୍ୟଙ୍କ ସହ ଶେଷ ପର୍ଯ୍ୟନ୍ତ ରହିଥିଲେ। ଶେଷରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।