ପୁଲୱାମାରେ ସେନାର ବଡ ଅପରେସନ୍ । ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର ୫ ଆତଙ୍କୀ ନିପାତ, ଜଣେ ଯବାନ ସହିଦ । 

212

କନକ ବ୍ୟୁରୋ : ୧୨ ଘଂଟାରୁ ଅଧିକ ସମୟ ଧରି ଜାରି ରହିଥିବା ପୁଲୱାମା ଏନକାଉଣ୍ଟର ଶେଷ ହୋଇଛି । ଆଉ ସେନା ଗୁଳିରେ ନିହତ ହୋଇଛନ୍ତି ଲସ୍କର-ଇ-ତୋଇବାର ୫ ଆତଙ୍କୀ । ସେପଟେ ଆତଙ୍କୀଙ୍କ ସହ ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି ।

ପୁଲୱାମାରେ ସେନାର ଏନକାଉଣ୍ଟର । ୫ଆତଙ୍କୀ ନିହତ, ଜଣେ ଯବାନ ସହିଦ । ଜମ୍ମୁକଶ୍ମୀର ପୁଲୱାମାରେ ସରିଲା ଏନକାଉଣ୍ଟର । ଦୀର୍ଘ ଘଂଟାର ଗୁଳିବିନିମୟ ପରେ ସେନାକୁ ମିଳିଛି ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଶୁକ୍ରବାର ଭୋରରୁ ରାଜପୋରା ଜିଲ୍ଲା ହାଜିନ ଗାଁରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଘେରିଥିଲେ ସୁରକ୍ଷାକର୍ମୀ । ପ୍ରତ୍ୟେକ ଆତଙ୍କୀ ସେନାର ଗୁଳିରେ ମୃତ୍ୟୁ ବରଣ କରିଛନ୍ତି । ନିହତ ହୋଇଥିବା ସମସ୍ତ ଆତଙ୍କୀ ଲସ୍କର-ଇ-ତୋଇବାର ବୋଲି ସୂଚନା ଦେଇଛନ୍ତି ଜମ୍ମୁକାଶ୍ମୀର ଆଇଜି । ଅନ୍ୟପଟେ ଗୁଳିବିନିମୟରେ ଜଣେ ଯବାନ ସହିଦ ହେବା ସହ ଜଣେ ସ୍ଥାନୀୟ ବାସିନ୍ଦା ମଧ୍ୟ ପ୍ରାଣ ହରାଇଛନ୍ତି ।

ପୁଲୱାମା ସ୍ଥିତ ରାଜପୁରା ଗାଁରେ ଆତଙ୍କୀ ଥିବା ଖବର ପାଇଥିଲେ ସ୍ଥାନୀୟ ପୋଲିସ୍ । ଏହାପରେ ପୋଲିସର ସହାୟତାରେ ସିଆରପିଏଫ ସହ ମିଶି ଗୁରୁବାର ସନ୍ଧ୍ୟାରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ଭାରତୀୟ ସେନା । ସେନାର ଅପରେସନ ବେଳେ ଲୁଚିରହିଥିବା ଆତଙ୍କବାଦୀ ପୋଲିସ ଉପରେ ଆକ୍ରମଣ କରିଥିଲେ । ସେନାର ପାଟ୍ରୋଲିଂ ଗାଡି ଉପରକୁ ଆକ୍ରମଣ କରି ଏହି ଆତଙ୍କବାଦୀମାନେ ଫେରାର ହୋଇଥିଲେ । ସେତେବେଳ ଠାରୁ ସେନାର ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଯାହା ଶୁକ୍ରବାର ମଧ୍ୟାହ୍ନରେ ଶେଷ ହୋଇଛି । ଘାଟିରେ ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ସେନା କରୁଛି ଲଗାତାର ସର୍ଚ୍ଚ ଅପରେସନ୍ । ଆଉ ନିପାତ ହେଉଛନ୍ତି ଆତଙ୍କୀ ।