କାମ ଦେଲାନି ନିର୍ଭୟା ସୈତାନଙ୍କ ସମସ୍ତ ଷଡଯନ୍ତ୍ର: ମୃତ୍ୟୁରୁ ବର୍ତ୍ତିବାର ସବୁ ରାସ୍ତା ଶେଷ; ୨୦ ମାର୍ଚ୍ଚ, ସକାଳ ସାଢେ ୫ଟାରେ ଫାଶୀ ଖୁଂଟରେ ୪ ସୈତାନ ଝୁଲିବା ଏକପ୍ରକାରେ ନିଶ୍ଚିତ

2,195

କନକ ବ୍ୟୁରୋ: ଆଉ କାମ କଲାନି ନିର୍ଭୟା ସୈତାନଙ୍କ କୌଣସି ବି ଚାଲ୍ । ନିର୍ଧାରିତ ସମୟରେ ହିଁ ଫାଶୀ ଖୁଂଟରେ ଝୁଲିବେ ୪ ନିର୍ଭୟା ସୈତାନ । ଏନେଇ ପଥ ପରିଷ୍କାର କରିଛନ୍ତି ସୁପ୍ରିମକୋର୍ଟ । କାରଣ ୪ ନିର୍ଭୟା ସୈତନାଙ୍କ ସମସ୍ତ ଆଇନଗତ ରାସ୍ତା ଏବେ ଶେଷ ହୋଇଛି । ଆଉ ଫାଶୀ ଖୁଂଟରେ ଝୁଲିବା ଏକପ୍ରକାରେ ନିଶ୍ଚିତ ହୋଇଛି । ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶର ଶେଷ ଷଡଯନ୍ତ୍ର ବି ନାକାମୀ ହୋଇଛି । କ୍ୟୁରେଟିଭ ଯାଚିକା ଏବଂ ରାଜକ୍ଷମା ପୁନର୍ବାର ଆବେଦନ କରିବାର ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।

ଦୁଇ ଜଣିଆ ଖଣ୍ଡପୀଠରେ ଦୋଷୀ ମୁକେଶର ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମୁକେଶ ନିଜ ଆବେଦନରେ କହିଛି କି, ତାର ପୂର୍ବତନ ଓକିଲ ବୁନ୍ଦା ଗ୍ରୋଭର ତା’ ଉପରେ ଚାପ ପକାଇ କ୍ୟୁରେଟିଭ ପିଟିସନ ଦାଖଲ କରାଇଥିଲେ । ତେଣୁ ତାକୁ ପୁନର୍ବାର ସୁଯୋଗ ଦିଆଯାଉ ବୋଲି ସୁପ୍ରିମକୋର୍ଟରେ ଅପିଲ କରିଥିଲା । ଯାହାକୁ ଖାରଜ କରିବା ସହ ଦୋଷୀ ମୁକେଶକୁ ଆଉ କୌଣସି ସୁଯୋଗ ଦିଆଯିବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ସର୍ବୋଚ୍ଚ ଅଦାଲତଙ୍କ ରାୟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ନିର୍ଧାରିତ ସମୟ ତଥା ମାର୍ଚ୍ଚ ୨୦ ତାରିଖ ସକାଳ ସାଢେ ୫ ଟାରେ ହିଁ ଫାଶୀ ଖୁଂଟରେ ଝୁଲିପାରନ୍ତି ୪ ସୈତାନ ।

ସେପଟେ ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖିବାକୁ ଆନ୍ତର୍ଜାତୀୟ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିର୍ଭୟା ଦୋଷୀ । ଫାଶୀ ଦଣ୍ଡ ଉପରେ ସ୍ଥଗିତାଦେଶ ଲଗାଇବାକୁ ଆବେଦନ କରିଛନ୍ତି ନିର୍ଭୟା ସୈତାନ । ଆନ୍ତର୍ଜାତୀୟ ନ୍ୟାୟାଳୟ ଏହି ଘଟଣାରେ ହସ୍ତକ୍ଷେପ କଲେ ପାଶୀ ତାରିଖ ପୁଣି ଘୁଞ୍ଚିବାର ଆଶଙ୍କା ଦେଖାଦେଇଛି । ଏହା ପୂର୍ବରୁ ସୁପ୍ରିମ କୋର୍ଟ ଅନ୍ୟତମ ଦୋଷୀ ମୁକେଶର ଏକ ଆବେଦନକୁ ଖାରଜ କରିଦେଇଥିଲେ । ପୂର୍ବ ଓକିଲମାନେ ତାଙ୍କୁ ଭ୍ରମିତ କରିଥିବା ଦର୍ଶାଇ ସେ ଆଉଥରେ କ୍ୟୁରେଟିଭ ପିଟିସନ ଦାଏର କରିବାକୁ ଆବେଦନ କରିଥିଲା । ତେବେ ଏହି ଆବେଦନରେ କୌଣସି ଯଥାର୍ଥତା ନାହିଁ ଦର୍ଶାଇ ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଏମଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଥିଲେ । ଗତ ମାର୍ଚ୍ଚ ୫ରେ ଦିଲ୍ଲୀର ଏକ କୋର୍ଟ ପୁଣି ଥରେ ଏକ ମୃତ୍ୟୁପରଓ୍ଵାନା ଜାରି କରି ଆସନ୍ତା ୨୦ ସକାଳ ୫ଟା ୩୦ରେ ନିର୍ଭୟା ଦୋଷୀମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଧାର୍ଯ୍ୟ ହୋଇଛି ।