ଚୀନ୍ ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ବୟାନ! କହିଲେ, ପ୍ରତିବର୍ଷ ଫେରିବ କରୋନା ଭୂତାଣୁ, ସଂକ୍ରମଣକୁ କାବୁ କରିବା ହେବ ମୁସକିଲ୍ ।

4,813

କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣୁର ଭୟାବହତା ଭିତରେ ଆଉ ଏକ ବଡ ଖବର ଆସିଛି । ବିଶେଷଜ୍ଞଙ୍କ ମତ ଅନୁଯାୟୀ ପ୍ରତିବର୍ଷ ଫେରିବ କରୋନା ଭୂତାଣୁ । ଚୀନର ପ୍ରମୁଖ ବୈଜ୍ଞାନିକଙ୍କ ଅନୁଯାୟୀ କରୋନା ଭୂତାଣୁ ସଂକ୍ରମଣକୁ ବ୍ୟାପକ କରିଥିବା ସାର୍ସ-ସିଓଭି-୨ ଅନ୍ୟ ଫ୍ଲୁ ଭୂତାଣୁ ପରି ଯାହାକୁ କାବୁ କରିହେବ ନାହିଁ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ପ୍ରତିବର୍ଷ ସମଗ୍ର ବିଶ୍ୱରେ ଫ୍ଲୁରେ ଆକ୍ରାନ୍ତ ହୋଇ ୩ ଲକ୍ଷରୁ ସାଢେ ୬ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ ।

ଅର୍ନ୍ତଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଚୀନର ପ୍ୟାଥୋଜେନ ବାୟୋଲୋଜି ସଂସ୍ଥାର ନିର୍ଦ୍ଦେଶକ ଜିନ୍ କ୍ୟୁ କହିଛନ୍ତି, କରୋନା ଏପରି ଏକ ଭୂତାଣୁ ଯାହା ଦୀର୍ଘ ସମୟ ଧରି ମଣିଷ ଶରୀରରେ ଉପସ୍ଥିତ ରହିପାରିବ । ଆମେରିକାର ଜାତୀୟ ସଂକ୍ରାମକ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏନ୍ଥନୀ ଫସିଙ୍କ ସମେତ କେତେକ ପ୍ରମୁଖ ବୈଜ୍ଞାନିକଙ୍କ ମତ ଅନୁସାରେ କରୋନା ଭୂତାଣୁ ଶୀତ ଦିନରେ ଅଧିକ ପ୍ରଭାବ ପକାଇବ ।

ପ୍ରତି ବର୍ଷ ଶୀତ ଦିନରେ ଏହି ଭୂତାଣୁ ସଂକ୍ରମଣ ଶୀର୍ଷରେ ପହଂଚିପାରେ ବୋଲି ଆକଳନ କରାଯାଉଛି । ଏପରି ସ୍ଥିତିରେ କେବଳ ଅପେକ୍ଷା ପ୍ରତିଷେଧକ ଟୀକାକୁ । ଯାହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଏହି ସଂକ୍ରମଣ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ।

କରୋନା ଭୂତାଣୁ ପ୍ରତିବର୍ଷ ସାରା ବିଶ୍ୱକୁ ସଂକ୍ରମିତ କରିପାରେ । ଏହି ପ୍ରସଙ୍ଗରେ ଭାରତୀୟ ବୈଜ୍ଞାନିକ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ଭାରତୀୟ ଜନସ୍ୱାସ୍ଥ୍ୟ ସଂସ୍ଥାନର ନିର୍ଦ୍ଦେଶକ ଦିଲ୍ଲୀପ ମାଭଲାଙ୍କରଙ୍କ ଅନୁଯାୟୀ ଏହି ଭୂତାଣୁ ଆମ ଆଖପାଖରେ ଉପସ୍ଥିତ ରହିବ । ଏହା ଖୁବ୍ ଶୀଘ୍ର ବ୍ୟାପୁଥିବା ବେଳେ କେତେକ ଲୋକଙ୍କ ଦେହରେ ସଂକ୍ରମଣ କମ୍ ଥିଲେ ମଧ୍ୟ ସେମାନେ ଆହୁରୀ ଅଧିକ ଲୋକଙ୍କୁ ସଂକ୍ରମିତ କରିବେ । ସଂକ୍ରମଣକୁ ନିୟନ୍ତ୍ରଣ କରିବା କଷ୍ଟକର । ତେବେ ଏଥିପାଇଁ ସମସ୍ତଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡିବ ।

ଉଷ୍ମ ଜଳବାୟୁରେ କରୋନା ଭୂତାଣୁର ସଂକ୍ରମଣ ସମ୍ଭାବାନ ମଧ୍ୟ କମ୍ ରହିଛି । କିନ୍ତୁ ତାପାମତ୍ରା ୫୬ ଡିଗ୍ରୀ ସେଲସିୟସ ଯାଏଁ ପ୍ରାୟ ୩୦ ମିନିଟ ଧରି ରହିଲେ, କରୋନା ଭୂତାଣୁର ସଂକ୍ରମଣ କମିଯାଇପାରେ । ହେଲେ ଅଧଘଂଟା ଧରି ଏଭଳି ତପମାତ୍ରା ସ୍ଥିର ରହିବା ସମ୍ଭାବନା ମଧ୍ୟ କ୍ଷୀଣ ।