ଭୁବନେଶ୍ୱର କ୍ଲବ ନିର୍ବାଚନ । ଜୋରଦାର ପ୍ରଚାର କରୁଛନ୍ତି ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ।

299

କନକ ବ୍ୟୁରୋ : ଆସନ୍ତା ୨୫ ଓ ୨୬ ତାରିଖରେ ହେବାକୁ ଥିବା ଭୁବନେଶ୍ୱର କ୍ଳବ ନିର୍ବାଚନ ପାଇଁ ଏବେ ମୁଖ୍ୟ ମୁଦ୍ଦା ପାଲଟିଛି ଦ୍ୱିତୀୟ କ୍ୟାମ୍ପସର ଉନ୍ନତିକରଣ । ସଭାପତି ପାଇଁ ପ୍ରାର୍ଥୀ ହୋଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ପ୍ରଚାରପତ୍ରରେ କହିଛନ୍ତି, ତାଙ୍କ ସମୟରେ ଏହି କ୍ୟାମ୍ପସ ପାଇଁ ଜମି ଦିଆଯାଇଥିଲା । ସେପଟେ ଆଉ ଜଣେ ପ୍ରାର୍ଥୀ ହୋଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି ମୋଟା ଅଙ୍କର ଅର୍ଥ ଲାଗିଥିବା ଏହ ନିର୍ମାଣଧୀନ ଅଟ୍ଟାଳିକାକୁ ସମ୍ପୂର୍ଣ୍ଣ କରିବା ଓ ସୁବ୍ୟବସ୍ଥିତ କରିବା ପାଇଁ ଠିକ୍ ନିଷ୍ପତି ନିଆଯିବା ଦରକାର । ଆଉ ଏସବୁ ଭିତରେ ସଦସ୍ୟଙ୍କୁ ନିଜ ସପକ୍ଷକୁ ନେବା ପାଇଁ ଆପ୍ରାଣେ ଉଦ୍ୟମ ଚଳାଇଛନ୍ତି ଦୁଇ ସଭାପତି ପ୍ରାର୍ଥୀ ।

ରାଜଧାନୀର ଘାଟିକିଆରେ ନିର୍ମାଣ ଚାଲିଛି ଭୁବନେଶ୍ୱର କ୍ଲବର ଦ୍ୱିତୀୟ କ୍ୟାମ୍ପସ । ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଏହି ବିଶାଳ ଅଟ୍ଟାଳିକା ୭ ବର୍ଷ ପରେ ମଧ୍ୟ ସମ୍ପୁର୍ଣ୍ଣ ହୋଇପାରିନି । ବିଶ୍ୱସ୍ତରୀୟ ଶୈଳୀରେ ନିର୍ମାଣ ହେବାକୁ ଥିବା ଏହି କ୍ଲବ ପରିସରରେ ଗଲ୍ଫ କୋର୍ସ ଠାରୁ ଆରମ୍ଭ କରି ଦୁଇ ହଜାର ଲୋକ ବସିପାରିବା ପରି ବଂକେଟ ହଲ ସହ ରହିବ ଅନେକ ଆଧୁନିକ ବ୍ୟବସ୍ଥା । କ୍ଲବର ସଦସ୍ୟ ମଧ୍ୟ ଏହି ନୂତନ କ୍ୟାମ୍ପସକୁ ନେଇ ବେଶ ଉତ୍ସାହିତ । ତେଣୁ ଏହା ଏବେ ପାଲଟିଯାଇଛି କ୍ଲବର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ।

ନୂତନ କ୍ୟାମ୍ପସକୁ ନେଇ ଦୁଇ ସଭାପତି ପ୍ରାର୍ଥୀ ପ୍ରଚାରର ପ୍ରସଙ୍ଗ କରିବା ସହ ଦେଇଛନ୍ତି ବିଭିନ୍ନ ପ୍ରତିଶ୍ରୁତି । ସଭାପତି ରେସରେ ଥିବା ପୂର୍ବତନ ଆଇଏଏସ ବିଜୟ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଥିବା ବେଳେ ଏହି ଜମି କ୍ଲବକୁ ଦେଇଥିବା ନିଜ ପ୍ରଚାରପତ୍ରରେ ଉଲ୍ଲେଖ କରିଛନ୍ତି । ଏହା ସହ ସଭାପତି ହେଲେ ଆଗାମୀ ୬ ମାସ ଭିତରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ପୂର୍ବତନ ଆଇଏଏସ ଅସିତ୍ ତ୍ରିପାଠୀ ଏହି ନିର୍ମାଣଧୀନ ଅଟ୍ଟାଳିକାରେ ବଡ ଅର୍ଥରାଶି ବିନିଯୋଗ କରାଯାଇଛି ତେଣୁ ଖୁବ୍ ଶୀଘ୍ର ଏହାକୁ ସମ୍ପୂର୍ଣ୍ଣ କରାଯିବା ପାଇଁ ଉଚିତ ନିଷ୍ପତି ନେବାକୁ ଅନୁରୋଧ କରିଛନ୍ତି ।

ସୁଚନା ଅନୁସାରେ ସଦସ୍ୟଙ୍କୁ ନିଜ ସପକ୍ଷରେ ନେବା ପାଇଁ ପ୍ରାର୍ଥୀ ମାନେ ପ୍ରତିଦିନ ବିଭିନ୍ନ ସ୍ଥାନରେ ବୈଠକ କରୁଥିବା ବେଳେ, ପାର୍ଟିର ଆୟୋଜନ କରୁଛନ୍ତି । ଏହା ସହିତ ବ୍ୟକ୍ତିଗତ ଭାବରେ ଓ ଫୋନ ମାଧ୍ୟମରେ ମଧ୍ୟ ତାଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରୁଛନ୍ତି । ତିନି ହଜାରରୁ ଅଧିକ ସଭ୍ୟ ଥିବା ଭୁବନେଶ୍ୱର କ୍ଲବରେ କିନ୍ତୁ ଏଥର ନିର୍ବାଚନରେ ବିଭିନ୍ନ କାରଣରୁ କେବଳ ୧୮ ଶହ ୫୪ ଜଣ ସଦସ୍ୟଙ୍କୁ ଭୋଟ ଦେବାର ଅଧିକାର ମିଳିଛି । ଦୁଇ ଦିନ ଧରି ଭୋଟ ଗ୍ରହଣ ପରେ ୨୬ ତାରିଖ ସନ୍ଧ୍ୟାରେ ସ୍ପଷ୍ଟ ହେବ ଏହି ଦାମୀ କ୍ଲବର ମଙ୍ଗ କିଏ ଧରୁଛି ।