ସଫଳତାର ଆଉ ଏକ ପାହାଚ: ଇଣ୍ଡିଆ ଟୁଡେ ‘ହାଇ ଆଣ୍ଡ ମାଇଟି’ ର‌୍ୟାଙ୍କିଙ୍ଗ; ୫୦ କ୍ଷମତାଶାଳୀ ଭାରତୀୟଙ୍କ ମଧ୍ୟରେ ଦୂତି

205

କନକ ବ୍ୟୁରୋ: ଆଥଲେଟିକ୍ ଟ୍ରାକରେ ନିୟମିତ ନିଜ ଚମକ ଦେଖାଇ ଆସୁଥିବା ଓଡ଼ିଶା ଧାବିକା ଦୂତି ଚାନ୍ଦ ସଫଳତାର ଆଉ ଏକ ଗଗନଶ୍ଚୁମ୍ବି ସ୍ତର ଛୁଇଁଛନ୍ତି। ରାଜ୍ୟ ପାଇଁ ଗର୍ବ ଏବଂ ଗୌରବର ଅଧ୍ୟାୟ ଭାବେ ଦୂତି ୫୦ କ୍ଷମତାଶାଳୀ ଭାରତୀୟଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଇଣ୍ଡିଆ ଟୁଡେ ପତ୍ରିକାର ଅଗଷ୍ଟ ସଂସ୍କରଣରେ ପ୍ରକାଶିତ ହେବାକୁ ଥିବା ଏହି ତାଲିକାରେ ଦୂତି ୪୭ତମ ସ୍ଥାନରେ ରହିଛନ୍ତି। ପତ୍ରିକା ଦୂତିଙ୍କୁ ଭାରତର ପ୍ରଥମ ସମଲିଙ୍ଗୀ କ୍ରୀଡ଼ାବିତ୍ ଭାବେ ବର୍ଣ୍ଣନା କରିଛି। ଦୂତି ଏସୀୟ କ୍ରୀଡ଼ାରେ ଦୁଇଟି ରୌପ୍ୟ ପଦକ ଜିତିଥିଲା ବେଳେ ଇଟାଲିରେ ଅନୁଷ୍ଠିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ୧୦୦ ମିଟର ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ। ତାଙ୍କର ଭାରତୀୟ ସମାଜ ବିଶେଷ କରି ଯୁବ ପିଢ଼ି ଉପରେ ଅଖଣ୍ଡ ପ୍ରଭାବ ରହିଥିବା ପତ୍ରିକା ଦର୍ଶାଇଛି। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି (ସପ୍ତମ)ଙ୍କ ବ୍ୟତୀତ ଦୂତି ଏକମାତ୍ର ଅନ୍ୟ କ୍ରୀଡ଼ାବିତ୍ ଭାବେ ଏହି ତାଲିକାରେ ଅଛନ୍ତି। ଚମକପ୍ରଦ ପ୍ରଦର୍ଶନ ସତ୍ତ୍ବେ ଦୂତି ଚଳିତ ବର୍ଷ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବେ ନାହିଁ ବୋଲି ଦୁଇଦିନ ତଳେ ଖବର ଆସିଥିଲା। ଯାହା ଓଡ଼ିଶା କ୍ରୀଡ଼ା ଦୁନିଆକୁ ବିସ୍ମିତ କରିଥିଲା। ଶନିବାର ଦୂତି ଭାରତର ଶ୍ରେଷ୍ଠ ୫୦ କ୍ଷମତାଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇବା ତାଙ୍କ ପ୍ରଶଂସକ ତଥା ସମର୍ଥକଙ୍କୁ ଉଲ୍ଲସିତ କରିଛି। ବ୍ୟକ୍ତିଗତ ଭାବେ ଦୂତି ମଧ୍ୟ ବହୁତ ଖୁସି ଥିବା ନିଜ ଫେସବୁକ୍ ପୃଷ୍ଠାରେ ଏହି ତାଲିକାକୁ ପ୍ରକାଶ କରି ଜଣାଇ ଦେଇଛନ୍ତି। ରାୟଗଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଓୟୋ ରୁମ୍ସ କଂପାନିର ଯୁବ ପ୍ରତିଷ୍ଠାତା ରୀତେଶ ଅଗ୍ରୱାଲ ୪୩ତମ ସ୍ଥାନ ଅଧିକାର କରିଛନ୍ତି।

ଶୀର୍ଷରେ ଅମ୍ବାନୀ, ମୋଦୀ

୨୦୧୯ ବର୍ଷ ପାଇଁ ‘ଇଣ୍ଡିଆ ଟୁଡେ’ ପ୍ରତିକାର ‘ହାଇ ଆଣ୍ଡ୍ ମାଇଟି ’ ତାଲିକାରେ ସବୁଠୁ କ୍ଷମତାଶାଳୀ ଭାରତୀୟଙ୍କ ତାଲିକାର ପ୍ରଥମ ସ୍ଥାନରେ ରିଲାଏନ୍ସର ମୁଖ୍ୟ ମୁକେଶ ଅମ୍ବାନୀ ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ କ୍ଷମତାଶାଳୀ ରାଜନେତା ବିବେଚିତ େହାଇଛନ୍ତି।

ସବୁଠୁ କ୍ଷମତାଶାଳୀ ଭାରତୀୟଙ୍କ ତାଲିକାରେ ୨୭ ଜଣ ବ୍ୟବସାୟୀ ଓ କିଛି ସେଲିବ୍ରିଟି ରହିଛନ୍ତି। ତାଲିକାର ଦ୍ବିତୀୟ ସ୍ଥାନରେ କୁମାର ମଙ୍ଗଳମ୍ ବିର୍ଲା ରହିଥିବାବେଳେ ଗୌତମ ଆଦାନୀ, ଉଦୟ କୋଟାକ, ଆନନ୍ଦ ମହିନ୍ଦ୍ରା, ରତନ ଟାଟା, ବିରାଟ କୋହଲି, ଏନ୍ ଚନ୍ଦ୍ରଶେଖରନ, ଅମିତାଭ ବଚ୍ଚନ, ଶିବ୍ ନାଦର, ଅଜୟ ପିରାମଲ୍, ଅଜିମ୍ ପ୍ରେମ୍ଜୀ, ସଜ୍ଜନ ଜିନ୍ଦଲ, ଦୀପିକା ପାଦୁକୋନ୍, ଏକ୍ତା କପୁର ଓ ଦୂତି ଚାନ୍ଦ ପ୍ରମୁଖ ଏଥିରେ ସ୍ଥାନ ପାଇଛନ୍ତି।।

ସେହିପରି ଚଳିତ ବର୍ଷ ଭାରତର ସବୁଠୁ କ୍ଷମତାଶାଳୀ ରାଜନେତାଙ୍କ ତାଲିକାର ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ଗୃହମନ୍ତ୍ରୀ ଅମିତ ଶାହ, ତୃତୀୟ ସ୍ଥାନରେ ଆର୍‌ଏସ୍ଏସ୍‌ ମୁଖ୍ୟ ମୋହନ ଭାଗବତ, ଚତ୍ରୁ୍ଥ ସ୍ଥାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ପଞ୍ଚମ ସ୍ଥାନରେ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଷଷ୍ଠ ସ୍ଥାନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସପ୍ତମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ଅଷ୍ଟମ ସ୍ଥାନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନବମ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଏବଂ ଦଶମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଅଛନ୍ତି।

ସେହିପରି ଭାରତର ସବୁଠାରୁ କ୍ଷମତାଶାଳୀ ପ୍ରଶାସକମାନଙ୍କ ତାଲିକାର ପ୍ରଥମେ ରହିଛନ୍ତି ନୃପେନ୍ଦ୍ର ମିଶ୍ର। ଦ୍ବିତୀୟ ସ୍ଥାନରେ ଅଜିତ ଡୋଭଲ, ତୃତୀୟ ସ୍ଥାନରେ ପିକେ ମିଶ୍ର, ଚତୁର୍ଥ ସ୍ଥାନରେ ଶକ୍ତିକାନ୍ତ ଦାସ, ପଞ୍ଚମ ସ୍ଥାନରେ ଅମିତାଭ କାନ୍ତ, ଷଷ୍ଠ ସ୍ଥାନରେ ଅତନୁ ଚକ୍ରବର୍ତ୍ତୀ, ସପ୍ତମ ସ୍ଥାନରେ ଅରବିନ୍ଦ କୁମାର ଶର୍ମା, ଅଷ୍ଟମ ସ୍ଥାନରେ ରାଜୀବ କୁମାର, ନବମ ସ୍ଥାନରେ କ୍ରିଷ୍ଣାମୂର୍ତ୍ତି ସୁବ୍ରମନ୍ୟମ୍ ଏବଂ ଦଶମ ସ୍ଥାନରେ ହିରେନ୍ ଯୋଶୀ ସ୍ଥାନ ପାଇଛନ୍ତି।