ଦ୍ୱିତୀୟ ପର୍ଯ୍ୟାୟର ଟପ-୧୦ ଧନୀ ବିଧାୟକ ପ୍ରାର୍ଥୀ । ଜାଣନ୍ତୁ କେଉଁ ଦଳରୁ ଅଛନ୍ତି କେତେ ଜଣ ନେତା?

328

କନକ ବ୍ୟୁରୋ : ସାମ୍ନାକୁ ଆସିଛି ଏଡିଆର ରିପୋର୍ଟ । ଯେଉଁଥିରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଟିକିନିକି ତଥ୍ୟ ସାମ୍ନାକୁ ଆସିଛି । ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ସମ୍ପତି ଠାରୁ ଆରମ୍ଭ କରି ତାଙ୍କ ନାଁରେ କେତୋଟି କେସ ରହିଛି, ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହାର ପୂରା ତଥ୍ୟ ଏହି ରିପୋର୍ଟରେ ପ୍ରକାଶ ପାଇଛି । ଏସବୁ ଭିତରେ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଟପ୍-୧୦ ଧନୀ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ସାମ୍ନାକୁ ଆସିଛି । ପ୍ରାର୍ଥୀ ମାନଙ୍କ ସତ୍ୟପାଠରେ ଦେଇଥିବା ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଟପ୍-୧୦ ଧନୀ ପ୍ରାର୍ଥୀ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଅନେକ ହେଭିୱେଟ ନେତା ମୈଦାନକୁ ଓହ୍ଲାଇଥିବା ବେଳେ ସେମାନଙ୍କର ସମ୍ପତି କେତେ ତାହା ଜାଣିବା ପାଇଁ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି । ଏଡିଆର ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁଠୁ ଧନୀ ପ୍ରାର୍ଥୀ । ଉଭୟ ବିଜେପୁର ଓ ହିଞ୍ଜିଳିରୁ ଲଢୁଥିବା ନବୀନଙ୍କ ମୋଟ ସ୍ଥ୍ାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ୬୩ କୋଟି ୮୭ ଲକ୍ଷ ୪୧ ହଜାର ୮୧୬ ଟଙ୍କା ରହିଛି ।

ସେହିଭଳି ବିଜେପିର ପାଟଣାଗଡା ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମ୍ପତି ୩୭ କୋଟି ୯୫ ଲକ୍ଷ ୯୦ ହଜାର ୮୫୧ ଟଙ୍କା ରହିଛି । କନକ ବର୍ଦ୍ଧନଙ୍କ ତଳକୁ ଝାରସୁଗୁଡାର ବିଜେଡି ବିଧାୟକ ପ୍ରାର୍ଥୀ ନବ ଦାସଙ୍କର ୩୩,୬୨,୭୩,୭୦୭ ସମ୍ପତି ରହିଛି । ନବଙ୍କ ପରେ ଏହି ତାଲିକାରେ ସରୋଜ କୁମାର ମେହେରଙ୍କ ନାଁ ରହିଛି । ସରୋଜ ପାଟଣାଗଡରୁ ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ।

ଏହି ତାଲିକାର ୫ମ ସ୍ଥାନରେ ସାନଖେମୁଣ୍ଡି ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ବିଜୟ କୁମାର ସ୍ୱାଇଁଙ୍କର ନାଁ ରହିଛି । ବିଜୟଙ୍କର ମୋଟ ୧୫,୭୯,୩୩,୭୦୦ ଟଙ୍କାର ସମ୍ପତି ରହିଛି ।ସେହିଭଳି ୬ଷ୍ଠ ସ୍ଥାନରେ ରହିଛନ୍ତି ବଲାଙ୍ଗୀର ରାଜପରିବାରର ସଦସ୍ୟ ତଥା ବଲାଙ୍ଗୀର ଆସନରୁ ବିଜେଡିର ବିଧାୟକ ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓ । ୭ମ ସ୍ଥାନରେ ଧରାକୋଡ ରାଣୀ ତଥା ସାନଖେମୁଣ୍ଡିରୁ ବିଜେଡିର ବିଧାୟିକା ପ୍ରାର୍ଥୀ ନନ୍ଦିନୀ ଦେବୀଙ୍କ ନାଁ ରହିଛି । ତାଙ୍କର ମୋଟ ସମ୍ପତି ୧୧, ୭୨,୭୫,୦୧୨ ଟଙ୍କା ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି ।

ଟପ୍-୧୦ ଧନୀଙ୍କ ମଧ୍ୟରୁ ଅଷ୍ଟମ ସ୍ଥାନରେ ରହିଛନ୍ତି ଛାରସୁଗୁଡା ବିଜେପି ବିଧାୟକ ପ୍ରାର୍ଥୀ ଦୀନେଶ କୁମାର ଜୈନ । ତାଙ୍କର ମୋଟ ୮,୭୦, ୮୨,୬୧୭ ଟଙ୍କାର ସମ୍ପତି ରହିଛି । ନବମ ସ୍ଥାନରେ ନବୀନଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇଥିବା ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ରହିଛନ୍ତି । ତାଙ୍କର ମୋଟ ସମ୍ପତି ୭,୮୧, ୪୦,୩୩୯ ଟଙ୍କା ରହିଛି । ସେହିଭଳି ଏହି ତାଲିକାର ୧୦ତମ ସ୍ଥାନରେ ରହିଛନ୍ତି ବ୍ରଜରାଜନଗରରୁ ବିଜେଡି ବିଧାୟକ ପ୍ରାର୍ଥୀ କିଶୋର ମହାନ୍ତି । ତାଙ୍କର ମୋଟ ସମ୍ପତି ୭,୧୭,୮୮,୯୧୨ ଟଙ୍କା ରହିଛି । ଟପ-୧୦ ଧନୀ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ବିଜେଡି ପ୍ରାର୍ଥୀ ରହିଥିବା ବେଳେ ୪ ଜଣ ବିଜେପି ପ୍ରାର୍ଥୀ ରହିଛନ୍ତି । କଂଗ୍ରେସର ଜଣେ ମଧ୍ୟ ପ୍ରାର୍ଥୀ ଟପ-୧୦ ଧନୀ ତାଲିକାରେ ସ୍ଥାନ ପାଇନାହାନ୍ତି । ସେହିଭଳି ଏହି ତାଲିକାରେ ୩ ଜଣ ରାଜପରିବାରର ସଦସ୍ୟ ରହିଛନ୍ତି ।