ଏମିତି ଏକ ମାଛ, ଯାହାର ରହିଛି ୫୫୫ ଦାନ୍ତ ! ପ୍ରତିଦିନ ଉଠିଥାଏ ୨୦ଟି ନୂଆ ଦାନ୍ତ ।

228

କନକ ବ୍ୟୁରୋ : ଗୋଟିଏ ମାଛର କେତୋଟି ଦାନ୍ତ ଥାଏ ? ଏମିତିରେ ତ ମଣିଷର ୩୨ଟି ଦାନ୍ତ ଥାଏ, ତେଣୁ ହୁଏତ ମାଛର ସେହି ପାଖାପାଖି ଦାନ୍ତ ଥାଇପାରେ ବୋଲି ଆପଣ ଅନୁମାନ କରୁଥିବେ । ହେଲେ ଏମିତି ବି ଗୋଟିଏ ମାଛ ଅଛି, ଯାହାର ୫୫୫ଟି ଦାନ୍ତ । ଆଉ ପ୍ରତ୍ୟେକ ଦିନ ତାର ୨୦ଟି ଦାନ୍ତ ଭାଙ୍ଗିଥାଏ ଓ ୨୦ଟି ନୂଆ ସୃଷ୍ଟି ହୋଇଥାଏ । ଆମ ଜୀବଜଗତ ବି ବଡ ବିଚିତ୍ର । ଏଠି ଆମେ ଅନେକ ବିଚିତ୍ର ଜୀବ ଦେଖିଥାଉ । ଗଭୀର ସମୁଦ୍ରରେ ଏମିତି ଅନେକ ପ୍ରାଣୀ ଅଛନ୍ତି ଯାହାଙ୍କର ଗଠନ ବିଚିତ୍ର ହେଇଥାଏ । ଏହି ଯେମିତି ଏ ମାଛକଥା ଦେଖିନିଅନ୍ତୁ ।

ଏହି ମାଛର ମୁହଁ ଭିତରେ ଖାଲି ଦାନ୍ତ ରହିଛି, ଯେଉଁଥିପାଇଁ ଏହି ମାଛ ପାଇଁ ଶିକାର କରିବା ସହଜ ହୋଇଯାଏ । ଥରେ ଏହି ମାଛ ଆଁରେ ଶିକାର ଫଶିଗଲେ ଆଉ ସେ ବାହାରି ପାରେନି । ତେବେ ଚାଲନ୍ତୁ ଜାଣିବା ଏହି ମାଛର ଏତେ ଦାନ୍ତ କେମିତି, କେଉଁଠି ଏହି ମାଛ ଦେଖାଯାଏ ଓ ମଣିଷ ପାଇଁ ଏହା କ୍ଷତିକାରକ କି ନାହିଁ ।

ପ୍ୟାସିଫିକ ଲିଙ୍କଡ୍ । ଏହା ହେଉଛି ଦୁନିଆର ସବୁଠୁ ଅଧିକ ଦାନ୍ତ ଥିବା ଜୀବ । ଏହି ମାଛଟିର ପାଟି ଭିତର ହେଉଛି ମୃତ୍ୟୁର ଘର । ଥରେ ଶିକାର ଏହି ଆଁକୁ ଗଲେ ସେ ଛୋଟ ଛୋଟ ପିସରେ ପରିଣତ ହୋଇଯାଏ । କାରଣ ଏହି ମୁନିଆ ଦାନ୍ତ ଗୁଡିକ ସ୍ପ୍ରିଙ୍ଗ ଭଳି ଆକାରରେ ଏହି ମାଛର ମୁହଁରେ ରହିଥାନ୍ତି ଫଳରେ ତାକୁ ଶିକାର କରିବା ସହଜ ହୁଏ । ୱାଶିଂଟନ ବିଶ୍ୱବିଦ୍ୟାଳୟର ବୋୟୋଲୋଜି ବିଭାଗର ପ୍ରଫେସର ଏହି ପ୍ୟାସିଫିକ ଲିଙ୍କଡ୍ ଏହି ମାଛ ଉପରେ ଗବେଷଣା କରୁଛନ୍ତି । ସେ କହିଛନ୍ତି କି, ଏହି ମାଛର ମୁହଁ ଭିତରେ ଦାନ୍ତ ଗୁଡିକ ପୁରା ଭର୍ତ୍ତି ହୋଇରହିଛି । ଏହା ଏକ ଶିକାରି ମାଛ ଓ ଏହା ଉତ୍ତର-ପ୍ରଶାନ୍ତ ମହାସାଗରରେ ଦେଖିବାକୁ ମିଳେ । ଏହି ମାଛର ଲମ୍ବ ୨୦ ଇଞ୍ଚ୍ ଯାଏଁ ହୋଇଥାଏ ।

ତେବେ ଏହି ମାଛର ଦାନ୍ତ ଗୁଡିକର ଗଠନ କେମିତି ହେଇଥାଏ, କେମିତି ଏହା ଶିକାର କରେ ଏହି ତମାମ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବୈଜ୍ଞାନିକ ମାନେ ଏହି ମାଛଟିକୁ ଧରିଥିଲେ ଆଉ ତାଉପରେ ଗବେଷଣା ଚଳାଇଥିଲେ । ଆଉ ପରୀକ୍ଷାରୁ ଜଣାପଡିଛି କି ଏହି ମାଛର ମୁହଁ ଭିତରେ ଛୋଟ ଛୋଟ ମୁନିଆ ଦାନ୍ତ ରହିଛି, ଯାହାକି ଏହାକୁ ଶିକାର କରିବାରେ ସହଯୋଗ କରିଥାଏ । ଏହାର ମୁହଁ ଭିତରର ପ୍ରଥମ ଦୁଇ ପରସ୍ତ ମାଢି ଓ ଦାନ୍ତ ଗୁଡିକ ବେଶ ମଜବୁତ ରହିଥାଏ, ଯାହାଫଳରେ ସେ ଶିକାର ଆରାମରେ କରିନିଏ । ହେଲେ ଭିତର ମାଢି ଗୁଡିକ ସୁକ୍ଷ୍ମ ହୋଇଥାଏ । ଏହାର ଦାନ୍ତ ଗୁଡିକ ଜଲଦି କ୍ଷୟ ବି ହୁଏନି । ତେଣୁ ସେ ଅଧିକ ଦିନ ଧରି ଶିକାର କରିବା ସହ ଦୀର୍ଘାୟୁ ହୋଇଥାଏ ।

ତେବେ ଏହି ମାଛ ଏକମାତ୍ର ବିରଳ ମାଛ ଯାହାର ଦାନ୍ତ ଗୁଡିକ ମୃତ ମାଛଙ୍କ ଜୀବାସ୍ମ ସହ ରଖାଯାଇଛି । ମାନେ ଏହି ମାଛର ଯେଉଁ ଦାନ୍ତ ଗୁଡିକ ବାହାରି ଥାଏ ତାକୁ ସଂରକ୍ଷିତ ରଖାଯାଇଛି । ତେବେ ଏହି ମାଛକୁ ପରୀକ୍ଷା କରିବା ପାଇଁ ଏକ ଆକ୍ୱାରିୟମରେ ରଖାଯାଇ ତାର ଦାନ୍ତ ଗୁଡିକୁ ସବୁଜ ରଂଗ କରାଗଲା, ହେଲେ ପରେ ଦେଖାଗଲା କି ସେତିରୁ କିଛି ଦାନ୍ତ ଭାଙ୍ଗି ଯାଇ ନୂଆ ଦାନ୍ତ ବାହାରିିଛି । ତେବେ କେମିତି ଏହି ଦାନ୍ତ ଏତେ ଶୀଘ୍ର ସୃଷ୍ଟି ହେଉଛି ତାର ସନ୍ଧାନ ପାଇ ପାରିନାହାନ୍ତି ଗବେଷକ । ପରୀକ୍ଷା ନିରୀକ୍ଷା ପରେ ବି ଜଣା ପଡୁନି କି କେମିତି ଏତେ ଦାନ୍ତର ଅଧିକାରୀ ଏହି ପ୍ୟାସିଫିକ ଲିଙ୍କଡ୍ ।