କନକ ବ୍ୟୁରୋ: ପାଠ ପଢିବା ପାଇଁ ବାଜିରେ ଲାଗୁଛି ଜୀବନ । ଦିନ ଦିପହରରେ ସରକାରଙ୍କ ନିୟମକୁ ଖୋଲା ଖୋଲି ଉଲ୍ଲଂଘନ କରାଯାଉଛି । ସ୍କୁଲ ପିଲାମାନଙ୍କୁ ନେବାଆଣିବା କରୁଥିବା ଯାନବାହାନ ମୋଟର ଯାନ ନିୟମ ପାଳନ କରିବେ । ଏନେଇ ଏସ୍ଓପି ଜାରି ହୋଇଛି । ହେଲେ ସବୁ ନିୟମର ଉଲ୍ଲଂଘନ ହେଉଛି । ଏମିତି କିଛି ଦୃଶ୍ୟ ରାଜନଗର ଅଂଚଳରେ ଦେଖିବାକୁ ମିଳିଛି । ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଗାଡି ସରକାରଙ୍କ ନିୟମକୁ ଯେମିତି ଫୁ’ କରିଦେଇଛନ୍ତି । ଖୋଲା ବସ୍ତା ଲଦି ବୋଝ ଭଳି ଗାଡିରେ ଯାଉଛନ୍ତି ସ୍କୁଲ ପିଲାମାନେ । ଏଥିରେ ମାଲିକ ବେଫିକର ରହୁଥିବା ବେଳେ କୁନି କୁନି ପିଲାମାନଙ୍କ ଜୀବନ ଲାଗୁଛି ବାଜିରେ । କେତେବେଳେ କୌଣସି ଅଘଟଣ ଘଟିବ ତାହା ଏଡାଇ ଦେଇ ହେବନାହିଁ । ତିନି ଚକିଆ ଅଟୋ ଗୁଡିକରେ ୧୫ରୁ ୨୦ ଜଣ ପର୍ଯ୍ୟନ୍ତ ପିଲାମାନଙ୍କୁ ଲଦି ନିଆଯାଉଛି । ଅଟୋର ଆଗ, ପଛ ସିଟ୍ ଓ ଡ୍ରାଇଭର ପାଖରେ ଓହଳି ହୋଇ ବସିଛନ୍ତି ପିଲାମାନେ । ପ୍ରାୟତ ସମସ୍ତ ବେସରକାରୀ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ଏହିଭଳି ନିଆଯାଉଥିବର ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି ଏଥିପ୍ରତି କାହାର ନଜର ନାହିଁ । କି କୌଣସି କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଉନି । ଯାହାକୁ ନେଇ ଅସନ୍ତୋଷ ବଢି ଚାଲିଛି ।