ଲାଇସେନ୍ସ ପାଇଁ  ଚାଲିଛି ପାଠପଢ଼ା, ଆରଟିଓ ଅଫିସ୍ ଭିତରକୁ ଯିବା ପୂର୍ବରୁ ଟ୍ରାଫିକ୍ ସଂକେତ ମୁଖସ୍ଥ କରୁଛନ୍ତି ଗାଡ଼ି ଚାଳକ

1,834

କନକ ବ୍ୟୁରୋ: ପରୀକ୍ଷା ପୂର୍ବରୁ ଘୋଷା ଚାଲିଛି । ଟ୍ରାଫିକ୍ର କେଉଁ ଚିହ୍ନର ମାନେ କଣ, କେଉଁ ଚିତ୍ର କଣ ଦର୍ଶାଉଛି, ପେପର ଦେଖି ସବୁ ଚିହ୍ନ ଟିକନିକ ମନେ ରଖୁଛନ୍ତି । ପରୀକ୍ଷା କେନ୍ଦ୍ରରେ ଟ୍ରାଫିକ ନିୟମକୁ ନେଇ ପ୍ରଶ୍ନର ଉତର ଦେବା ପୂର୍ବରୁ ବାରମ୍ବାର ମୁଖସ୍ଥ କରୁଛନ୍ତି ଆବେଦନକାରୀ  । ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ । ହେଲେ କୌଣସି ସ୍କୁଲ କିମ୍ବା କଲେଜ ପରୀକ୍ଷାଠାରୁ କମ୍ ନୁହଁ । ମନରେ ଫେଲ ହୋଇଯିବାର ଭୟ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଆଗରୁ ଏମିତି ନଥିଲା, ଏବେ ପ୍ରଶ୍ନ ଅଧିକ କଡା ହୋଇଯାଇଛି । ସଠିକ ଉତର ନଦେଲେ ପୁଣି ଥରେ ପରୀକ୍ଷା ଦେବାକୁ ପଡିବ ।

ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ବେଳେ ଚାଳକଙ୍କ ଡ୍ରାଇଭିଂ ଟେଷ୍ଟ ବାଧ୍ୟତାମୂଳକ । ଆଉ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ମନରେ ଭରିଯାଉଛି ଭୟ । ବର୍ଷ ବର୍ଷ ଧରି ଗାଡି ଚଲାଇ ଆସୁଥିବା ଚାଳକଙ୍କ ମଧ୍ୟ ସମାନ ଅବସ୍ଥା । ସକାଳ ୧୦ରୁ ସନ୍ଧ୍ୟା ୫ ଯାଏ ଅଫିସ ଖୋଲାରହେ । ହେଲେ ରାତିରୁ ହିଁ ଆରମ୍ଭ ହୋଇଯାଉଛି ଲାଇନ୍ । ସକାଳୁ ଅଫିସ ଖୋଲିବା ବେଳକୁ କେମିତି ଲାଇନ୍ର ପ୍ରଥମରେ ରହିବେ ଆଉ ତୁରନ୍ତ କାମ ସରିଯିବ, ସେହି ଚିନ୍ତା ଘାରିଛି । ଏସବୁ ଭିତରେ ଦଲାଲକୁ ଝୁରୁଛନ୍ତି ଜନତା । କହିଛନ୍ତି, ଦଲାଲମୁକ୍ତ ହେବା ପରେ ସମସ୍ୟା ଆହୁରି ବଢିଯାଇଛି । ନୂଆ ମୋଟର ଯାନ ଆଇନ୍କୁ ଆଉ ତିନି ମାସ କୋହଳ କରିଦେଇଛନ୍ତି ସରକାର । ତେବେ ଆରଟିଓ ଅଫିସ ଆଗରୁ ଲାଇନ୍ କମିବାର ନାଁ ନେଉନି ।