ଗଜପତି ଜିଲ୍ଲାରୁ ଉତ୍ପାଦିତ ହେଉଛି ଟନ୍ ଟନ୍ ସପୁରୀ। ଓଡିଶା ଜୀବିକା ମିଶନ ମାଧ୍ୟମରେ ସୃଷ୍ଟି ହେଉଛି ସୁଯୋଗ।

88

କନକ ବ୍ୟୁରୋ: ଗଜପତି ଜିଲ୍ଲାର ରାୟଗଡ଼, ନୂଆଗଡ଼, ଆର. ଉଦୟଗିରି ଭଳି ଆଦିବାସୀ ଅଧ୍ୟୁସିତ ବ୍ଲକରେ ବାର୍ଷିକ ପାଖାପାଖି ୫ ହଜାରରୁ ଅଧିକ ଟନ୍ ସପୁରୀ ଉତ୍ପାଦନ ହେଉଛି । ହେଲେ ବଜାର ଅଭାବରୁ ଉଚିତ୍ ମୁଲ୍ୟ ପାଉନଥିଲେ ଗରିବ ଆଦିବାସୀ । ଆଉ ଏହାର ସୁଯୋଗ ନେଇ ଶାଗମାଛ ଦରରେ ସପୁରୀ କିଣିନେଉଥିଲେ ବ୍ୟବସାୟୀ । ଜିଲ୍ଲାରେ ଏହାକୁ ସାଇତି ରଖିବା ପାଇଁ ଶୀତଳଭଣ୍ଡାରଟିଏ ନଥିବାରୁ କମ ମୂଲ୍ୟ ଚାଷୀ ବିକ୍ରି କରିବାକୁ ବାଧ୍ୟ ହେଉଥିଲେ । ତେଣୁ ଆଦିବାସୀଙ୍କ ଆର୍ଥିକ ଉନ୍ନତି ପାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗ ଓ ଓଡ଼ିଶା ଜୀବକା ମିଶନ ମାଧ୍ୟମରେ ଏକ ସପୁରୀ ୟୁନିଟ୍ ନିର୍ମାଣ କରାଯାଇଛି । ଏହି କେନ୍ଦ୍ରରେ ସପୁରୀରୁ ଜୁସ୍, ଜେଲି, ଚକୋଲେଟ୍, ଜାମ୍ ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ । ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ପାଇଁ ବଜାର ମଧ୍ୟ ସୃଷ୍ଟି କରାଯିବା ଯାହାଦ୍ୱାରା ଲାଭବାନ ହୋଇପାରିବେ ଗରିବ ଆଦିବାସୀ ।

ଦୀର୍ଘଦିନ ଧରି ଗଜପତି ଜିଲ୍ଲାରେ ଅଧିକାଂଶ ଚାଷୀ ସପୁରୀ ଚାଷ କରିଆସୁଛନ୍ତି । ହେଲେ ବଜାର ଅଭାବରୁ ଉପଯୁକ୍ତ ମୂଲ୍ୟ ପାଇବାରୁ ଏମାନେ ବଞ୍ଚିତ ହେଉଛନ୍ତି । ବଜାରରେ ସପୁରୀ ଗୋଟାକୁ ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବ୍ୟବସାୟୀ ମାନେ ଖୁବକମ୍ ଦରରେ ଚାଷୀଙ୍କ ଠାରୁ କିଣୁଥିଲେ । ସପୁରୀ ଅମଳ ପରେ ସାଇତି ରଖିବାକୁ ଶୀତଳଭଣ୍ଡାର ନଥିବାରୁ ନଷ୍ଟ ହୋଇଯିବା ଭୟରେ ନିରୀହ ଅଦିବାସୀ ମାନେ କମ ଦରରେ ବିକ୍ରି କରୁଥିଲେ । ଏବେ ପ୍ରକ୍ରିୟାକରଣ ୟୁନିଟ୍ ବସିବା ପରେ ଉପଯୁକ୍ତ ଦର ମିଳିବ ବୋଲି ଆଶା ରଖିଛନ୍ତି ଚାଷୀ । ସପୁରୀରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତତ କରିବା ପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ତାଲିମ ଦେଉଛି । ଡେରିରେ ହେଉ ପଛେ ଆଦିବାସୀଙ୍କ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।