ଆସନ୍ତାକାଲି ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ସକାଳ ୭ ରୁ ସଂନ୍ଧ୍ୟା ୬ ଯାଏଁ ଖୋଲା ରହିବ ମତଦାନ କେନ୍ଦ୍ର । ନକ୍ସଲ ପ୍ରବଣ ଅଞ୍ଚଳରେ ଅପରାହ୍ନ ୪ ଟାରେ ସରିବ ମତଦାନ

63

କନକ ବ୍ୟୁରୋ : ଆସନ୍ତା କାଲି (ମଙ୍ଗଳବାର) ବିହାରରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏନେଇ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୃତି ଶେଷ ହୋଇଛି । ମଙ୍ଗଳବାର ୧୭ ଟି ଜିଲ୍ଲାର ୯୪ ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏହି ଜିଲ୍ଳା ମାନଙ୍କ ମଧ୍ୟରେ ରହିଛି ବୈଶାଳୀ, ପାଟନା, ସୀତାମାଢୀ, ମଧୁବନ ଓ ଦରଭଙ୍ଗା ଭଳି ଜିଲ୍ଲା ।
ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବା ୯୪ ଟି ଆସନ ପାଇଁ ୧୪୬୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ସେମାନଙ୍କ ମଧ୍ୟରୁ ୧୪୩ ଜଣ ମହିଳା ଓ ଜଣେ କିନ୍ନର ବି ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୨ କୋଟି ୮୬ ଲକ୍ଷ ଭୋଟର ମତଦାନ କରିବେ । ସକାଳ ୭ ରୁ ସଂନ୍ଧ୍ୟା ୬ ଟା ଯାଏ ଭୋଟ ଗ୍ରହଣ କରାଯିବ ବୋଲି ନିର୍ବାଚନ ଅଧିକାରୀ ଏଚ୍.ଆର ଶ୍ରୀନିବାସ କହିଛନ୍ତି । ତେବେ ନକ୍ସଲ ପ୍ରଭାବିତ ରାଘୋପୁର, ପାରୁଳ ମିନାପୁର ଓ ଅଲୌଲି ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।
ଅବାଧ ଓ ନିରପେକ୍ଷ ମତଦାନ ପାଇଁ ନକ୍ସଲ ପ୍ରବଣ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଥା କହିଛନ୍ତି ବିହାର ରାଜ୍ୟର ଅତିରିକ୍ତ ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ସିଂହ । ହେବାକୁ ଥିବା ଏହି ୯୪ ଟି ବିଧାନସଭା କ୍ଷେତ୍ରରେ ବିଜେପି ୪୫ ଟି ଆସନ, ଜେଡିୟୁ ୪୩, ବିକାଶଶୀଳ ଇନସାନ ପାର୍ଟି ୬ ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ଆରଜେଡି ୫୬ ଓ କଂଗ୍ରେସ ୨୪ ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଛି । ଅନ୍ୟପଟେ ଏଲଜେପି ୫୨, ଆରଏଲଏସପିି ୩୬, ବିଏସପି ୩୩ ଓ ଏନସିପି ୨୯ ଆସନରେ ପ୍ରତିଦ୍ୱନ୍ଦିତା କରୁଛି ।