ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ମୈାସୁମୀ ଅଧିବେଶନ : ଚଳିତ ଥର ମୋଟ ୧୧ଟି ରହିଛି କାର୍ଯ୍ୟାଦିବସ

48

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୈାସୁମୀ ଅଧୀବେଶନ । ତେବେ ଅଧିବେଶନ ପୂର୍ବରୁ ସରକାରଙ୍କୁ ଘେରିବା ପାଇଁ ବିରୋଧୀମାନେ ପ୍ରସ୍ତୁତ । ମିଳିଥିବା ସୂଚନା ଅନୁସାରେ ଚାଷୀଙ୍କୁ ଫସଲ ବୀମା, ଶିକ୍ଷକ, ଲୋକାୟୁକ୍ତ ନିଯୁକ୍ତି,ବେରୋଜଗାରୀ , ଉପାନ୍ତ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଆଦି ପ୍ରସଙ୍ଗରେ ବିରୋଧୀମାନେ ଗୃହରେ ଉଠାଇବେ ବୋଲି ସୂଚନା ମିଳିଛି । ତେବେ ଶାସକ ଦଳ ମଧ୍ୟ ବନ୍ୟା ପାଇଁ ଛତିଶଗଡ଼ର ବିଜେପି ସରକାର ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିବ। ଆଉ ତୈଳ ଦର ବୃଦ୍ଧି ଓ କେନ୍ଦ୍ରର ଅବହେଳାକୁ ଅସ୍ତ୍ର କରିବାକୁ ଦଳ ପୂରା ଦମରେ ପ୍ରସ୍ତୁତ । ଏହି ବିଧାନସଭାର ମୌସୁମୀ ଅଧିବେଶନରେ ମାତ୍ର ୧୧ଟି କାର୍ଯ୍ୟଦିବସ ଥିଲେ ବି ଅନେକ ଦୃଷ୍ଟିରୁ ଏହାର ଗୁରୁତ୍ୱ ରହିଛି। କମ୍ ସମୟ ମଧ୍ୟରେ ପ୍ରସଙ୍ଗଗୁଡ଼ିକୁ କିପରି ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରି ଅପର ପକ୍ଷକୁ ଘେରିବେ, ସେଥି ପାଇଁ ତିନି ରାଜନୈତିକ ଦଳ ଆଜି ବିଧାୟକ ଦଳ ବୈଠକ ଡାକିଛନ୍ତି। ବିଧାନସଭା ପରିସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱ ହେବାକୁ ଥିବା ବିଜେଡି ବିଧାୟକ ଦଳ ବୈଠକରେ ନିର୍ଦ୍ଦିଷ୍ଟ ରଣନୀତି ସମ୍ପର୍କରେ ବିଧାୟକମାନଙ୍କୁ ଜଣାଇଦିଆଯିବ। ବିରୋଧୀ ଦଳ ନେତା ନରସିଂହଙ୍କ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନେ ବିଧାନସଭାରେ ବୈଠକ କରି ରଣନୀତି ଚୂଡ଼ାନ୍ତ କରିବେ। ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବି ଦଳୀୟ କାର୍ଯ୍ୟାଳୟରେ ଡକାଯାଇଛି।

 

ବିଭିନ୍ନ ଦୃଷ୍ଟିକୋଣରୁ ପୂର୍ବ ବର୍ଷଗୁଡ଼ିକର ମୌସୁମୀ ଅଧିବେଶନ ତୁଳନାରେ ଏଥର ଅଧିବେଶନ ଚର୍ଚ୍ଚାରେ ରହିବ। ସାଧାରଣତଃ ଶୀତ ଅଧିବେଶନ ସମୟରେ ଅତିରିକ୍ତ ବଜେଟ୍ ଆସୁଥିଲା ବେଳେ ଏଥର ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ଆସୁଛି। ଅତିରିକ୍ତ ବଜେଟ୍ ଆକାର ପାଖାପାଖି ୧୨ହଜାର ୭୬୮ କୋଟି ଟଙ୍କା। ଆଗକୁ ନିର୍ବାଚନ ଥିବାରୁ ଅତିରିକ୍ତ ବଜେଟ୍ କେଉଁ ବିଭାଗ ପାଇଁ କେତେ ଅଧିକ ଅର୍ଥ ବରାଦ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।  ତୈଳ ଦର ବୃଦ୍ଧି ଓ ବନ୍ୟା ଜଳ ଛାଡ଼ିବାରେ ଛତିଶଗଡ଼ର ମନମୁଖୀ କାରବାର ପରି ବଡ଼ ପ୍ରସଙ୍ଗ ଉଠାଇ ବିଜେପିକୁ ବ୍ୟାକଫୁଟକୁ ଠେଲିବ ବିଜେଡି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଗୃହରେ ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଆଲୋଚନା ପାଇଁ ଉଠାଇବେ, ସରକାର ତାହାକୁ ସ୍ୱାଗତ କରିବେ। ମହାନଦୀ, ପୋଲାଭରମ୍ ଓ ବିଭନ୍ନ କ୍ଷେତ୍ରରେ କେନ୍ଦ୍ରର ଅବହେଳା ପ୍ରସଙ୍ଗ ଆମ ପାଖରେ ଅଛି। ବିଧାୟକ ଦଳ ବୈଠକରେ ଏହା ଚୂଡ଼ାନ୍ତ ହେବ। ସେପ୍ଟେମ୍ବର ୨୦ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୧୧ଟି କାର୍ଯ୍ୟଦିବସ ରହିଛି। ସେପ୍ଟେମ୍ବର ୮, ୯, ୧୩, ୧୪, ୧୫ ଓ ୧୬ ତାରିଖରେ ଛୁଟି ରହିଛି। ଏହି ଅଧିବେଶନରେ ମୋଟ ଦୁଇଟି (ସେପ୍ଟେମ୍ବର ୭ ଓ ୨୦) ବେସରକାରୀ କାର୍ଯ୍ୟଦିବସ ରହିଛି।